ବିସ୍ମୟ ମହିଳା ପୂର୍ଣ୍ଣମାସୀ ଜାନୀ | News Room Odisha

ବିସ୍ମୟ ମହିଳା ପୂର୍ଣ୍ଣମାସୀ ଜାନୀ

By- Rakesh Rath 

ଯିଏ ତାଙ୍କ ସମ୍ପର୍କରେ ଶୁଣିବ, ସେ ହୁଏତ ହଠାତ୍ ବିଶ୍ବାସ କରିବନି। ହେଲେ ଯେବେ ଥରେ ସାକ୍ଷାତ କରିବ, ବିଶ୍ବାସ ନକରି ରହିପାରିବନି। ଲକ୍ଷାଧିକ ଭଜନ, ଜଣାଣ, ଆଧ୍ୟାତ୍ମିକ କବିତା ତାଙ୍କ ତୁଣ୍ଡରୁ ବାହାରି ଆସିଛି, ହେଲେ ଥରୁଟିଏ ବି ପୁନରାବୃତ୍ତି ହୋଇନି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ସେ କେବେ କୌଣସି ବିଦ୍ୟାଳୟର ଛାତ୍ରୀ ନଥିଲେ। ଅଥଚ ତାଙ୍କ ପାଟିରୁ ଅନର୍ଗଳ ଜଣାଣ ଯେଉଁଥିରେ କି ଆଧ୍ୟାତ୍ମିକତାର ଗୁଢ଼ ରହସ୍ୟ ରହିଥାଏ ତାହା ଛୁଟି ଆସେ । ଏକବିଂଶ ଶତାବ୍ଦୀରେ ଏହା କୌଣସି ବିସ୍ମୟ ଠାରୁ କମ୍ ନୁହେଁ । ସତେ ଯେମିତି ଯେତେବେଳେ ସେ ଧ୍ୟାନସ୍ଥ ହୁଅନ୍ତି ମୁନୀ ଋଷିମାନେ ଅଦୃଶ୍ୟ ଭାବେ ତାଙ୍କ କଣ୍ଠରେ ବିଜେ କରି ସଙ୍ଗୀତ ସୃଷ୍ଟି କରନ୍ତି। ଅନେକ ତ ଏହାକୁ ଅଲୌକିକତାର ସାକ୍ଷାତ ନିଦର୍ଶନ ବୋଲି କହିବାକୁ ପଛାଇ ନଥାନ୍ତି । ଏଭଳି ଜଣେ ମହିଳା ହେଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଚାରିପଡ଼ା ନିବାସୀ ପୂର୍ଣ୍ଣମାସୀ ଜାନୀ। ସାଧାରଣରେ ସେ ଟାଡ଼ିସରୁ ବାଈ ନାମରେ ଖ୍ୟାତ । ଆଉ ଏବେ ଭାରତ ସରକାରଙ୍କ ଦ୍ବାରା ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହେବା ପରେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏକ ଅଖ୍ୟାତ ଛୋଟିଆ ଗାଁର ଏହି ମହିୟସୀ ନାରୀଜଣକ ସାରା ରାଜ୍ୟରେ ପୂର୍ବାପେକ୍ଷା ଅଧିକ ଚର୍ଚ୍ଚିତ ହୋଇ ଉଠିଛନ୍ତି। କନ୍ଧମାଳ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ସେ ପାଇବେ ‘ପଦ୍ମଶ୍ରୀ’।

ଏଭଳି ଏକ ବିଚିତ୍ର ନାମ ପଛର ରହସ୍ୟ ମଧ୍ୟ ସେତିକି ଚମକପ୍ରଦ, ଯେତିକି ତାଙ୍କ ପରିଚୟ ଓ ପ୍ରତିଭା ବିସ୍ମୟକର ଅଟେ । ଜୀବନରେ କେବେ ବିଦ୍ୟାଳୟରେ ପାଦ ରଖି ନଥିବା, କମ୍ ବୟସରେ ବିବାହ ପରେ ନିଜର ୬ ସନ୍ତାନଙ୍କୁ ସ୍ବଳ୍ପ ବୟସରେ ହରାଇବା ପରେ ତାଙ୍କ ଜୀବନ ନେଇଥିଲା ଭିନ୍ନ ଏକ ମୋଡ଼।ଭବିଷ୍ୟଦ୍ରଷ୍ଟା ବୋଲି କୁହାଯାଉଥିବା ନିକଟସ୍ଥ ଝଗଡ଼ପଟାର ଜଣେ କନ୍ଧ ବାଳକ ସାରନନ୍ଦଙ୍କ ନିକଟରେ ଏକଦା ଈଶ୍ବରବିଶ୍ବାସୀ ସ୍ବାମୀ ଆରାଧନା ଜାନୀଙ୍କ ସହ ପହଞ୍ଚନ୍ତି ପୂର୍ଣ୍ଣମାସୀ । ସେଠି ସତେ ଯେମିତି ବିଚିତ୍ର ଘଟଣା ଘଟିଗଲା । ଖୋଦ୍ ପୂର୍ଣ୍ଣମାସୀଙ୍କ କହିବା ମୁତାବକ ଯେଉଁ ମୁନିଋଷିମାନେ ସାରନନ୍ଦଙ୍କ ଠାରେ ବିଜେ ହୋଇ ଭବିଷ୍ୟବାଣୀ କରୁଥିଲେ, ସେମାନେ ସଶରୀରେ ଆବିର୍ଭାବ ହୋଇ ପୂର୍ଣ୍ଣମାସୀଙ୍କୁ ସିଦ୍ଧି ପ୍ରଦାନ ପାଇଁ ଇଚ୍ଛା ପ୍ରକଟ କରନ୍ତି।

