କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅନୁପମ ଖେର୍, କହିଲେ ଛବି ସୁଧାରିବା ଅପେକ୍ଷା ସରକାର ଲୋକଙ୍କ ଜୀବନ ବଞ୍ଚାନ୍ତୁ | News Room Odisha

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅନୁପମ ଖେର୍, କହିଲେ ଛବି ସୁଧାରିବା ଅପେକ୍ଷା ସରକାର ଲୋକଙ୍କ ଜୀବନ ବଞ୍ଚାନ୍ତୁ

ନୂୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସାରା ଦେଶକୁ କଲବଲ କରୁଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏଭଳି ମହାସଙ୍କଟରେ ବଲିଉଡର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଦେଶକୁ ନିଜ ନିଜ ସ୍ତରରେ ସାହାଯ୍ୟ କରୁଛନ୍ତି। ଭେଟେରାନ ଅଭିନେତା ଅନୁପମ ଖେର୍ ମଧ୍ୟ ଏହି ମହାମାରୀର ମୁକାବିଲା ପାଇଁ ଚିକିତ୍ସା ଉପକରଣ ଯୋଗାଇବା ଲାଗି ପ୍ରୋଜେକ୍ଟ ହିଲ ଇଣ୍ଡିଆ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି । କିନ୍ତୁ ଏଥର ଅନୁପମ ଏହି ମହତ୍ କାର୍ଯ୍ୟ ପାଇଁ ନୁହେଁ ବରଂ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି | ଦେଶରେ କରୋନା ସ୍ଥିତି ନେଇ ଅନୁପମ ଖେର୍ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଣେ ବଡ଼ ପ୍ରଶଂସକ ଭାବେ ପରିଚିତ ଅନୁପମ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ସରକାର ନିଜ ଛବି ସୁଧାରିବା ପରିବର୍ତ୍ତେ ଲୋକଙ୍କ ଜୀବନ ବଞ୍ଚାଇବା ଉଚିତ୍ ।

ଏନଡିଟିଭିକୁ ଏକ ସାକ୍ଷାତକାରରେ ଅନୁପମ କହିଛନ୍ତି ଯେ ଏହି ମହାମାରୀ ଯୋଗୁଁ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସରକାରଙ୍କୁ ଦାୟୀ କରାଯିବା ଉଚିତ ଏବଂ ଏଭଳି କରିବା ଯଥାର୍ଥ ମନେହୁଏ। ଅନୁପମଙ୍କ ଏହି ମନ୍ତବ୍ୟ ପରଠାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି ଏବଂ ଲୋକେ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି ।

ସାକ୍ଷାତକାର ସମୟରେ ଅନୁପମ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଦେଶରେ ଯାହା ଘଟୁଛି ସେଥିପାଇଁ ସରକାରଙ୍କୁ ଦାୟୀ କରିବା ଜରୁରୀ। ଅଧିକାରୀଙ୍କୁ ଜନସାଧାରଣଙ୍କ ସମାଲୋଚନା ‘ଅନେକ କ୍ଷେତ୍ରରେ ଯଥାର୍ଥ’ ଅଟେ। ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ଭାବମୂର୍ତ୍ତି ସଜାଡ଼ିବା ଅପେକ୍ଷା ଏହି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ | ସ୍ୱାସ୍ଥ୍ୟ ସଙ୍କଟ ପରିଚାଳନାରେ ସରକାରଙ୍କ ପକ୍ଷରୁ କିଛି ଭୁଲ୍ ହୋଇଛି, କିନ୍ତୁ ଅନ୍ୟ ରାଜନୈତିକ ଦଳମାନେ ଏଥିରୁ ଫାଇଦା ଉଠାଇବା ଠିକ୍ ନୁହେଁ।

ସରକାର ସାମ୍ପ୍ରତିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଆଗେଇ ଆସିବା ଉଚିତ ଏବଂ ସେହି ଲୋକମାନଙ୍କୁ ସାହାଯ୍ୟ ‌କରିବା ଉଚିତ ଯେଉଁମାନେ ତାଙ୍କୁ ନିର୍ବାଚିତ କରିଛନ୍ତି ।

ଗଙ୍ଗା ଏବଂ ଅନ୍ୟାନ୍ୟ ନଦୀରେ ମିଳୁଥିବା ମୃତଦେହ ଉପରେ ମଧ୍ୟ ଅନୁପମ ପ୍ରତିକ୍ରିୟା ରଖିଛନ୍ତି । କେବଳ ଜଣେ ଅମଣିଷକୁ ହିଁ ଗଙ୍ଗାରେ ଭାସୁଥିବା ଶବ ଦୃଶ୍ୟ କୌଣସି ଭାବେ ପ୍ରଭାବିତ କରିବ ନାହିଁ ବୋଲି ଅନୁପମ କହିଛନ୍ତି ।