ଘରୋଇକରଣରୁ ମୁକୁଳିଲା ଓପିଜିସି: ଇବ୍‌ ତାପଜ କେନ୍ଦ୍ର ଏବେ ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କର | News Room Odisha

ଘରୋଇକରଣରୁ ମୁକୁଳିଲା ଓପିଜିସି: ଇବ୍‌ ତାପଜ କେନ୍ଦ୍ର ଏବେ ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କର

ପ୍ରଶାନ୍ତ କୁମାର ମହାପାତ୍ର ହେଲେ ନୂଆ ପରିଚାଳନା ନିର୍ଦ୍ଦେଶକ

ଝାରସୁଗୁଡା : ଦୀର୍ଘ ବର୍ଷ ଧରି ଘରୋଇ କଂପାନି ସହ ସହଭାଗିତାରେ ଚାଲିଥିବା ବେଳେ କଂପାନିର ସ୍ୱାର୍ଥ ଅନେକ ସମୟରେ ବ୍ୟାହତ ହେଉଥିଲା । ହେଲେ ବର୍ତ୍ତମାନର କୋଭିତ୍ ମହାମାରୀ ବେଳେ ରାଜ୍ୟ ସରକାର ଘୋର ଆର୍ଥିକ ସ୍ଥିତିର ସମ୍ମୁଖୀନ ହେବା ସମ୍ବେ ହଜାର କୋଟିର ଆର୍ଥିକ ବୋଝ ମୁଣ୍ଡାଇ ଝାରସୁଗୁଡା ବନହରପାଲିସ୍ଥିତ ଇବ୍ ତାପଜ କେନ୍ଦ୍ରକୁ ନିଜ ଅକ୍ତିଆରକୁ ଆଣିଛନ୍ତି ।

ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ ( ଓପିଜିସି ) ଅଧୀନରେ ଥିବା ଏହି କାରଖାନାରେ ଆମେରିକୀୟ କଂପାନି ଏଇଏସ ଏକ ବଡ଼ ଅଂଶୀଦାର ଭାବେ ଥିଲା । ହେଲେ ଚୁକ୍ତି ଖିଲାପ ଯୋଗୁଁ ଏହି କଂପାନିକୁ ବିଦା କରି କାରଖାନାକୁ ଶତ ପ୍ରତିଶତ ନିଜ ଅଧୀନକୁ ଆଣିବାକୁ କିଛି ମାସ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ ।

ଆଉ ଇତିମଧ୍ୟରେ ଉକ୍ତ କଂପାନି କାରଖାନାରୁ ଅପସରି ଯାଇଥିବା ବେଳେ ଆଜି ଏହାର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦାନ କରିଛନ୍ତି । ତେବେ , ସଂପୂର୍ଣ ଭାବେ ସରକାରଙ୍କ ଅଧୀନକୁ ଏହି ସଂସ୍ଥା ଆସିବା ନେଇ ଆଜି ବିଧିବଦ୍ଧ ଘୋଷଣା ପାଇବା ପରେ କର୍ମଚାରୀ ମହଲରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି ।

ଦୀର୍ଘ ବର୍ଷ ହେଲା ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ ( ଓପିଜିସି ) ଅଧୀନରେ ଥିବା ବନହରପାଲି ତାପଜ ବିଦ୍ୟୁତ କେନ୍ଦ୍ରର ଅଂଶୀଦାର କଂପାନି ଭାବେ ଆମେରିକୀୟ ସଂସ୍ଥା ଏଇଏସ୍‌ କାର୍ଯ୍ୟ କରୁଥିଲା । ଏଥିରେ ଓପିଜିସିର ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଏଇଏସ୍ କଂପାନିର ୪୯ ପ୍ରତିଶତ ଅଂଶଧନ ଥିଲା । ହେଲେ ସରକାରଙ୍କ ସହ ହୋଇଥିବା ଚୁକ୍ତିର ପୂରଣ ଦିଗରେ କଂପାନି ଅନେକ କ୍ଷେତ୍ରରେ ଉଲ୍ଲେଘନ କରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଫଳରେ ଗତ ସେପଟେମ୍ବର ମାସରେ ସରକାର ଏଇଏସ୍‌ ସହ ହୋଇଥିବା ଚୁକ୍ତି ବାତିଲ କରି ଏହି ଓପିଜିସିକୁ ସଂପୂର୍ଣ ଭାବେ ନିଜର ଅଧୀନକୁ ଆଣିବାକୁ ଘୋଷଣା କରିଥିଲେ । ଆଉ ଇତିମଧ୍ୟରେ ଏଇଏସ୍ କଂପାନି ରାଜ୍ୟରୁ ବିଦା ହୋଇସାରିଛି । ହେଲେ କଂପାନି ବିଦା ହେବା ପରଠାରୁ ଏହାର ପରିଚାଳନା ନିର୍ଦ୍ଦେଶକ ପଦବି ଖାଲି ପଡ଼ିଥିଲା ।

ଓପିଜିସିରୁ ଏଇଏସ କମ୍ପାନୀ ନିଜକୁ ପ୍ରତ୍ୟାହାର କରିବା ପରେ ଓପିଜିସିରେ ପରିଚାଳକ ନିର୍ଦ୍ଦେଶକ ପଦବୀ ସମେତ ନିର୍ଦ୍ଦେଶକ ( ଅପରେସନ ) ଓ ପ୍ରକଳ୍ପ ମୁଖ୍ୟ ପଦବି ଖାଲି ପଡିଥିଲା । ଏନେଇ ଓଡିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଗତ ଡିସେମ୍ବର ୧୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଆଉ ଦୀର୍ଘ ଦିନ ପରେ ନିର୍ଦ୍ଦେଶକ ପଦବିରେ ଆଜି ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦାନ କରିଛନ୍ତି । ଆଉ ବର୍ତ୍ତମାନ ଓପିଜିସି ସଂପୂର୍ଣ ଭାବେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ନେଇ କଂପାନି ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀ ମହାପାତ୍ର ଏହା ପୂର୍ବରୁ ଏନଟିପିସିର ବୈଷୟିକ ନିର୍ଦ୍ଦେଶକ ପଦବିରୁ ଅବସର ନେଇଥିଲେ । ଅପରପକ୍ଷେ , ବର୍ତ୍ତମାନ ଏହି କଂପାନି ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଅଧୀନକୁ ଆସିବା ପରେ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ ଯେ , ଏହି କଂପାନିର ସଂପ୍ରସାରଣ ପ୍ରକଳ୍ପ ସହିତ ଦ୍ବିତୀୟ ୟୁନିଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ବର୍ଷ ତଳେ ଉଦଘାଟନ କରିଥିଲେ ।