ନୂଆ ସଂସଦ ଭବନ ବିଷୟରେ ୧୦ଟି ଖାସ୍ କଥା | News Room Odisha

ନୂଆ ସଂସଦ ଭବନ ବିଷୟରେ ୧୦ଟି ଖାସ୍ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଭବନକୁ ଉଦଘାଟନ କରିଛନ୍ତି। ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସଂସଦ ଭବନ ଲୋକାର୍ପିତ ହୋଇଛି। ପୁରୁଣା ସଂସଦ ଅପେକ୍ଷା ନୂଆ ସଂସଦ ଭବନ ଅଧିକ ବିଳାସପୂର୍ଣ୍ଣ ଓ ବହୁତ ବଡ଼। ନୂଆ ସଂସଦ ଗୃହ ସଂପୂର୍ଣ୍ଣ ଡିଜିଟାଇଜ୍ ହୋଇଛି ଅର୍ଥାତ‌ ଏହା ସମ୍ପୂର୍ଣ୍ଣ ପେପରଲେସ୍ ‌‌‌‌‌ହେବ। ନୂଆ ସଂସଦରେ ମନ୍ତ୍ରୀମାନଙ୍କ ପାଇଁ ୯୨ଟି କାର୍ଯ୍ୟାଳୟ ନିର୍ମାଣ କରାଯାଇଛି।

ନୂଆ ସଂସଦ ଭବନ ବିଷୟରେ ୧୦ ଗୁରୁତ୍ୱପୂର୍ଣ୍ଣ କଥା:

(୧) ତ୍ରିକୋଣୀୟ ଆକାର: ନୂଆ ସଂସଦ ଭବନର ଆକାର ତ୍ରିକୋଣୀୟ । ଏହାର କାରଣ ହେଉଛି ଏହା ଏକ ତ୍ରିକୋଣୀୟ ଜମି ଉପରେ ନିର୍ମିତ । ବାସ୍ତୁଶାସ୍ତ୍ରୀ ବିମଲ ପଟେଲଙ୍କ କହିବା ଅନୁଯାୟୀ ଏହି ଆକାର ବିଭିନ୍ନ ଧର୍ମରେ ପବିତ୍ର ଜ୍ୟାମିତିର ସଙ୍କେତକୁ ମଧ୍ୟ ସୂଚାଏ।

(୨) ନିର୍ମାଣ ଅଞ୍ଚଳ: ନୂଆ ସଂସଦ ଗୃହ ତିନି ମହଲା ବିଶିଷ୍ଟ ଏବଂ ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ । ଏହି ସଂସଦର ଲୋକସଭା ପ୍ରକୋଷ୍ଠରେ ୮୮୮ଟି ଆସନ ରହିଛି। ନୂଆ ସଂସଦ ଭବନରେ ସେଣ୍ଟ୍ରାଲ ହଲ୍ ନଥିବାରୁ ଲୋକସଭା ପ୍ରକୋଷ୍ଠରେ ଉଭୟ ଗୃହର ମିଳିତ ଅଧିବେଶନ ଅନୁଷ୍ଠିତ ହେବ। ଲୋକସଭାରେ ଏକାଥରକେ ୧୨୭୨ ଲୋକ ବସିପାରିବେ |

(୩) ଲୋକସଭା: ନୂଆ ଲୋକସଭା ପ୍ରକୋଷ୍ଠ ଏକ ମୟୂର ଥିମ୍ ଉପରେ ନିର୍ମିତ ହୋଇଛି । କାନ୍ଥ ଏବଂ ଛାତରେ ଜାତୀୟ ପକ୍ଷୀର ଡିଜାଇନ୍ କରାଯାଇଛି। ରାଜ୍ୟସଭା ପ୍ରକୋଷ୍ଠର ଥିମ୍ କମଳ ବା ପଦ୍ମ ଫୁଲ ରହିଥିବା ବେଳେ ଏହା ଲାଲ୍ କାର୍ପେଟରେ ସଜାଯାଇଛି | ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏକ ବେଞ୍ଚରେ ଦୁଇଜଣ ସାଂସଦ ବସିପାରିବେ ଏବଂ ପ୍ରତ୍ୟେକ ସାଂସଦଙ୍କ ଡେସ୍କରେ ଟଚ୍ ସ୍କ୍ରିନ୍ ରହିବ ।

(୪) ରାଜ୍ୟସଭା: ନୂଆ ସଂସଦର ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ଭଳି ବ୍ୟବସ୍ଥା ରହିଛି। ଭବିଷ୍ୟତରେ ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟା ବଢ଼ିପାରେ, ତେଣୁ ଆସନ ସଂଖ୍ୟା ଅଧିକ କରାଯାଇଛି।

(୫) ସମ୍ବିଧାନ ହଲ୍: ନୂଆ ସଂସଦ କୋଠାରେ ଏକ ସମ୍ବିଧାନ ହଲ୍ ଅଛି, ଯେଉଁଠାରେ ଭାରତୀୟ ଗଣତନ୍ତ୍ରର ଯାତ୍ରାର ଦସ୍ତାବିଜକରଣ କରାଯାଇଛି | ମହାତ୍ମା ଗାନ୍ଧୀଙ୍କ ୧୬ ଫୁଟ ଉଚ୍ଚର ପିତ୍ତଳ ପ୍ରତିମୂର୍ତ୍ତି ପୁରୁଣା ଏବଂ ନୂଆ ସଂସଦ ଗୃହ ମଧ୍ୟରେ ଥିବା ଲନ୍ ଉପରେ ସ୍ଥାପନ କରାଯାଇଛି ।