୧୯୬୯ ମସିହା ବୈଶାଖ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ ବପଲମେଣ୍ଡି ଗ୍ରାମ ନିକଟସ୍ଥ ଟାଡ଼ିସରୁ ପର୍ବତରେ ତପସ୍ୟାରତ ହୁଅନ୍ତି ସେ । ମହର୍ଷି ପୌଲସ୍ତ୍ୟ, ମହର୍ଷି ବାଲ୍ମିକୀ, ସତୀ କନ୍ୟା ଅହଲ୍ୟା, ମଦନା, କୁସୁମଲତାଙ୍କ ଭଳି ଦିବ୍ୟାତ୍ମାଙ୍କ ଆଶୀର୍ବାଦ ସହ ସିଦ୍ଧିପ୍ରାପ୍ତ କରନ୍ତି ସେ। ସ୍ଥାନୀୟ ଆଦିବାସୀଙ୍କ ଭାଷାରେ ଟାଡ଼ିର ଅର୍ଥ ତୀଖ ଓ ସରୁର ଅର୍ଥ ପର୍ବତ । ତୀଖ ପର୍ବତରେ ସାଧନା କରି ସିଦ୍ଧି ପାଇଥିବାରୁ ସେ ଟାଡ଼ିସରୁ ବାଈ ନାମରେ ପରିଚିତ ହୁଅନ୍ତି ।

ଯଦିଓ ଜନ୍ମ ବାବଦରେ ଅଧିକ ଜଣାନାହିଁ , ତେବେ ୧୯୪୪ ମସିହାରେ ଖଜୁରୀପଡ଼ା ବ୍ଲକର ଦଳପଡ଼ା ଜାନୀ ସାହିରେ ଭୂମିଷ୍ଠ ହୁଅନ୍ତି ପୂର୍ଣ୍ଣମାସୀ। ତାଙ୍କ ପିତା ଥିଲେ ନୀଳକଣ୍ଠ ଜାନୀ, ମାଆ ଥିଲେ ରାଣୀମାତା। ପିଲାଦିନୁ ମାଆଛେଉଣ୍ଡ ହୋଇ ଗରିବ ପରିବାରରେ ବଢ଼ିଥିବା ପୂର୍ଣ୍ଣମାସୀ ଚାଷବାସ, ଖଲି ସିଲେଇ, ବଣରୁ କାଠ ଆଣିବା କାମ କରୁଥିଲେ। ବିବାହ ପରେ ବି ସେଇ ଜୀବନ। ସ୍ୱାମୀଙ୍କ ଘରେ ବି ସମାନ ଅବସ୍ଥା ଦେଇ ଗତି କରିଥିଲେ ସେ। ହେଲେ ସନ୍ତାନମାନଙ୍କୁ ହରାଇବା ପରେ ଆଧ୍ୟାତ୍ମିକତା ଆଡ଼କୁ ଟାଣି ହୋଇଥିଲେ ପୂର୍ଣ୍ଣମାସୀ ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରସିଦ୍ଧି ଆଣିଦେଇଛି। ସିଦ୍ଧିପ୍ରାପ୍ତି ପରେ ଘରକୁ ଫେରି ସାଧାରଣ ଗୃହସ୍ଥ ଜୀବନଯାପନ କରୁଥିଲେ। ଦୁଇଟି କନ୍ୟା ସନ୍ତାନ ପ୍ରାପ୍ତ କରିଥିଲେ ଯେଉଁମାନେ ଏବେ ଘର ସଂସାର କରି ସାରିଲେଣି। ପ୍ରାୟ ୧୯୬୯- ୭୦ ମସିହାର କଥା, ପର୍ବତ ଶିଖରରୁ ସାଧନା କରି ଫେରିବା ପରେ ଯେତେବେଳେ ଧ୍ୟାନସ୍ଥ ହେଉଥିଲେ ତାଙ୍କ ତୁଣ୍ଡରୁ ମୁଖରିତ ହେଉଥିଲା ଅନର୍ଗଳ ସୁମଧୁର ସଙ୍ଗୀତ, ଭଜନ ଓ ଜଣାଣ। ପ୍ରଥମେ ପ୍ରଥମେ ଲୋକେ ଗୁଣିଗାରେଡ଼ି ବୋଲି ବିଚାର କରୁଥିଲେ। ହେଲେ ଯେତେ ଅଧିକ ତାଙ୍କ ମୁଖନିଶୃତ ବାଣୀ ଶୁଣିଲେ, ପୂର୍ଣ୍ଣମାସୀଙ୍କ ଭକ୍ତିରସ ବାବଦରେ ଜାଣିଲେ ସେମାନେ ନିଶ୍ଚିତ ହେଲେ ଯେ ଭଗବତକୃପା ପ୍ରାପ୍ତ କରି ସାରିଥିବା ପୂର୍ଣ୍ଣମାସୀ ଆଉ ଜଣେ ସାଧାରଣ ମହିଳା ହୋଇ ରହିନାହାନ୍ତି। ପାଲଟି ସାରିଛନ୍ତି ଆଦିବାସୀ ସାଧ୍ବୀ। ସେବେଠୁ ସେ ହୋଇଗଲେ ପୂଜ୍ୟ, ନମସ୍ୟ।

