ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ମାମଲାରେ ୧୦୦ ଏଫ୍ଆଇଆର୍, ୬ ଗିରଫ | News Room Odisha

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ମାମଲାରେ ୧୦୦ ଏଫ୍ଆଇଆର୍, ୬ ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ଆପତ୍ତିଜନକ ପୋଷ୍ଟର । ଏହି ମାମଲାରେ ଦିଲ୍ଲୀ ପୋଲିସ ଏଯାବତ୍ ୧୦୦ଟି ଏଫ୍ଆଇଆର୍ ରୁଜୁ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଛି। ସ୍ବତନ୍ତ୍ର ସିପି ଦୀପେନ୍ଦ୍ର ପାଠକ ଏହି ସୂଚନା ଦେଇଛନ୍ତି | ପ୍ରିଣ୍ଟିଂ ପ୍ରେସ୍ ଏବଂ ସମ୍ପତ୍ତି ଆଇନର ଦଫା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ପୋଷ୍ଟର ଗୁଡ଼ିକରେ ପ୍ରିଣ୍ଟିଂ ପ୍ରେସର ସବିଶେଷ ତଥ୍ୟ ନାହିଁ। ଦିଲ୍ଲୀରେ ଏପରି ୫୦,୦୦୦ ପୋଷ୍ଟର ଲଗାଇବାକୁ ଯୋଜନା ଥିବା ପୋଲିସ ପ୍ରକାଶ କରିଛି।

ସ୍ପେଶାଲ ସିପି କହିଛନ୍ତି, ଆମ୍ ଆଦମୀ ପାର୍ଟି (ଆପ୍) କାର୍ଯ୍ୟାଳୟରୁ ବାହାରୁଥିବା ଏକ ଭ୍ୟାନକୁ ଅଟକାଇ ଯାଞ୍ଚ୍ କଲାବେଳେ ସେଥିରୁ କିଛି ପୋଷ୍ଟର ଜବତ କରାଯାଇଥିଲା।ଗାଡିର ଡ୍ରାଇଭର ସହ ମାଲିକ ବିଷ୍ଣୁ ଶର୍ମାଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ଏକ ପ୍ରିଣ୍ଟିଂ ପ୍ରେସର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଯେଉଁ ୬ ଜଣଙ୍କୁ ଗିରଫ କରାଯାଇଥିଲା ସେମାନେ ଜାମିନରେ ମୁକୁଳିଛନ୍ତି ।

କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କିଛି ଆପତ୍ତିଜନକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିରେ ‘ମୋଦୀ ହଟାଓ, ଦେଶ ବଚାଓ’ ଲେଖାଯାଇଥିଲା । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏପରି ପୋଷ୍ଟର ନେଇ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସିଥିଲା ଓ ପ୍ରାୟ ୨,୦୦୦ ପୋଷ୍ଟର ହଟାଇଥିଲା।