ସ୍ପଷ୍ଟ ହେଲା ବିହାର ବିଧାନସଭା ନିର୍ବାଚନର ଚିତ୍ର, ୧୨୫ ଆସନ ସହ ଏନଡିଏକୁ ସ୍ପଷ୍ଟ ବହୁମତ, ମହାମେଂଟକୁ ୧୧୦ ଆସନ, ୭୫ ଆସନ ସହ ଆରଜେଡି ସର୍ବବୃହତ ଦଳ, ୭୪ ଆସନ ସହ ବିଜେପି ଦ୍ୱିତୀୟ | News Room Odisha

ସ୍ପଷ୍ଟ ହେଲା ବିହାର ବିଧାନସଭା ନିର୍ବାଚନର ଚିତ୍ର, ୧୨୫ ଆସନ ସହ ଏନଡିଏକୁ ସ୍ପଷ୍ଟ ବହୁମତ, ମହାମେଂଟକୁ ୧୧୦ ଆସନ, ୭୫ ଆସନ ସହ ଆରଜେଡି ସର୍ବବୃହତ ଦଳ, ୭୪ ଆସନ ସହ ବିଜେପି ଦ୍ୱିତୀୟ

ପାଟନା –ମତଗଣନା ଆରମ୍ଭ ହେବାର ଦୀର୍ଘ ୧୬ ଘଂଟା ପରେ ସ୍ପଷ୍ଟ ହୋଇଛି ବିହାର ବିଧାନସଭା ନିର୍ବାଚନର ଚିତ୍ର । ବିଳମ୍ବିତ ରାତିରେ ମତଗଣନା ଶେଷ ହୋଇଛି । ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ । ନୀତୀଶ କୁମାର ଓ ବିଜେପି କ୍ଷମତା ବଜାୟ ରଖିଛନ୍ତି । ୨୪୩ ଆସନ ମଧ୍ୟରୁ ଏନଡିଏକୁ ମିଳିଛି ୧୨୫ ଆସନ, ଯାହା କି ମ୍ୟାଜିକ ନମ୍ବର ୧୨୨ଠାରୁ ତିନି ଅଧିକ । ଏନଡିଏର କଡା ମୁକାବିଲା କରିଥିବା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡି ମେଂଟ ( ମହାମେଂଟ ) ୧୧୦ ଆସନ ଜିତି କ୍ଷମତାଠାରୁ ଅଳ୍ପ ଦୂରରେ ରହିଯାଇଛି ।

ସମଗ୍ର ନିର୍ବାଚନରେ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇଛି । ଆରଜେଡିକୁ ସର୍ବାଧିକ ୭୫ଟି ଆସନ ମିଳିଛି । ବିଜେପି ୭୪ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ନୀତୀଶ କୁମାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଥିଲେ ମଧ୍ୟ ତାଙ୍କର ଜେଡିୟୁ ଏଥର ମାତ୍ର ୪୩ ଆସନ ମିଳିଛି । ୨୦୧୫ରେ ଜେଡିୟୁକୁ ୭୧ ଆସନ ମିଳିଥିଲା । ନୀତୀଶ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ଏନଡିଏରେ ଜେଡିୟୁ ପ୍ରଥମ ଥର ପାଇଁ ବିଜେପିର ଜୁନିଅର ପାର୍ଟନର ଭାବେ ରହିବ । ନୀତୀଶଙ୍କୁ ବିରୋଧ କରି ଏନଡିଏରୁ ଓହରି ଯାଇଥିବା ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ମାତ୍ର ଗୋଟିଏ ଆସନ ମିଳିଥିଲେ ମଧ୍ୟ ଦଳ ଜେଡିୟୁର କ୍ଷତିସାଧନ କରିଛି ।

କଂଗ୍ରେସକୁ ଏଥର ମଧ୍ୟ ନିରାଶ ହେବାକୁ ପଡିଛି । ଦଳ ଏଥର ୭୦ଟି ଆସନରେ ଲଢିଥିଲେ ମଧ୍ୟ ମାତ୍ର ୧୯ଟିରେ ବିଜୟୀ ହୋଇପାରିଛି । କଂଗ୍ରେସର ଖରାପ ପ୍ରଦର୍ଶନ ହିଁ ଆରଜେଡି ପାଇଁ ବୋଝ ହେଲା ବୋଲି କୁହାଯାଉଛି । ଏଆଇଏମଆଇଏମ ୫ଟି ଆସନ ଜିତିଥିଲା ବେଳେ ବାମପନ୍ଥୀମାନେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୬ଟି ଆସନ ଜିତିଛନ୍ତି । ଆରଜେଡି ମେଂଟରେ ସାମିଲ ଥିବା ବାମଦଳଗୁଡିକ ଏଥର ୨୯ଟି ଆସନରେ ଲଢିଥିଲେ ।

Bihar Assembly Elections 2020 Results