ପୁଣି ରେଳବାଇର ବୈମାତ୍ରୁକ ମନୋଭାବ: ସମ୍ବଲପୁର ରୋଡ୍ ଷ୍ଟେସନ୍ ଉଚ୍ଛେଦ ପ୍ରତିବାଦରେ ତେଜିଲା ଅସନ୍ତୋଷ | News Room Odisha

ପୁଣି ରେଳବାଇର ବୈମାତ୍ରୁକ ମନୋଭାବ: ସମ୍ବଲପୁର ରୋଡ୍ ଷ୍ଟେସନ୍ ଉଚ୍ଛେଦ ପ୍ରତିବାଦରେ ତେଜିଲା ଅସନ୍ତୋଷ

ସମ୍ବଲପୁର: ଓଡିଶା ପ୍ରତି ସବୁ ବେଳେ ବୈମାତ୍ରୁକ ମନୋଭାବ ପୋଷଣ କରି ଆସୁଥିବା ରେଳବାଇ ଏବେ ସମ୍ବଲପୁରବାସୀଙ୍କ ପାଇଁ କାଳ ହେଲାଣି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଶତବାର୍ଷିକୀ ଚାଲିଥିବା ବେଳେ ତାଙ୍କ ସ୍ମ୍ରତିବହନ କରୁଥିବା ସମ୍ବଲପୁର ରୋଡ ଷ୍ଟେସନ୍ କୁ ଉଚ୍ଛେଦ କରିଛି ରେଳବାଇ । ଏହାର ପ୍ରତିବାଦରେ ସବୁ ବର୍ଗର ଲୋକ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପଖ୍ୟରୁ ଧାରଣା ଦିଆଯାଇଛି ।

ସ୍ବାଧୀନତା ସଂଗ୍ରାମ ସମୟରୁ ସମ୍ବଲପୁର ରୋଡ ଷ୍ଟେସନ୍ ସହରବାସୀଙ୍କ ସମେତ ପଡୋଶୀ ଜିଲ୍ଲାବାସୀଙ୍କୁ ସେବା ଦେଇ ଆସିଛି । ସହରର ମଧ୍ୟଭାଗରେ ଏହା ଥିବା ବେଳେ ନିକଟରେ ଜିଏମ୍ ବିଶ୍ବବିଦ୍ୟାଳୟ, ଓଡିଶା ମୁକ୍ତ ବିଶ୍ବବିଦ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ପାଇଁ ବିଶେଷ ସୁବିଧା ଦେଇ ଆସିଛି । ହେଲେ ଗତ ୧୧ ତାରିଖରୁ ରେଳବାଇ କର୍ତୁପଖ୍ୟ ଏହାକୁ ବନ୍ଦ କରି ଦେଇଛନ୍ତି । ଏହାକୁ ନେଇ ଜିଲ୍ଲାସାରା ତୀବ୍ର ପ୍ରତିକ୍ରିୟା ହୋଇଥିବା ବେଳେ ବିଜେଡି ମଧ୍ୟ ରେଳବାଇର ଏଭଳି କାମକୁ ଜୋରଦାର ବିରୋଧ କରିଛି ।

ଜିଲ୍ଲା ଯୁବ ବିଜେଡି ସଭାପତି ଲଖ୍ମୀପ୍ରସାଦ ମହାପାତ୍ର, ଛାତ୍ର ବିଜେଡି ସଭାପତି ଡ. ସିଦ୍ଧାନ୍ତ ମହାନ୍ତି ଙ୍କ ନେତ୍ରୁତ୍ବରେ ଡିଆରଏମ୍ ଅଫିସ ଆଗରେ ଧାରଣାରେ କେନ୍ଦ୍ରର ବୈମାତ୍ରୁକ ମନୋଭାବକୁ ତୀବ୍ର ନିନ୍ଦା କରାଯାଇଛି । ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ଏଥିରେ ଯୋଗଦେଇ ସ୍ଥାନୀୟ ବିଜେପି ନେତାଙ୍କ ନିରବତାକୁ ସମାଲୋଚନା କରିଥିଲେ ।

ଏହି ଷ୍ଟେସନରେ ପ୍ରାୟ ରହଣୀ କରୁଥିବା ୧୨ଟି ଟ୍ରେନ୍ ଲୋକଙ୍କୁ ବିଶେଷ ସୁବିଧା ଦେଇ ଆସୁଥିଲା । ସ୍ବାଧୀନତା ସଂଗ୍ରାମ ବେଳର ଐତିହ୍ୟ ବହନ କରିଥିବା ଏହି ଷ୍ଟେସନ୍ ବନ୍ଦ ଦ୍ବାରା ସହରବାସୀ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ପୂର୍ବ ପରି ଏହି ଷ୍ଟେସନକୁ ଚାଲୁ କରାନଗଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି । ଏହି ଧାରଣାରେ ଦଳର ବହୁ ତୁଂଗନେତା ସାମିଲ ହୋଇଥିଲେ ।