ୟୁପି ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଝଟ୍‌କା, ଅଯୋଧ୍ୟା, ବାରାଣସୀରେ ଧରାଶାୟୀ | News Room Odisha

ୟୁପି ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଝଟ୍‌କା, ଅଯୋଧ୍ୟା, ବାରାଣସୀରେ ଧରାଶାୟୀ

ଲକ୍ଷ୍ନୌ: ପଶ୍ଚିମବଙ୍ଗ ନିର୍ବାଚନ ପରେ ବିଜେପିକୁ ନିଜ ଗଡ଼ ଉତ୍ତର ପ୍ରଦେଶରେ ବି ଝଟକା ଲାଗିଛି । ଉତ୍ତର ପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଦଳ ବିଭିନ୍ନ ଜିଲ୍ଲାରେ ଅମାନତ ହରାଇଛି । ଯଦିଓ ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇନାହିଁ, ବିଜେପି ଅଯୋଧ୍ୟା ଓ ବାରାଣସୀ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ମାଟି କାମୁଡିଛି ।

ବାରଣସୀର ମୋଟ ୪୦ ଜିଲ୍ଲା ପଞ୍ଚାୟତ ଆସନ ମଧ୍ୟରୁ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ୧୫ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପିକୁ ମାତ୍ର ୮ଟି ସିଟ୍ ମିଳିଛି । ଏହି ଜିଲ୍ଲାରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୫ଟି ଏବଂ ଆପନା ଦଳ ତିନୋଟି ସିଟ୍‌ରେ ବିଜୟୀ ହୋଇଛନ୍ତି । ଭାରତୀୟ ସମାଜ ପାର୍ଟି ଗୋଟିଏ ସିଟ୍ ଜିତିଥିବା ବେଳେ ଆଉ ତିନୋଟି ଆସନ ସ୍ୱାଧୀନ ପ୍ରାର୍ଥୀ କବ୍‌ଜା କରିଛନ୍ତି ।

ବାରଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଠାରେ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ।

ସେହିପରି ରାମଲାଲାଙ୍କ ନଗରୀ ଅଯୋଧ୍ୟାରେ ମଧ୍ୟ ବିଜେପିକୁ ନିରାଶ ହେବାକୁ ପଡିଛି । ଏଠାରେ ରାମଲାଲାଙ୍କ ନାମରେ ବର୍ଷ ବର୍ଷ ଧରି ରାଜନୀତି କରୁଥିବା ବିଜେପିକୁ ବହୁତ କ୍ଷତି ହୋଇଛି । ଅଯୋଧ୍ୟାର ମୋଟ ୪୦ ଜିଲ୍ଲା ପଞ୍ଚାୟତ ମଧ୍ୟରୁ ସମାଜବାଦୀ ପାର୍ଟି ୨୪ଟିରେ ଜିତିଥିବା ବେଳେ ବିଜେପିକୁ ମାତ୍ର ୬ଟି ଆସନ ମିଳିଛି । ଅବଶିଷ୍ଟ ୧୦ଟି ଆସନ ମଧ୍ୟର ପିଏସ୍‌ପି ପାଞ୍ଚଟି ଜିତିଥିବା ବେଳେ ଆଉ ପାଞ୍ଚ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଆଉ ମାତ୍ର କିଛି ମାସ ପରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେପି ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି ।