ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି, ଏନସିବି ଟିମର ରେଡ୍, ବଲିଉଡ୍ ସୁପରଷ୍ଟାରଙ୍କ ପୁଅ ସମେତ ୧୦ ଅଟକ | News Room Odisha

ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି, ଏନସିବି ଟିମର ରେଡ୍, ବଲିଉଡ୍ ସୁପରଷ୍ଟାରଙ୍କ ପୁଅ ସମେତ ୧୦ ଅଟକ

ମୁମ୍ବାଇ: ସମୁଦ୍ରରେ ଏକ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରେଡ୍ କରିଛି। ଜାହାଜରେ ଥିବା ଜଣେ ବଲିଉଡ୍ ସୁପରଷ୍ଟାରଙ୍କ ପୁଅ ସମେତ ୧୦ ଜଣଙ୍କୁ ଅଟକ ରଖାଯାଇଛି। ଏନସିବି ଏପର୍ଯ୍ୟନ୍ତ ଉକ୍ତ ବଲିଉଡ୍ ଅଭିନେତାଙ୍କ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। ‘କର୍ଡେଲିଆ ଦି ଇମ୍ପ୍ରେସ୍’ ନାମକ ଏକ ଜାହାଜରେ ଏନସିବି ଏହି ରେଡ୍ କରିଥିଲା କରିଥିଲା। ଏହି ଅପରେସନ୍ ବହୁ ଘଣ୍ଟା ଧରି ଚାଲିଥିଲା ​​|

ଉକ୍ତ କ୍ରୁଜ୍ ଜାହାଜରେ ଏକ ଡ୍ରଗ୍ ପାର୍ଟି ଚାଲିଥିବା ନେଇ ସୂଚନା ପାଇବା ପରେ ଏନସିବି ଟିମ୍ ଅପରେସନ ଆରମ୍ଭ କରିଥିଲା । ଏନସିବି ଅଧିକାରୀମାନେ ନିଜକୁ ଯାତ୍ରୀ ଭାବରେ ପରିଚୟ ଦେଇ କ୍ରୁଜରେ ଚଢିଥିଲେ। ଏହାପରେ ଡ୍ରଗ୍ସ ପାର୍ଟି ଉପରେ ସେମାନେ ରେଡ୍ କରିଥିଲେ। ସୂଚନାନୁସାରେ, ଜାହାଜରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି। ଏହାର ମୂଲ୍ୟ ବହୁ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୂଚନାନୁସାରେ, ଜବତ ହୋଇଥିବା ଡ୍ରଗ୍ସ ମଧ୍ୟରେ ଏମଡି କୋକ୍ ଏବଂ ହ୍ୟାଶିଶ୍ ଭଳି‌ ନିଷିଦ୍ଧ‌ ନିଶାଦ୍ରବ୍ୟ ରହିଛି ।

ସୂଚନା ଅନୁଯାୟୀ, ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ଏହି ଅପରେସନର ନେତୃତ୍ୱ ନେଇଥିଲେ। ସେ ତାଙ୍କ ଦଳ ସହିତ ମୁମ୍ବାଇରେ ସେହି ଜାହାଜରେ ଚଢ଼ାଉ କରିଥିଲେ । ଜାହାଜ ସମୁଦ୍ର କୂଳରେ ପହଞ୍ଚିବା ପରେ ସେଠାରେ ଡ୍ରଗ୍ ପାର୍ଟି ଆରମ୍ଭ ହୋଇଥିଲା। ପାର୍ଟିରେ ଲୋକଙ୍କୁ ଡ୍ରଗ୍ସ ନେଉଥିବାର ଦେଖି ଦଳ ଅପରେସନ୍ ଆରମ୍ଭ କରିଥିଲେ। ଏହି ଚଢାଉ ଜାରି ରହିଛି ଏବଂ ଧରାପଡିଥିବା ସମସ୍ତଙ୍କୁ ରବିବାର ମୁମ୍ବାଇ ଅଣାଯିବ।

ଡ୍ରଗ୍ ପାର୍ଟି ଚାଲିଥିବା ଏହି କ୍ରୁଜରେ ପ୍ରବେଶ ଶୁଳ୍କ ୬୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଇଥିଲା। ଏନସିବି ରେଡ୍ ସମୟରେ ପ୍ରାୟ ୬୦୦ ହାଇ ପ୍ରୋଫାଇଲ୍ ଲୋକ ଏହି କ୍ରୁଜରେ ଉପସ୍ଥିତ ଥିଲେ । ଏହି ବିଳାସମୟ କ୍ରୁଜ୍ ଜାହାଜର କ୍ଷମତା ପ୍ରାୟ ୧୮୦୦ ବୋଲି କୁହାଯାଇଛି | ଏହି ସମସ୍ତ ବଡ ହାଇ ପ୍ରୋଫାଇଲ୍ ଲୋକଙ୍କୁ ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏହି ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା | ଡାକରେ କିଟ୍ ମାଧ୍ୟମରେ କିଛି ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯାଇଥିଲା |