ଜିଏମୟୁକୁ ନୂଆଁ ରୂପ ଦେବ ଅଡିଟୋରିଅମ୍ | News Room Odisha

ଜିଏମୟୁକୁ ନୂଆଁ ରୂପ ଦେବ ଅଡିଟୋରିଅମ୍

ଡବ୍ଲୁଓଡିସିର ସାଢେ ୧୦ କୋଟିର ଅନୁଦାନରେ ଚାଲିଛି ନିର୍ମାଣ ଜୁଲାଇ ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ

ସମ୍ବଲପୁର : କଲେଜରୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କଳେବରର ଯଥେଷ୍ଟ ବୃଦ୍ଧି ଘଟି ଚାଲିଛି । ରାଜ୍ୟ ସରକାର ଏଥିପାଇଁ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ପୂର୍ବରୁ ଦେଇ ଆସିଥିବା ପ୍ରତିଶ୍ରୁତିକୁ ପାଳନ କରି ଚାଲିଛନ୍ତି । ତେବେ , ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ସାଢେ ୧୦ କୋଟିର ବ୍ୟୟ ଅଟକଳରେ ଚାଲିଥିବା ନିର୍ମାଣ ଜିଏମୟୁର କ୍ୟାମ୍ପସ ଏକ ବିରାଟ ପରିବର୍ତ୍ତନ ଦେବ ବୋଲି ଆଶା କରାଯାଉଛି । ତେବେ , ଆସନ୍ତା ଜୁଲାଇ ସୁଦ୍ଧା ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖଯାଇଥିବା ସୂଚନା ମିଳିଛି ।

୨୦୧୫ରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ , ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା । ବୈଠକ ଓ ସଭା ଆୟୋଜନ ପାଇଁ ଜିଏମୟୁରେ କୌଣସି ବ୍ୟବସ୍ଥା ନଥିବାରୁ ୨୦୧୬ରେ ଏକ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ପାଇଁ ତତ୍କାଳୀନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଘୋଷଣା କରିଥିଲେ । ଏଥିପାଇଁ ୨୦୧୯ରେ ଭିଭିପ୍ରସ୍ତର ସ୍ଥାପନ ହୋଇଥିଲା । ଅଡିଟୋରିୟମ୍ ନିର୍ମାଣ କରିବାକୁ ୧୦ କୋଟି ୫୦ ଲକ୍ଷ ଟଙ୍କା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ହେଲା । ୨୦ , ୬୧୧ ବର୍ଗ ଫୁଟରେ ସମ୍ପୂର୍ଣ୍ଣ ବାତାନୁକୁଳିତ ( ଏସି ) ଅଡିଟୋରିୟମ୍ ନିର୍ମାଣ କରାଯିବା ପାଇଁ ଯୋଜନା ହୋଇଥିଲା । ସେହିଭଳି ପାର୍ଶ୍ୱରେ ୧୫ ହଜାର ବର୍ଗ ଫୁଟରେ ପାର୍କିଂ ବ୍ୟବସ୍ଥା କରିବା ସହ ଅଡିଟୋରିୟମରେ ଅତ୍ୟାଧୁନିକ ସାଉଣ୍ଡ ସିଷ୍ଟମ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗୋଟିଏ ସମୟରେ ୧୨ ଶହ ଲୋକ ବସିପାରିବା ଭଳି ଅଡ଼ିଟୋରିୟମରେ ବ୍ୟବସ୍ଥା ହୋଇଛି ।

ଜିଏମୟୁରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଓ ବିଶାଳ ଅଡିଟୋରିୟମ ନିର୍ମାଣକୁ ନେଇ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଥିଲା । ୨୦୧୯ରୁ ପୂର୍ତ୍ତ ବିଭାଗ ଦ୍ବାରା ଏହାର କାମ ଆରମ୍ଭ ହୋଇଥିଲା । ୨୦୨୦ ଡିସେମ୍ବର ସୁଦ୍ଧା ଅଡିଟୋରିୟମ ନିର୍ମାଣ କାମ ସାରି ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ କରୋନା ପାଇଁ ଏହା ସମ୍ଭବ ହୋଇପାରିନଥିଲା । କିନ୍ତୁ କରୋନାର ପ୍ରଭାବ ହ୍ରାସ ପାଇବା ପରେ ଏହାର କାମ ଜୋରଦାର କରି ଆସନ୍ତା ଜୁଲାଇ ସୁଦ୍ଧା ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

ଏହାର ଲୋକାର୍ପଣ ଦ୍ଵାରା ଏଠାରେ ପାଠ ପଢୁଥିବା ୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ । ଏଠାରେ ସମାବର୍ତ୍ତନ ଉତ୍ସବରୁ ଆରମ୍ଭ କରି ଜାତୀୟ ତଥା ଆନ୍ତର୍ଜାତୀୟସ୍ତରର ସମ୍ମିଳନୀ ସମାବେଶ ଆଦି ସମ୍ଭବ ହୋଇପାରିବ ବୋଲି କୁହାଯାଉଛି । ବଡ ଅଡିଟୋରିଅମ୍ ଅଭାବରୁ ମାତ୍ର ୩ ଶହରୁ ୪ ଶହ ପିଲାଙ୍କ ବ୍ୟବସ୍ଥା ଥିବା ଲେକଚର୍ ଗ୍ୟାଲେରିରେ ସବୁ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ପଡ଼ୁଛି । ଏପରିକି ବଡ ଧରଣର କୌଣସି କାର୍ଯ୍ୟକ୍ରମ ପାଇଁ ଖୋଲା ପଡ଼ିଆରେ କରିବାକୁ ପଡୁଛି । ତେବେ , ଏହି ଅଡିଟୋରିଅମ୍ ଦ୍ଵାରା ସବୁ କାର୍ଯ୍ୟକ୍ରମ ପାଇଁ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି କର୍ତ୍ତୁପକ୍ଷ ଏବଂ ଛାତ୍ରଛାତ୍ରୀ ଆଶା ବାନ୍ଧିଛନ୍ତି ।