ଗଜପତି: ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏକ ଦିନିଆ ପ୍ରଶିକ୍ଷଣ ଶିବିର | News Room Odisha

ଗଜପତି: ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏକ ଦିନିଆ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଶିଶୁ ସୁରକ୍ଷା ଉପରେ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।

ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ରୁପେ ଉପ – ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା , ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ , ଶିଶୁ ସୁରକ୍ଷାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କହିବା ସହ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ହିଁ ଜିଲ୍ଲାର ଶେଷ ଶିଶୁ ପାଖରେ ସୁରକ୍ଷା ପହଞ୍ଚିପାରିବ ବୋଲି କହିଥିଲେ । ଉପ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରତି ସମୟରେ ଗଣମାଧ୍ୟମର ଭୂମିକାର ଆବଶ୍ୟକତା ବଢିଚାଲିଛି ।

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରତି ଆଦିବାସୀ ଶିଶୁଙ୍କ ପାଖରେ କିପରି ସୁରକ୍ଷାର ବାର୍ତ୍ତା ପହଞ୍ଚିବ ତାହାରି ଉପରେ ବିଶେଷ ଦୃଷ୍ଟି ଦେବାଲାଗି ଗଣମାଧ୍ୟମକୁ ନିବେଦନ କରିଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ବରରୁ ଆସିଥିବା ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ ଶିଶୁ ସୁରକ୍ଷା ଉପରେ ବିହିତ ଆଇନର ବିଭିନ୍ନ ଦିଗ ଉପରେ ଫୁଖାନୁଫିଖ ଆଲୋଚନା କରିବା ସହ ଗଣମାଧ୍ୟମ ପ୍ରତିନିଧି କେଉଁ ଜିନିଷ ଲୋକଲୋଚନକୁ ଆଣିବେ ଏବଂ କେଉଁ ଜିନିଷ ଶିଶୁର ହିତ ପାଇଁ ଆଣିବେ ନାହିଁ ତାହାରି ଉପରେ ବିଶେଷ ଆଲୋଚନା ରଖିଥିଲେ । ଏହି ଅବସରରେ After Care Organisation ରେ ରହୁଥିବା ଏକ ଅନ୍ତେବାସୀକୁ କର୍ମସଂସ୍ଥାନକୁ ଯିବା ଆସିବା ପାଇଁ ଏକ ସାଇକେଲ ବି ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଦ୍ଵାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ଷା ପରିଚାଳନା କରିଥିଲେ ।