ପ୍ରଥମେ ଆଖପାଖ ଅଞ୍ଚଳର କିଛି ଶିକ୍ଷିତ ବ୍ୟକ୍ତିବିଶେଷ ପୂର୍ଣ୍ଣମାସୀଙ୍କ ଏହି ଈଶ୍ବରଦତ୍ତ ପ୍ରତିଭା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ତାହା କ୍ରମେ ଗାଁରୁ ସହର, ପଞ୍ଚାୟତରୁ ଜିଲ୍ଲା ଓ ରାଜ୍ୟରେ ପ୍ରଚାର ହେବାରେ ଲାଗିଲା। କିଛି ବୁଦ୍ଧିଜୀବୀ, କିଛି ଭକ୍ତ ଏହି ବିସ୍ମୟ ପ୍ରତିଭାର ପ୍ରତ୍ୟକ୍ଷ ଅନୁଭୂତି ପାଇବା ପରେ ବାହାର ଦୁନିଆ ସହ ପରିଚିତ କରାଇବାରେ ଲାଗିପଡ଼ିଲେ। ଭାଗବତ, ରାମାୟଣ, ନୃସିଂହ ପୁରାଣ ଆଦିର କଥାତତ୍ତ୍ବ ଆଧାରିତ ଟାଡ଼ିସରୁ ବାଈଙ୍କ ଆଧ୍ୟାତ୍ମିକ ବାଣୀ, ସଙ୍ଗୀତ ସବୁକୁ ୧୯୯୦ ମସିହା ପରେ ଲିପିବଦ୍ଧ କରିବା, ପୁସ୍ତକ ଆକାରରେ ପ୍ରକାଶନ ଓ କ୍ୟାସେଟ୍ କରିବା ପ୍ରୟାସ ହୋଇଥିଲା। ସେହି କାରଣରୁ ଟାଡ଼ିସରୁ ବାଈଙ୍କ ବାବଦରେ କିଛି ପୁସ୍ତକ ଏବେ ଉପଲବ୍ଧ।

