ଏନଏମଏର ପ୍ରସ୍ତାବିତ ବାଇ ଲ’ ବିରେଧରେ ବଢୁଛି ଅସନ୍ତୋଷ, ପ୍ରତ୍ୟାହାର ଅନୁରୋଧ କରି ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | News Room Odisha

ଏନଏମଏର ପ୍ରସ୍ତାବିତ ବାଇ ଲ’ ବିରେଧରେ ବଢୁଛି ଅସନ୍ତୋଷ, ପ୍ରତ୍ୟାହାର ଅନୁରୋଧ କରି ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ -ଏସଜେଟିଏର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଜାତୀୟ କୀର୍ତ୍ତିରାଜି ସଂରକ୍ଷଣ କର୍ତ୍ତୃପକ୍ଷ – ଏନଏମଏକୁ ପ୍ରସ୍ତାବିତ ବାଇ ଲ’ ଡ୍ରାଫ୍ ନୋଟିଫିକେସନ ପ୍ରତ୍ୟାହାର କରିବା ପାଇଁ ଚିଠି ଲେଖିଛନ୍ତି । ଏମଏମଏ ନିୟମ ବଳରେ ପୁରୀରେ ଶ୍ରୀମନ୍ଦିର ସମେତ ୮ଟି କୀର୍ତ୍ତିରାଜି କଟକଣା ପରିଧିରେ ସ୍ଥାନିତ ହୋଇଛି । ପ୍ରସ୍ତାବିତ ବାଇ ଲ’ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଂଚଳ ପାଇଁ କଟକଣା ଜାରି ହେବ । ପ୍ରଥମ ୧୦୦ ମିଟର ଅଂଚଳ ପାଇଁ କଟକଣା ଜାରି ହେବ । କୌଣସି ପ୍ରକାର ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ । ମନ୍ଦିରର ଚାରିପଟେ ୨୦୦ ମିଟର ପରିମିତ ଅଂଚଳକୁ ନିୟନ୍ତ୍ରିତ ଅଂଚଳ ଭାବେ ଘୋଷଣା କରାଯିବ । ଏହି ଅଂଚଳରେ ନିର୍ମାଣ ପାଇଁ ଏନଏମଏର ମଂଜୁରୀ ଆବଶ୍ୟକ ।

ଏନଏମଏର ପ୍ରସ୍ତାବିତ ବାଇ ଲ’ ଦ୍ୱାରା ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣରେ ବାଧା ସୃଷ୍ଟି ହେବ । ତେଣୁ ଏହାକୁ ଜୋରଦାର ବିରୋଧ କରାଯାଇଛି । ଶ୍ରୀମନ୍ଦିରର ବିଭିନ୍ନ ସେବାୟତ ନିଯୋଗ ପ୍ରସ୍ତାବିତ ବାଇ ଲ’ ବିରୋଧରେ ମତ ଦେବ ବୋଲି ଘୋଷଣା କରିସାରିଛି । ମତାମତ ଦେବା ପାଇଁ ଏନଏମଏ ଏହି ମାସ ୧୮ ତାରିଖକୁ ସମୟସୀମା ଧାର୍ଯ୍ୟ କରିଛି ।

ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଏନଏମଏର ପ୍ରସ୍ତାବିତ ବାଇ ଲ’ କୁ ବିରୋଧ କରିଛନ୍ତି । ପୁରୀ ସୌନ୍ଦର୍ଯ୍ୟକରଣ କୀମକୁ ଦିଗହରା କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି ବୋଲି ପିନାକୀ ମିଶ୍ର ଟ୍ୱିଟ୍ କରି କହିଛନ୍ତି । ଓଡିଆଙ୍କ ଭାବାବେଗକୁ ଏହା ଗଭୀର ଆଘାତ ଦେଇଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ପ୍ରଭାବିତ ହେବ ବୋଲି ପୁରୀ ସାଂସଦ କହିଛନ୍ତି ।

Puri Jagannath Temple