ଆଜି ପ୍ରଥମ ଦିନିକିଆ, ଇଂଲଣ୍ଡ ଉପରେ ପ୍ରାଧାନ୍ୟ ବଜାୟ ରଖିବା ଲକ୍ଷ୍ୟରେ ଭାରତ | News Room Odisha

ଆଜି ପ୍ରଥମ ଦିନିକିଆ, ଇଂଲଣ୍ଡ ଉପରେ ପ୍ରାଧାନ୍ୟ ବଜାୟ ରଖିବା ଲକ୍ଷ୍ୟରେ ଭାରତ

ପୁଣେ – ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆଜି ପୁଣେର ଏମ୍‌ସଏ ଷ୍ଟାଡିୟମରେ ଖେଳାଯିବ । ଟେଷ୍ଟ ଓ ଟି୨୦ ସିିରିଜ୍ କବ୍‌ଜା କରିବା ପରେ ଟିମ୍ ଇଣ୍ଡିଆ ୫୦ ଓଭର ଫର୍ମାଟ୍‌ରେ ବି ଇଂଲଣ୍ଡ ଉପରେ ପ୍ରାଧାନ୍ୟ ବଜାୟ ରଖିବା ଲକ୍ଷ୍ୟରେ ରହିବ । ତେବେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ହରାଇବା ବିରାଟ ବାହିନୀ ପାଇଁ ସହଜ ହେବନି । ସିରିଜ ଜିତିବାକୁ ହେଲେ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ ।

ଟି୨୦ ସିରିଜ୍ ଭଳି ଦିନିକିଆ ମଧ୍ୟ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି ଯେ, ଦିନିକିଆ ସିରିଜରେ ରୋହିତ ଶର୍ମା ଓ ଶିଖର ଧାୱନ୍ ଓପନିଂ କରିବେ । ତୃତୀୟରେ କୋହଲି ଏବଂ ଚତୁର୍ଥ ନମ୍ବରରେ ଶ୍ରେୟାସ ଆୟର ବ୍ୟାଟିଂ କରିବା ନିଶ୍ଚିତ । ତେବେ ୱିକେଟକିପିଂ ଦାୟିତ୍ୱ କାହା ଉପରେ ନ୍ୟସ୍ତ କରାଯିବ ତାହା ଦେଖିବାକୁ ରହିଲା । କେଏଲ ରାହୁଲ ଖରାପ ଫର୍ମ ଦେଇ ଗତି କରୁଥିବାରୁ ଚୂଡାନ୍ତ ଏକାଦଶରେ ତାଙ୍କ ସ୍ଥାନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏଭଳି ସ୍ଥଳେ ଫର୍ମରେ ଥିବା ରିଷଭ ପନ୍ତଙ୍କୁ ଏକାଦଶରେ ସାମିଲ କରାଯାଇପାରେ । ସେହିପରି କୃନାଳ ପାଣ୍ଡ୍ୟାଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ ପରେ ସୂର୍ଯ୍ୟକୁମାର ଯାଦବ ଦିନିକିଆରେ ବି ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି ।

ଚୂଡାନ୍ତ ଏକାଦଶରେ ତିନି ଜଣ ପେସରଙ୍କୁ ସ୍ଥାନ ମିଳିବା ସମ୍ଭାବନା ରହିଛି । ଭୁବନେଶ୍ୱର କୁମାର ଓ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନ ପକ୍କା ଥିବା ବେଳେ ତୃତୀୟ ପେସରଙ୍କ ସ୍ଥାନ ପାଇଁ ଟି.ନଟରାଜନ, ମହମ୍ମଦ ସିରାଜ ଏବଂ ନବାଗତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଭାରତ ୬ ବୋଲରଙ୍କ ସହ ପଡିଆକୁ ଓହ୍ଲାଇପାରେ ।

ମ୍ୟାଚ୍ ଅପରାହ୍ନ ୧ଟା ୩୦ ମିନିଟରୁ ଆରମ୍ଭ ହେବ । ସିରିଜର ତିନୋଟି ଯାକ ମ୍ୟାଚ୍ ପୁଣେରେ ଖେଳାଯିବ ।