ଯଦିଓ ଏଭଳି ଦିବ୍ୟଶକ୍ତି ସମ୍ପନ୍ନା ଆଶୁକବିଙ୍କ ବାଖ୍ୟାନ କରିବା ଯେ ଆଦୌ ସହଜ ନୁହେଁ, ସେଥିରେ ଦ୍ବିମତ ନାହିଁ। ଶାସ୍ତ୍ର ପୁରାଣ ପଢ଼ିବା ଦୂରର କଥା, ନିରକ୍ଷର ତଥା ଓଡ଼ିଆ ଅକ୍ଷର ପଢ଼ିବା ବି ଆସୁନଥିବା ପୂର୍ଣ୍ଣମାସୀ କିଭଳି ଆଧ୍ୟାତ୍ମିକତାର ଅତ୍ୟନ୍ତ ଗୁଢ଼ ତତ୍ତ୍ୱକୁ ଥରୁଟିଏ ସୁଦ୍ଧା ପୁନରାବୃତ୍ତି ନକରି ଲକ୍ଷାଧିକ ସଂଖ୍ୟାରେ କହିପାରୁଛନ୍ତି ତାହାହିଁ ତାଙ୍କୁ ବିସ୍ମୟ ନାରୀର ପରିଚୟ ଆଣି ଦେଇଛି । ଚାରିପଡ଼ା ଗ୍ରାମ ନିକଟରେ ଥିବା ବାଲ୍ମିକୀ ପାହାଡ଼ ଟାଡ଼ିସରୁ ବାଈଙ୍କ ସାଧନାସ୍ଥଳ ଭାବେ ପରିଚିତ, ଯଦିଓ ଏବେ ବାର୍ଦ୍ଧକ୍ୟବସ୍ଥାରୁ ସେ କେବେକେମିତି ଦୋଳାରେ ଅନ୍ୟମାନଙ୍କ ସହାୟତାରେ ସେଠାକୁ ଯାଉଛନ୍ତି । ୭୬ ବର୍ଷ ବୟସ୍କା ପୂର୍ଣ୍ଣମାସୀ ପ୍ରାୟତଃ ସକାଳୁ ସଞ୍ଜ ଭକ୍ତିରେ ଲୀନ ରହିଥାଆନ୍ତି। ଏବେ ବି ଶାଳପତ୍ର ଖଲି ସିଲେଇ କରି, ସାଧାରଣ ସୂତା ଲୁଗା ଖଣ୍ଡିଏ ପିନ୍ଧି ଛୋଟିଆ ଘରଟିରେ ସରଳ ଓ ନିରାଡ଼ମ୍ବର ଜୀବନ ବିତାଉଛନ୍ତି ସେ।ମୁହଁରେ ସଦା ସ୍ଥିତପ୍ରଜ୍ଞ ଭାବ, ଯେଦେଖିବ ଈଶ୍ବର ସାକ୍ଷାତକାର ହେଲା ବୋଲି ବିଚାର କରିବ। ଈଶ୍ବର ଆରାଧନାରେ ନିମଗ୍ନ ରହି ଆଗନ୍ତୁକଙ୍କ ସୁଖ ଦୁଃଖ ବୁଝି ଆବଶ୍ୟକୀୟ ପରାମର୍ଶ ଦେଇ ଆସୁଛନ୍ତି ସେ।

ସଦା ପୁରସ୍କାର ଓ ତିରସ୍କାର ପ୍ରତି ନିର୍ଲିପ୍ତ, ନିର୍ବିକାର ରହି ଆସିଥିବା ପୂର୍ଣ୍ଣମାସୀ ଜାନୀ ପଦ୍ମଶ୍ରୀ ଉପାଧି ପାଇବା ପରେ ବି ବିଶେଷ ପ୍ରତିକ୍ରିୟାବିହୀନ ରହି ଆସିଛନ୍ତି। ଏହା ତାଙ୍କ ସ୍ଥିତପ୍ରଜ୍ଞତା, ବିନମ୍ରତା ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । କଟକରୁ ଜଣେ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରଥମେ ସେ ଏହି ଖବର ପାଇଥିଲେ। ହେଲେ ଏହା କେବଳ ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହି ଜଗତ ମଙ୍ଗଳ କାମନା କରିଛନ୍ତି ସେ। ନିଜ ପାଇଁ କିଛି ନଚାହିଁ ଅଞ୍ଚଳର ବିକାଶ ହେଉ, ଶାସକ ପ୍ରଜାଙ୍କ ସୁଖସମୃଦ୍ଧି ପାଇଁ କାର୍ଯ୍ୟ କରନ୍ତୁ ବୋଲି କାମନା କରିଛନ୍ତି ସେ।ଚାରିପଡ଼ା ଗ୍ରାମକୁ ଭଲ ରାସ୍ତା ହେଉ, ବାଲିକୀ ପାହାଡ଼ ଉପରେ ମନ୍ଦିରଟିଏ ପୂର୍ଣ୍ଣାଙ୍ଗ ନିର୍ମିତ ହେଉ ବୋଲି ଚାହିଁଛନ୍ତି ସେ। ସମସ୍ତେ ନାମରସ ପାନ କରି ସୁଖରେ ରୁହନ୍ତୁ ବୋଲି ଜଗତର ନାଥଙ୍କ ନିକଟରେ ମୁଣ୍ଡିଆ ମାରୁଛନ୍ତି ଆଧ୍ୟାତ୍ମିକତାର ଅନନ୍ୟ ନିଦର୍ଶନ ଏହି ମହିଳା। ଆଉ ତାଙ୍କ ଭଳି ଯୋଗଜନ୍ମାଙ୍କ ପାଇଁ ଓଡ଼ିଶା ମାଟି ଧନ୍ୟ ।

KandhamalOdishaPadmashreePadmashree AwardPurnamasi Jena