ସ୍ପଷ୍ଟ କଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ରାଜ୍ୟରେ ଲାଗିବନି ସମ୍ପୂର୍ଣ୍ଣ ଲକଡାଉନ୍ | News Room Odisha

ସ୍ପଷ୍ଟ କଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ରାଜ୍ୟରେ ଲାଗିବନି ସମ୍ପୂର୍ଣ୍ଣ ଲକଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ସାଧାରଣ ପରିବହନକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ବୋଲି ରାଜେଶ ଟୋପେ କହିଛନ୍ତି। ସେହିପରି ଗୋଟିଏ ଜିଲ୍ଲା ରୁ ଅନ୍ୟ ଜିଲ୍ଲାକୁ ଯିବାକୁ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ରାଜେଶ ଟୋପ କହିଛନ୍ତି, “ବସ୍ ଏବଂ ଟ୍ରେନ୍ ପରି ସାଧାରଣ ପରିବହନ ସେବା ବନ୍ଦ କରିବାକୁ ସରକାର ଚାହୁଁ ନାହାଁନ୍ତି କିନ୍ତୁ ଅନାବଶ୍ୟକ ଯାତ୍ରା କରୁଥିବା ଲୋକଙ୍କୁ ଅଟକାଇ ଦିଆଯିବ। ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଅନୁମତି ନେଇ ଯିବା ଭଲ ହେବ। ଦାବି ଅନୁସାରେ ଆମକୁ ୧୫୫୦ ଏମଟି ଅମ୍ଳଜାନ ଆବଶ୍ୟକ । ଏହା ପୂରଣ କରାଯାଉଛି। ନିଜେ ମହାରାଷ୍ଟ୍ର ସରକାରଙ୍କ ଦ୍ଵାରା ୧୨୫୦ ଏମଟି ଉତ୍ପାଦନ କରାଯାଉଛି। ଅବଶିଷ୍ଟ ୩୦୦ ଏମଟି ବାହାର ରାଜ୍ୟରୁ ଅଣାଯାଉଛି ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ରରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ମଙ୍ଗଳବାର ଦିନ କରୋନା ସଂକ୍ରମଣର ୬୨,୦୯୭ ନୂଆ ମାମଲା ରିପୋର୍ଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯,୬୦,୩୫୯ କୁ ବୃଦ୍ଧି ପାଇଛି। ଏଥି ସହିତ ଦିନକରେ ୫୧୯ ସଂକ୍ରମିତଙ୍କ ମୃତ୍ୟୁ ସହିତ ମୃତକଙ୍କ ସଂଖ୍ୟା ୬୧,୩୪୩ରେ ପହଞ୍ଚିଛି।