ଗତବର୍ଷ ୧.୬୩ ଲକ୍ଷ ଲୋକ ଭାରତର ନାଗରିକତା ଛାଡ଼ିଥିଲେ | News Room Odisha

ଗତବର୍ଷ ୧.୬୩ ଲକ୍ଷ ଲୋକ ଭାରତର ନାଗରିକତା ଛାଡ଼ିଥିଲେ

ନୂଆଦିଲ୍ଲୀ:ଭାରତର ନାଗରିକତା ଛାଡୁଥିବା ଲୋକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିଛି । ୨୦୨୧ରେ ମୋଟ ୧,୬୩,୩୭୦ ଲୋକ ଭାରତର ନାଗରିକତା ଛାଡିଥିଲେ । ୨୦୨୦ ରେ ଏହି ସଂଖ୍ୟା ୮୫,୨୫୬ ଥିଲା । ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କିତ ତଥ୍ୟ ପ୍ରକାଶ କରିଛି। ୨୦୧୯ ରେ ୧,୪୪,୦୧୭ ଲୋକ ଭାରତର ନାଗରିକତ୍ୱ ଛାଡିଥିଲେ ।

ବହୁଜନ ସମାଜ ପାର୍ଟି ଲୋକସଭା ସାଂସଦ ହାଜି ଫଜଲୁର ରେହମାନଙ୍କ ପ୍ରଶ୍ନର ଉତ୍ତରରେ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି ।

୨୦୧୯ ପର୍ଯ୍ୟନ୍ତ ଦେଶରେ କେତେ ଲୋକ ଭାରତର ନାଗରିକତା ଛାଡିଛନ୍ତି ସେନେଇ ରହମାନ ଗୃହ ମନ୍ତ୍ରଣାଳୟରୁ ସୂଚନା ମାଗିଥିଲେ। ନାଗରିକତା ଛାଡିବାର କାରଣ ଏବଂ ସେ କେଉଁ ଦେଶର ନାଗରିକତା ଗ୍ରହଣ କରିଛନ୍ତି ସେ ବିଷୟରେ ମଧ୍ୟ ସେ ସୂଚନା ମାଗିଥିଲେ।

ସରକାରଙ୍କ ତଥ୍ୟ ଅନୁଯାୟୀ, ନାଗରିକତା ବ୍ୟତୀତ ଯେଉଁ ଦେଶରେ ଭାରତର ଲୋକମାନେ ବସବାସ କରିବାକୁ ଅଧିକ ପସନ୍ଦ କରନ୍ତି, ସେହି ଦେଶ ହେଉଛି ଆମେରିକା।

୨୦୨୦ରେ ୩୦,୮୨୮ ଏବଂ ୨୦୨୧ ମସିହାରେ ୭୮,୨୮୪ ଲୋକ ଭାରତୀୟ ଆମେରିକାର ନାଗରିକତା ଗ୍ରହଣ କରିଥିଲେ ।

ଆମେରିକା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦେଶ, ଯେଉଁଠାରେ ଭାରତୀୟମାନେ ବସବାସ କରିବାକୁ ପସନ୍ଦ କରୁଛନ୍ତି। ଗତ ବର୍ଷ ୨୩,୫୩୩ ଭାରତୀୟ ଅଷ୍ଟ୍ରେଲୀୟ ନାଗରିକତା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ୨୦୨୦ରେ ୧୩,୫୧୮ ଭାରତୀୟ ଅଷ୍ଟ୍ରେଲିଆର ନାଗରିକତ୍ୱ ଗ୍ରହଣ କରିଥିଲେ।

ବହୁ ସଂଖ୍ୟକ ଭାରତୀୟ ଚାକିରୀ ଏବଂ ଅଧ୍ୟୟନ ପାଇଁ କାନାଡା ଯାଆନ୍ତି, କିନ୍ତୁ ୨୦୨୧ ମସିହାରେ କେବଳ ୨୧,୫୯୭ ଲୋକ କାନାଡା ନାଗରିକତା ଗ୍ରହଣ କରିଥିଲେ ।