୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବା କ୍ଷଣି କ୍ରାସ୍ ହେଲା କୋ-ଓ୍ବିନ ସର୍ଭର୍ | News Room Odisha

୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବା କ୍ଷଣି କ୍ରାସ୍ ହେଲା କୋ-ଓ୍ବିନ ସର୍ଭର୍

ନୂଆଦିଲ୍ଲୀ: ୧୮ ବର୍ଷରୁ ୪୪ ବର୍ଷ ବୟସର ଲୋକଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି । କିନ୍ତୁ ପଞ୍ଜିକରଣ ଆରମ୍ଭ ହେବାର କିଛି କ୍ଷଣ ମଧ୍ୟରେ କୋ-ଓ୍ବିନ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଆପର ସର୍ଭର କ୍ରାସ୍ ହୋଇଯାଇଛି |

ଟିକା ପାଇଁ ପଞ୍ଜିକରଣ କରିବା ଉଦ୍ଦେଶ୍ୟରେ ବହୁ ସଂଖ୍ୟକ ଲୋକ କୋଭିନ ଆପରେ ପଞ୍ଜିକରଣ କରିବାକୁ ଚାହୁଁଥିଲେ। କିନ୍ତୁ କୋ-ଓ୍ବିନ ପୋର୍ଟାଲରେ ଏକ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ ବର୍ତ୍ତମାନ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ପଞ୍ଜିକରଣ କରାଯାଉଛି।

ଏପରିକି କିଛି ଲୋକ ଅଭିଯୋଗ କରିଛନ୍ତି ଯେ କୋ-ଓ୍ବିନ ପୋର୍ଟାଲରେ ଓଟିପି (ଓ୍ବାନ ଟାଇମ୍ ପାସୱାର୍ଡ) ମଧ୍ୟ ଜେନେରେଟ୍ ହେଉନାହିଁ |

ଆରୋଗ୍ୟ ସେତୁ ଆପ୍ ରେ ମଧ୍ୟ ଲୋକମାନେ ପଞ୍ଜିକରଣ ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ |

ଆରୋଗ୍ୟ ସେତୁ ଆପ୍ ରେ ଏକ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଚାରିଟା ବେଳେ ଏକ ଛୋଟ ବୈଷୟିକ ତ୍ରୁଟି ଥିଲା ଯାହାକୁ ସଂଶୋଧନ କରାଯାଇଛି ଏବଂ 18 ବର୍ଷରୁ ଅଧିକ ବୟସର ଲୋକମାନେ ବର୍ତ୍ତମାନ ଟୀକାକରଣ ପାଇଁ ପଞ୍ଜିକରଣ କରିପାରିବେ |

ଏହାପୂର୍ବରୁ ସରକାର କହିଥିଲେ ଯେ ଏପ୍ରିଲ ୨୮ରୁ ଲୋକମାନେ ଆରୋଗ୍ୟ ସେତୁ ଆପ୍ ଏବଂ କୋ-ଓ୍ବିନ ଆପରେ ଏହି ଟିକା ପାଇଁ ପଞ୍ଜିକରଣ କରିପାରିବେ।