(୬) କାର୍ଯ୍ୟାଳୟ ଜାଗା: ପୁରୁଣା ସଂସଦ ଭବନର ତିନୋଟି କମିଟି କକ୍ଷ ଥିଲା । କିନ୍ତୁ ନୂଆ ସଂସଦ ଭବନର ୬ଟି କମିଟି କକ୍ଷ ଅଛି | ଏଥିସହ ମନ୍ତ୍ରିମଣ୍ଡଳର କାର୍ଯ୍ୟାଳୟ ଭାବେ ୯୨ଟି କକ୍ଷ ରହିଛି ।

(୭) ଦେଶର ବିଭିନ୍ନ ସ୍ଥାନରୁ ନିର୍ମାଣ ସାମଗ୍ରୀ: ନୂଆ ସଂସଦ ଭବନର ନିର୍ମାଣ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ନିର୍ମାଣ ସାମଗ୍ରୀ ଅଣାଯାଇଛି | ଏଥିମଧ୍ୟରୁ ଧୌଲପୁରର ସରମଥୁରାରୁ ବାଲୁକା ପଥର ଏବଂ ରାଜସ୍ଥାନର ଜୈସଲମେରର ଲାଖା ଗ୍ରାମରୁ ଗ୍ରାନାଇଟ୍ ବ୍ୟବହାର କରାଯାଇଛି | ସେହିଭଳି ଆସବାବପତ୍ରରେ ବ୍ୟବହୃତ କାଠ ନାଗପୁରରୁ ଆସିଥିବା ବେଳେ ମୁମ୍ବାଇର କାରିଗରମାନେ କାଷ୍ଟକୃତି ଗୁଡ଼ିକର ଡିଜାଇନ୍ କରିଛନ୍ତି | ଏହି ସଂସଦ ଭବନ ପାଇଁ ଉତ୍ତର ପ୍ରଦେଶର ଭଦୋହିର ବୁଣାକାରମାନେ ପାରମ୍ପାରିକ ହାତବୁଣା କାର୍ପେଟ ତିଆରି କରିଛନ୍ତି ।

(୮) ଜାତୀୟ ପ୍ରତୀକ: ଏହି ଭବନରେ ଥିବା ଜାତୀୟ ପ୍ରତୀକ (ଅଶୋକଙ୍କ ସିଂହ)ର ଓଜନ ୯,୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ୬.୫ ମିଟର | ଏହା ଦୂରରୁ ଦୃଶ୍ୟମାନ ହେଇପାରୁଛି । ନୂଆ ସଂସଦର ପ୍ରବେଶ ଦ୍ଵାରରେ ଅଶୋକ ଚକ୍ର ଏବଂ ‘ସତ୍ୟମେବ ଜୟତେ’ ଶବ୍ଦ ପଥରରେ ଖୋଦିତ ହୋଇଛି।

(୯) ନୂଆ ସଂସଦ ନିର୍ମାଣର ମୂଲ୍ୟ: ନୂଆ ସଂସଦ ଭବନର ନିର୍ମାଣ ମୂଲ୍ୟ ସ୍ପଷ୍ଟ ଜଣାପଡ଼ି ନାହିଁ। ପ୍ରାରମ୍ଭିକ ଚୁକ୍ତି ଅନୁଯାୟୀ ଟାଟା ପ୍ରୋଜେକ୍ଟକୁ ୮୬୧.୯ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ପ୍ରକଳ୍ପ ଆରମ୍ଭ ହେବା ବେଳକୁ ଏହାର ମୂଲ୍ୟ ୯୭୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହାର ନିର୍ମାଣରେ ୧,୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା କିଣାଯାଇଥିବା କଳାକୃତି ପାଇଁ ୨୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ । ସରକାର ଏପର୍ଯ୍ୟନ୍ତ ଚୂଡାନ୍ତ ନିର୍ମାଣ ମୂଲ୍ୟ ଘୋଷଣା କରିନାହାଁନ୍ତି। ସଂସଦ ଗୃହ ନିର୍ମାଣ କାର୍ଯ୍ୟରେ ୬୦,୦୦୦ ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ ।

(୧୦) ଡିଜିଟାଲ୍ ପରିବେଶ: ନୂଆ ସଂସଦକୁ ପରିବେଶ ଅନୁକୂଳ କରିବା ଉଦ୍ଦେଶ୍ୟରେ ସମସ୍ତ ରେକର୍ଡ, ଗୃହକାର୍ଯ୍ୟ, ପ୍ରଶ୍ନକାଳ ଏବଂ ଅନ୍ୟାନ୍ୟ ବ୍ୟବସାୟ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରାଯାଉଛି | ଏଥିପାଇଁ ନୂଆ ସଂସଦ ଗୃହରେ ଟାବଲେଟ୍ ଓ ଆଇପ୍ୟାଡ୍ ରହିବ ଯାହା ଦ୍ବାରା ସବୁ କାର୍ଯ୍ୟ ସମ୍ପାଦିତ ହେବ |