ଗାନ୍ଧୀ ଶିଳ୍ପ ବଜାରରେ ଓଡିଶାର ସବାଇଘାସ ହସ୍ତଶିଳ୍ପ | News Room Odisha

ଗାନ୍ଧୀ ଶିଳ୍ପ ବଜାରରେ ଓଡିଶାର ସବାଇଘାସ ହସ୍ତଶିଳ୍ପ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ବିଭାଗ ( ଉତ୍କଳିକ ) ଦ୍ଵାରା ମାର୍ଚ୍ଚ ୧୫ ତାରିଖଠାରୁ ଗାନ୍ଧୀ ଶିଳ୍ପ ବଜାର – ୨୦୨୧ ୟୁନିଟ୍ -୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି । ଭାରତ ସରକାରଙ୍କର ବିକାଶ ଆୟୁକ୍ତ ( ହସ୍ତଶିଳ୍ପ ) , ନୂଆଦିଲ୍ଲୀର ଆର୍ଥିକ ସହାୟତାରେ ଏହି ଗାନ୍ଧୀ ଶିଳ୍ପ ବଜାର ଅନୁଷ୍ଠିତ ହେଉଛି ।

ଏହି ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀରେ ଓଡ଼ିଶାର ସବାଇଘାସରେ ତିଆରି ବିଭିନ୍ନ ପ୍ରକାରର ସାମଗ୍ରୀ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସବାଇଘାସରେ ତିଆରି ଆକର୍ଷଣୀୟ ବ୍ୟାଗ , ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ଟ୍ରେ , ଡବା , ଚିଠି ବାକ୍ସ , ବାକ୍ସ , ଆସନ , ରୁଟି ରଖିବା ଡବା , ଯୋଗମ୍ୟାଟ ଆଦି ଅତି ସୁନ୍ଦର ଓ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି ।

ପଶ୍ଚିମବଙ୍ଗର ଟେରାକୋଟା ଶିଳ୍ପ , ଯାହା ପୋଡ଼ା ମାଟିରେ ନିର୍ମିତ , ଯାହାକୁ ଦେଲେ ତାହା ଯେ ସତରେ ମାଟିରେ ତିଆରି ହୋଇଛି ବିଶ୍ଵାସ କରିହେଉନି । ଶିଳ୍ପୀ ମହାଦେବ ଦାସ ଏହି କାମରୁ ମାସିକ ଅନ୍ୟୁନ ୪୦ ହଜାର ଟଙ୍କା ଆୟ କରୁଛନ୍ତି । ଦୁଇ କି ତିନି ମୁଠା ମାଟି ଅଥବା ଆଞ୍ଜୁଳାଏ ମାଟି ଯେଉଁଥିରେ ୫୦୦ରୁ ୧୦୦୦ ଟଙ୍କା ଆୟ , ତାହା ଆଖି ଝଲସିବା ଭଳି କଳାନୈପୁଣ୍ୟ ।

ସେହିଭଳି ପଶ୍ଚିମବଙ୍ଗର ବେତଶିଳ୍ପ , ଯାହା ଦେଖିଲେ ବିଶ୍ବାସ କରିହୁଏ ନାହିଁ ଯେ ଏତେ ସରୁ ଓ ସୂକ୍ଷ୍ମ କାରୁକାର୍ଯ୍ୟ ହାତରେ ସମ୍ଭବ ହୋଇପାରିଛି । ସତରେ ମେସିନ୍‌ଙ୍କୁ ବଳିଯାଇଛି କାରିଗର ହାତର ସୂକ୍ଷ୍ମ ହସ୍ତକଳା । ଶିଳ୍ପୀ ପରିମଲ ସାହା ଆସାମରୁ ବେତ ସଂଗ୍ରହ କରି ପଶ୍ଚିମବଙ୍ଗର କୁବିହାର ଜିଲ୍ଲା ଅନ୍ତର୍ଗତ ଅଠରନଳା ଗ୍ରାମରେ ଗୋଟିଏ କ୍ଷୁଦ୍ର ବେତଶିଳ୍ପ ପ୍ରତିଷ୍ଠାନ ଗଢ଼ିଛନ୍ତି ।

ରାଜସ୍ଥାନର ଚମଡ଼ା ଶିଳ୍ପୀ ବାବୁଲାଲ ନାଗରିଙ୍କ ଶିଳ୍ପ ଚାତୁରୀ ଦେଲେ ଆରେ ସ୍ବତଃ ସୌନ୍ଦର୍ଯ୍ୟବୋଧର ତରଙ୍ଗ ଉଠେ । ଉତ୍ତରପ୍ରଦେଶର କାଚଶିଳ୍ପ ଦେଖୁଲେ ଶିଳ୍ପୀର ଶିଳ୍ପକଳା ପାଖରେ ମୁଣ୍ଡ ନଇଁଯାଏ । ମଣିଷର ହାତର କଳା କେତେ ଉଚ୍ଚକୋଟୀର , ଅସାଧାରଣ ହୋଇପାରେ ତା’ର ପ୍ରମାଣ ମିଳେ । ୧୬ଟି ରାଜ୍ୟର ଶହେ ଜଣ ଶିଳ୍ପୀ ଓ କାରିଗର ସେମାନଙ୍କର ଶିଳ୍ପକଳା , ଭାରତୀୟ କଳାଚେତନା ଓ ଶିଳ୍ପନୈପୁଣ୍ୟର ଗରିମାକୁ ଏହି ଗାନ୍ଧୀ ଶିଳ୍ପ ବଜାର ପ୍ରତିପାଦନ କରୁଛନ୍ତି । ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖ ଦିନ ଗାନ୍ଧୀ ଶିଳ୍ପ ବଜାର ୨୦୨୧ର ଅନ୍ତିମ ଦିବସ ।