ଜନତା କର୍ଫ୍ୟୁକୁ ପୂରିଲା ବର୍ଷେ, କରୋନା ବିରୋଧରେ ଏକାଠି ହୋଇଥିଲା ଦେଶ, ଦୁର୍ଦ୍ଦଶା ଭୋଗିଥିଲେ ପ୍ରବାସୀ ଶ୍ରମିକ | News Room Odisha

ଜନତା କର୍ଫ୍ୟୁକୁ ପୂରିଲା ବର୍ଷେ, କରୋନା ବିରୋଧରେ ଏକାଠି ହୋଇଥିଲା ଦେଶ, ଦୁର୍ଦ୍ଦଶା ଭୋଗିଥିଲେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ – ଜନତା କର୍ଫ୍ୟୁକୁ ପୂରିଛି ବର୍ଷେ । ବର୍ଷକ ତଳେ ଠିକ୍ ଆଜିର ଦିନରେ କରୋନା ବିରୋଧରେ ଦେଶବାସୀ ଏକାଠି ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ମାର୍ଚ୍ଚ ୨୨, ୨୦୨୦ରେ କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ କ୍ରମେ ସାରା ଦେଶରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ । ଜନତା କର୍ଫ୍ୟୁ ପରେ ଦେଶରେ ପୁଣି ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । କରୋନା ସ୍ଥିତି ଅଣାୟତ୍ତ ହେବା ଦୃଷ୍ଟିରୁ ଲକ୍‌ଡାଉନ୍‌କୁ ମେ ୩୧, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଜନତା କର୍ଫ୍ୟୁ ପୂର୍ବରୁ ଦେଶର ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୋନା ମୁକ୍ତ ଥିଲା । ତେବେ ପରବର୍ତ୍ତୀ ସମୟରେ ପୂରା ଦେଶ କରୋନା କବଳିତ ହୋଇଯାଇଥିଲା । କାଶ୍ମୀର ଠାରୁ କନ୍ୟାକୁମାରୀ ଓ ଗୁଜରାତରୁ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଯାଏଁ କରୋନା କାୟା ବିସ୍ତାର କରିଥିଲା । ଏହି ମହାମାରୀ ଅନେକ ଜୀବନ ନେବା ସହ ଜୀବିକା ମଧ୍ୟ ଉଜାଡ଼ିଥିଲା ।

ହଠାତ୍ ଦେଶସାରା ଲକ୍‌ଡାଉନ୍ ଘୋଷଣା ହେବା ଯୋଗୁଁ ସବୁଠୁ ବେଶି ପ୍ରଭାବିତ ହୋଇଥିଲେ ପ୍ରବାସୀ ଶ୍ରମିକ । ଟ୍ରେନ୍‌, ବସ୍ ଚଳାଚଳ ବନ୍ଦ ହୋଇଯିବା ଦ୍ୱାରା ସେମାନେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିଲେ । ଅନେକ ଦିନ ଭୋକ ଉପାସରେ ସେମାନଙ୍କୁ ରହିବାକୁ ପଡିଥିଲା । ଅଧିକାଂଶ ଶ୍ରମିକ ବାଧ୍ୟ ହୋଇ ଚାଲି ଚାଲି ନିଜ ଭିଟାମାଟିକୁ ଯାଇଥିଲେ । ବାଟରେ ଅନେକଙ୍କ ମୃତ୍ୟୁ ହୋଇଥିଲା । ପ୍ରବାସୀ ଶ୍ରମିକଙ୍କ ଏଭଳି ଅକଥନୀୟ ଦୁର୍ଦ୍ଦଶା ପାଇଁ ସମାଲୋଚିତ ହୋଇଥିଲା ମୋଦି ସରକାର ।

COVID-19