ବିକଶିତ ଓଡ଼ିଶାର ନାରୀଙ୍କୁ ମିଳୁଛି ଅଧିକ ସୁବିଧା ସୁଯୋଗ: ମିସେସ୍ ଇଣ୍ଡିଆ ରୀତାରାଣୀ | News Room Odisha

ବିକଶିତ ଓଡ଼ିଶାର ନାରୀଙ୍କୁ ମିଳୁଛି ଅଧିକ ସୁବିଧା ସୁଯୋଗ: ମିସେସ୍ ଇଣ୍ଡିଆ ରୀତାରାଣୀ

ବ୍ରହ୍ମପୁର: ଓଡ଼ିଶାରେ ନାରୀ ଶିକ୍ଷାର ବିକାଶ ଘଟୁଛି। ନାରୀ ସଶକ୍ତୀକରଣରେ ବି ଓଡ଼ିଶା ଏବେ ଆଗୁଆ। ଆମ ମୁଖ୍ୟମନ୍ତ୍ରୀ ନାରୀଙ୍କୁ ପ୍ରତି କ୍ଷେତ୍ରରେ ୧/୩ ସଂରକ୍ଷଣ ଦେଇ ଏହି ପ୍ରୟାସକୁ ବଳ ଦେଇଛନ୍ତି। କନ୍ଧମାଳ ପରି ଅପେକ୍ଷାକୃତ ଅନଗ୍ରସର ଅଞ୍ଚଳର ମହିଳାମାନେ ମଧ୍ୟ ଏବେ ବିଭିନ୍ନ ସୁବିଧା ସୁଯୋଗ ପାଇ ଆଗେଇ ଚାଲିଛନ୍ତି। କନ୍ଧମାଳ ଜିଲ୍ଲାରେ ଛୋଟରୁ ବଡ଼ ହୋଇ ପରବର୍ତ୍ତୀ ସମୟରେ ନିଜକୁ ବ୍ୟାଙ୍କିଂ କ୍ଷେତ୍ରରେ ସଫଳ ପ୍ରତିପାଦିତ କରିଥିବା ରୀତାରାଣୀ ଜାନି ହେଉଛନ୍ତି ଏହାର ସଦ୍ୟତମ ଉଦାହରଣ। ନିକଟରେ ଗୋଆରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ୨୦୨୧ ସୁନ୍ଦରୀ ପ୍ରତିଯୋଗିତାରେ ବିଜେତା ସାଜିଛନ୍ତି ସେ।

ଫୁଲବାଣୀ ମହାବିଦ୍ୟାଳୟର ପ୍ରଫେସର ତୀର୍ଥ ଜାନୀଙ୍କ ଝିଅ ତଥା ସମ୍ପ୍ରତି ବ୍ରହ୍ମପୁର ୟୁନିଅନ୍ ବ୍ୟାଙ୍କରେ କାର୍ଯ୍ୟରତ ଅରୂପ ପ୍ରୀତମଙ୍କ ପତ୍ନୀ ରୀତାରାଣୀ ନିଜେ ଗୋପାଳପୁର ପୋର୍ଟ ଶାଖା ଇଣ୍ଡିଆନ ବ୍ୟାଙ୍କରେ ମ୍ୟାନେଜର ଅଛନ୍ତି। ଏକ ରକ୍ଷଣଶୀଳ ଘରର ଝିଅ, ଅଥଚ ସଦା ଅଗ୍ରଗାମୀ ମନୋବୃତ୍ତି ପୋଷଣ କରି ଆସିଥିବା ରୀତାରାଣୀ ୨୦୧୦ରେ ବ୍ୟାଙ୍କରେ ନିଯୁକ୍ତି ପାଇ ୨୦୧୩ରେ ମ୍ୟାନେଜର ଭାବେ ପଦୋନ୍ନତି ମଧ୍ୟ ପାଆନ୍ତି। ପିଲାଦିନୁ ମଡେଲିଂ, ଫ୍ୟାସନ୍ ପ୍ରତି ଯଦିଓ ଆଗ୍ରହ ଥିଲା, ବିବାହ ପରେ ଶାଶୂଘରର ସମର୍ଥନ ପାଇଥିଲେ। ଆର୍ଥିକ ଦୃଷ୍ଟିରୁ ସକ୍ଷମ ହୋଇସାରିଥିବାରୁ ପରିବାର- ଚାକିରୀ- ନିଜ ପସନ୍ଦ ମଧ୍ୟରେ ତାଳମେଳ ରଖି ଆଗକୁ ବଢ଼ି ଚାଲିଲେ ସେ। ୨୦୧୮ରେ ପ୍ରଥମେ ମିସେସ୍ ଇଣ୍ଡିଆ ଓ ୨୦୧୯ରେ ଇଣ୍ଡୋନେସିଆରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦାର୍ପଣ କରିଥିଲେ। ଆଉ ଏବେ ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ବିଜେତା ସାଜଛନ୍ତି। ସେ ପ୍ରମାଣିତ କରି ଦେଇଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରତିଭା ମଧ୍ୟ ଜାତୀୟସ୍ତରରେ ଓଡ଼ିଶାକୁ ଶୀର୍ଷସ୍ଥାନରେ ପହଞ୍ଚାଇପାରେ।

ଆଲୋଚନା ବେଳେ ରୀତାରାଣୀ କହିଛନ୍ତି ଯେ- ଯାହା କରିବି ମୋ ଇଚ୍ଛାରେ, ମୋ ପସନ୍ଦରେ କରିବି, କିନ୍ତୁ ପରିବାରର ସହମତିରେ କରିବି ବୋଲି ମୁଁ ସର୍ବଦା ଭାବି ଆସିଛି। ସମସ୍ତ ମହିଳା ଏଭଳି ଦୃଢ଼ ଚିନ୍ତାଧାରା ରଖିବା ଆବଶ୍ୟକ। ନିଜ ମସ୍ତିଷ୍କକୁ ଖୋଲା ରଖିବା ଉଚିତ। ଯଦି ମୁଁ ସକ୍ଷମ ତେବେ ମୋ ସ୍ବପ୍ନକୁ ପୂରଣ କରିପାରିବି ବୋଲି ଭାବିବା ଦରକାର। ଆଜିର ବିକଶିତ ଓଡ଼ିଶାର ମହିଳା ପୂର୍ବାପେକ୍ଷା ଅଧିକ ସୁବିଧା ସୁଯୋଗ ପାଉଛନ୍ତି। ତେଣୁ ସେମାନଙ୍କୁ ଆହ୍ବାନକୁ ଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶିତ କରିବାକୁ ପଡ଼ିବ। ବାଧାବିଘ୍ନକୁ ପାର କରି କେବେ ପଛଘୁଞ୍ଚା ନ ଦେଇ କିମ୍ବା ନିରାଶ ନ ହୋଇ ଓଡ଼ିଶାର ନାରୀ ଆଜି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦିତ କରିବାର ସମୟ ଉପନୀତ ବୋଲି କହନ୍ତି ରୀତାରାଣୀ ଜାନୀ।