ଶୁକ୍ରବାର ଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ | News Room Odisha

ଶୁକ୍ରବାର ଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ – ଅଷ୍ଟ୍ରେଲିଆ ମାଟିରେ ଅବିଶ୍ୱସନୀୟ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆ ଏବେ ଘରୋଇ ପରିବେଶରେ ଇଂଲଣ୍ଡ ଚାଲେଞ୍ଜ୍ ପାଇଁ ଅଣ୍ଟା ଭିଡିଛି । ଭାରତ-ଇଂଲଣ୍ଡ ଚାରି ମ୍ୟାଚ୍ ସିରିଜର ପ୍ରଥମ ଟେଷ୍ଟ୍ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ପୈତୃକ ଛୁଟି ପରେ ଅଧିନାୟକ ବିରାଟ କୋହଲି ଫେରିଥିବା ବେଳେ ଭାରତ ଘରୋଇ ପରିବେଶରେ ପୁଣି ଏକ ସିରିଜ୍ ବିଜୟ ସହ ନିଜ ଚମତ୍କାର ରେକର୍ଡ ବଜାୟ ରଖିବାକୁ ଚାହିଁବ । ଏହି ସିରିଜ୍ ମଧ୍ୟ ଦୁଇ ଦଳ ପାଇଁ ଗୁରୁତ୍ୱ ବହନ କରୁଛି । କାରଣ ଏହି ସିରିଜର ବିଜେତା ଜୁନରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ସହ ଖେଳିବ ।

କୋଭିଡ୍‌-୧୯ କାରଣରୁ ପ୍ରାୟ ବର୍ଷକ ବ୍ୟବଧାନ ପରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ସହ ଅନ୍ତର୍ଜାତୀୟ କ୍ରିକେଟ୍ ଭାରତକୁ ଫେରିଛି । ସମ୍ପ୍ରତି ବିଶ୍ୱର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱାଧୀନ ଦୁଇ ଟପ୍ ଟିମ୍ ମଧ୍ୟରେ ହେବ ରୋମାଞ୍ଚକ ଲଢେଇ । ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ପାଇଁ ଏହି ଟେଷ୍ଟ ସ୍ୱତନ୍ତ୍ର । ଏହା ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ହେବ । ଭଲ ଫର୍ମରେ ଥିବା ରୁଟ୍ ଏହି ମାଇଲଖୁଣ୍ଟ ମ୍ୟାଚରେ ଦଳକୁ ବିଜୟ ଉପହାର ଦେଇ ଏହାକୁ ଆହୁରି ସ୍ୱତନ୍ତ୍ର କରିବାକୁ ଚାହିଁବେ । ସମ୍ପ୍ରତି ତାଙ୍କ ପାଖରେ ଶ୍ରେଷ୍ଠ ନୂଆ ବଲ୍ ଆକ୍ରମଣ ସହ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର (ବେନ୍ ଷ୍ଟୋକ୍ସ) ମଧ୍ୟ ଅଛନ୍ତି । ତେବେ ପୈତୃକ ଛୁଟି ପରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପରେ ଟିମ୍ ଇଣ୍ଡିଆର ଶକ୍ତି ମଧ୍ୟ ବୃଦ୍ଧି ପାଇଛି । ଅଷ୍ଟ୍ରେଲିଆରେ ଅବିଶ୍ୱସନୀୟ ସିରିଜ ବିଜୟ ପରେ ଏବେ କୋହଲିଙ୍କ ନେତୃତ୍ୱରେ ଭାରତ ପୁଣି ଘରୋଇ ପରିବେଶରେ ଆଧିପତ୍ୟ ଜାହିର କରିବା ପାଇଁ ପ୍ରସ୍ତୁତ । ତେବେ ଇଂଲଣ୍ଡ ଠାରୁ ଭାରତ କଡ଼ା ଆହ୍ୱାନର ସମ୍ମୁଖୀନ ହୋଇପାରେ । କାରଣ ଗତ ୧୫ ବର୍ଷରେ ଇଂଲଣ୍ଡ ହେଉଛି ଏକମାତ୍ର ଦଳ ଯିଏ କି ଭାରତକୁ ଭାରତରେ ହରାଇଛି । ଇଂଲଣ୍ଡ ୨୦୧୨ରେ ଭାରତରେ ୨-୧ରେ ଟେଷ୍ଟ ସିରିଜ୍ ଜିତିଥିଲା । ପୁଣି ଇଂଲଣ୍ଡ ଅଧିନାୟକ ରୁଟ୍ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ଭାରତୀୟ ବୋଲରଙ୍କ ପାଇଁ ବଡ଼ ବିପଦ ସାଜିପାରନ୍ତି । ଏସିଆର ସ୍ପିନ୍ ଟ୍ରାକରେ କିପରି ଖେଳିବାକୁ ହୁଏ, ରୁଟଙ୍କୁ ସେହି କୌଶଳ ଭଲ ଭାବେ ଜଣା । ନିକଟରେ ଶ୍ରୀଲଙ୍କାରେ ସେ ଏହାର ପ୍ରମାଣ ଦେଖାଇଥିଲେ । ଉକ୍ତ ସିରିଜରେ ସେ ଦୁଇଟି ଶତକ ହାସଲ କରିଥିବା ବେଳେ ଇଂଲଣ୍ଡ ୨-୦ରେ ସିରିଜ୍ ସୁଇପ୍ କରିଥିଲା ।

ଇଂଲଣ୍ଡର ଦୁଇ ଅଭିଜ୍ଞ ପେସର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍ ଭାରତୀୟ ଓପନିଂ ଯୋଡି ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଧୈର୍ଯ୍ୟ ଓ ଟେକନିକର ପରୀକ୍ଷା ନେଇପାରନ୍ତି । ପୁଣି ଜୋଫ୍ରା ଆର୍ଚରଙ୍କ ବେଗ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇପାରେ । ଯଦି ପୁରୁଣା ଏସ୍‌ଜି ବଲ୍ ରିଭର୍ସ ସୁଇଂ ହୁଏ ତେବେ ବେନ୍ ଷ୍ଟୋକ୍ସ ମଧ୍ୟ ଏହାର ଫାଇଦା ଉଠାଇ ଘରୋଇ ଦଳର ବ୍ୟାଟିଂ ଲାଇନ ଅପକୁ ଘାଇଲା କରିପାରନ୍ତି ।

ଅଷ୍ଟ୍ରେଲିଆରେ ବିଜୟ ପରେ ଭାରତୀୟ ଦଳର ମନୋବଳ ନିଶ୍ଚିତ ଭାବେ ଉଚ୍ଚ ରହିଛି । କିନ୍ତୁ ବିରାଟ ବାହିନୀ ଇଂଲଣ୍ଡକୁ ହାଲକାରେ ନେବା ଭୁଲ କରିବ ନାହିଁ । ଅଷ୍ଟ୍ରେଲିଆରେ ଭାରତକୁ ସିରିଜ ବିଜୟୀ କରାଇଥିବା ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ଏହା କହିଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ସିରିଜ୍ ଅତୀତ ହୋଇସାରିଛି । ଏବେ ବର୍ତ୍ତମାନର ଚାଲେଞ୍ଜ ଉପରେ ଆମେ ଧ୍ୟାନ ଦେବା ଉଚିତ । ଇଂଲଣ୍ଡ ଏକ ଭଲ ଦଳ । ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବାକୁ ହେଲେ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ବୋଲି ରାହାଣେ କହିଛନ୍ତି ।

India vs England Test Series