ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ | News Room Odisha

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ

ବ୍ୟାଙ୍କକ୍ : କାମ୍ବୋଡିଆର ଏକ ହୋଟେଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ହୋଟେଲ କାସିନୋ ଗ୍ରାଣ୍ଡ ଡାଇମଣ୍ଡ ସିଟିରେ ଏହି ଘଟଣା ଘଟିଛି । ଏହି ହୋଟେଲ କାମ୍ବୋଡିଆ ଓ ଥାଇଲ୍ୟାଣ୍ଡର ସୀମାନ୍ତ ସହର ପୋଇପେଟରେ ଅଛି |
ବୁଧବାର ଅପରାହ୍ନ ପ୍ରାୟ ୪:୩୦ଟା ବେଳେ ହୋଟେଲରେ ନିଆଁ ଲାଗିଯାଇଥିଲା। ପୋଲିସର ସୂଚନାନୁସାରେ, ସେତେବେଳେ ହୋଟେଲରେ ପ୍ରାୟ ୪୦୦ ଲୋକ ଥିଲେ।

ସୋସିଆଲ ମିଡିଆରେ ଏହି ଘଟଣାର କିଛି ଭିଡିଓରେ ହୋଟେଲର ଉପର ମହଲାରୁ ଲୋକମାନେ ଡେଉଁଥିବା ଦେଖିବାକୁ ମିଳୁଛି |

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡର ଅନେକ ଲୋକ ମଧ୍ୟ ହୋଟେଲରେ ଉପସ୍ଥିତ ଥିଲେ।

ଅଗ୍ନିକାଣ୍ଡର କାରଣର ତଦନ୍ତ କରାଯାଉଛି। ଥାଇଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ କିଛି ଆହତଙ୍କୁ ଥାଇଲ୍ୟାଣ୍ଡର ସା ଆଓ ପ୍ରଦେଶର ଡାକ୍ତରଖାନାକୁ ନିଆଯାଇଛି।

ପୋଇପେଟ୍ ସହର ହେଉଛି ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳ | ଏଠାରେ ବହୁ ଜଣାଶୁଣା କାସିନୋ ଅଛି । ଥାଇଲାଣ୍ଡରେ ଜୁଆ ଖେଳ ବେଆଇନ ହୋଇଥିବାରୁ ଅଧିକାଂଶ ଥାଇ ନାଗରିକ ଏଠାକୁ ଆସନ୍ତି ।