ଝାରସୁଗୁଡ଼ାର ୩ ପୌରାଞ୍ଚଳରେ ହେବ ବହୁମୁଖି ସ୍ପୋର୍ଟସ କଂପ୍ଲେକ୍ସ | News Room Odisha

ଝାରସୁଗୁଡ଼ାର ୩ ପୌରାଞ୍ଚଳରେ ହେବ ବହୁମୁଖି ସ୍ପୋର୍ଟସ କଂପ୍ଲେକ୍ସ

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲା ରାଜ୍ୟ କ୍ରୀଡା କ୍ଷେତ୍ରରେ ସବୁ ବେଳେ ସ୍ବତନ୍ତ୍ର ସ୍ଥାନ ରଖି ଆସିଛି । ଆଗକୁ ଅଧିକରୁ ଅଧିକ କ୍ରୀଡା ପ୍ରତିଭା ସୃଷ୍ଟି ଲକ୍ଷ୍ୟରେ ସରକାର ଭିଭିଭୂମି ବିକାଶ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେଉଛନ୍ତି । ଏଥିପାଇଁ ଜିଲ୍ଲାର ତିନୋଟି ଯାକ ପୌର ପରିଷଦ ଝାରସୁଗୁଡା , ବ୍ରଜରାଜନଗର ଏବଂ ବେଲପାହାଡରେ ୩ଟି ବହୁମୁଖୀ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ହେବ । ଏନେଇ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସ୍ବତନ୍ତ୍ର ସଚିବ ଝାରସୁଗୁଡା ଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅବଗତ କରାଇଛନ୍ତି । ଏହି ନିଷ୍ପତ୍ତି କ୍ରୀଡ଼ାପ୍ରେମୀ ମହଲରେ ଉତ୍ସାହ ଭରି ଦେଇଛି ।

ଝାରସୁଗୁଡ଼ା ଜିଲ୍ଲାର ତିନୋଟି ସହର ଝାରସୁଗୁଡ଼ା , ବ୍ରଜରାଜନଗର ଓ ବେଲପାହାଡ଼ରେ ହେବ ବହୁମୁଖ୍ ସୋର୍ଟସ କଂପ୍ଲେକ୍ସ । ଏନେଇ ଗତ ୨୩ ତାରିଖରେ ରାଜ୍ୟ ସରକାରଙ୍କ କ୍ରିଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ତାଙ୍କ ଚିଠି ସଂଖ୍ୟା ୧୬୮୧ ଅନୁସାରେ ଝାରସୁଗୁଡ଼ାର ଏହି ତିନୋଟି ସହରେ ଏହି ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କରାଯିବ । ଏହି ସୋର୍ଟସ କଂପ୍ଲେକ୍ସ ପାଇଁ ଦରକାର ହେଉଥିବା ୧୦ ଏକର ସରକାରୀ ଜମି ତହସିଲଦାର ମାନେ ତୁରନ୍ତ ଚିହ୍ନଟ କରି ଆସନ୍ତା ୪ ମାର୍ଚ୍ଚ ମଧ୍ୟରେ ଜିଲ୍ଲା ପ୍ରଶାସନ ସହିତ ରାଜ୍ୟ ସରକାରଙ୍କୁ ଜଣାଇବାକୁ ନିର୍ଦଶେ ଦେଇଛନ୍ତି । ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ତାଙ୍କ ଚିଠି ସଂଖ୍ୟା ୧୭୮୬ ଅନୁସାରେ ଏହି ସୋର୍ଟସ କଂପ୍ଲେକ୍ସରେ ୭୦ ମିଟର ଓସାର ଓ ୭୦ ମିଟର ଲମ୍ବର ଏକ ଇନଡୋର ହଲ , ୫ ଏକରେ କ୍ରିକେଟ ଗ୍ରାଉଣ୍ଡ ଓ ୨.୨ ଏକରେ ଫୁଟବଲ ଗ୍ରାଉଣ୍ଡ ନିର୍ମାଣ କରାଯିବ ।

ଏହି କଂପ୍ଲେକ୍ସ ପାଇଁ ରାସ୍ତା ଓ ଜଳ ଯୋଗାଣର ବ୍ୟବସ୍ଥା ରହିଥିବା ଭଳି ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଝାରସୁଗୁଡ଼ା , ବ୍ରଜରାଜନଗର ଓ ବେଲପାହାଡ଼ ସହରବାସୀ ଦାବି କରୁଥିବା ବହୁମୁଖୀ କ୍ରୀଡା କଂପ୍ଲେକ୍ସ ଦାବି ଖୁବଶୀଘ୍ର ପୂରଣ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅର୍ଥ ଯୋଗାଇ ଦେବ । ଏହି ତିନିଟି ସହରରେ ସୋର୍ଟସ କଂପ୍ଲେକ୍ସ ନିର୍ମାଣ ହେଲେ ଏହି ଅଞ୍ଚଳର କ୍ରୀଡ଼ାର ବିକାଶ ହେବା ସହିତ ନୂତନ ପ୍ରତିଭାବାନ କ୍ରୀଡ଼ାବିତ ସୃଷ୍ଟି ହୋଇ ପାରିବେ ବୋଲି ମତପ୍ରକାଶ ପାଇଛି । ତେବେ , ଏହି ପଦକ୍ଷେପ ପାଇଁ ଜିଲ୍ଲାର କ୍ରୀଡାବିତ୍‌ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।