ମହାରାଷ୍ଟ୍ର: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ | News Room Odisha

ମହାରାଷ୍ଟ୍ର: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ

ଅହମ୍ମଦନଗର: ଶନିବାର ସକାଳେ ମହାରାଷ୍ଟ୍ରର ଅହମ୍ମଦନଗରର ସିଭିଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ କୋଭିଡ୍ ରୋଗୀ ଥିଲେ ବୋଲି ଜଣାପଡିଛି । ଏଥିସହ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହେବାର ଖବର ମଧ୍ୟ ଅଛି | ନିଆଁରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ଆରମ୍ଭ ହୋଇଛି। ୨୦ ରୁ ଅଧିକ ଲୋକଙ୍କୁ ନିକଟସ୍ଥ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ହସ୍ପିଟାଲ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି। ସେପଟେ ଅନେକ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।

ଆଜି ଦିନ ପ୍ରାୟ ୧୧:୩୦ ସମୟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ଆଇସିୟୁ ୱାର୍ଡରେ ୨୦ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଭେଣ୍ଟିଲେଟରରେ ମଧ୍ୟ ଥିଲେ। ୱାର୍ଡ ବୟ, ନର୍ସ ଏବଂ ହସ୍ପିଟାଲର ଡାକ୍ତରମାନେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ୱାର୍ଡକୁ ସ୍ଥାନାନ୍ତର କରିଥିଲେ। ସୂଚନା ଅନୁଯାୟୀ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା ​​ତାହା ଡାକ୍ତରଖାନା ମଝିରେ ଅଛି।

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ତେବେ ଏହା ସର୍ଟ ସର୍କିଟ ଯୋଗୁଁ ଘଟିଥିବା ମନେ କରାଯାଉଛି ।