୧୯୨୧ ମାର୍ଚ୍ଚ ୨୯କୁ ସ୍ମରଣ କରନ୍ତି ବ୍ରହ୍ମପୁରବାସୀ | News Room Odisha

୧୯୨୧ ମାର୍ଚ୍ଚ ୨୯କୁ ସ୍ମରଣ କରନ୍ତି ବ୍ରହ୍ମପୁରବାସୀ

ଲେଖକ: ପ୍ରତିଭା ନେପାକ

ଆଜିକୁ ୧୦୦ ବର୍ଷ ତଳର କଥା । ଜାତିର ପିତା, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଦ୍ବିତୀୟ ନାୟକ ମହାତ୍ମା ଗାନ୍ଧୀଙ୍କ ପାଦ ପ୍ରଥମ କରି ଓଡ଼ିଶା ମାଟିରେ ପଡ଼ିଥିଲା । ଆଉ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ସେତେବେଳେ ପ୍ରଥମ କରି ପରିଦର୍ଶନ କରିଥିଲେ ବାପୁଜୀ।ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁରର ବାରାକ୍ସ ପଡ଼ିଆରେ ବିଶାଳ ସାଧାରଣ ସଭା କରି ହଜାର ହଜାର ଲୋକଙ୍କୁ ସ୍ୱାଧୀନତା ଆନ୍ଦୋଳନର ମନ୍ତ୍ର ଶୁଣାଇଥିଲେ । ତାଙ୍କୁ ଦେଖିବାକୁ, ଶୁଣିବାକୁ କେବଳ ବ୍ରହ୍ମପୁର କି ଗଞ୍ଜାମ ନୁହେଁ, ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଏଠାକୁ ଛୁଟି ଆସିଥିଲା । ଏବେ ଉକ୍ତ ଗସ୍ତର ଶତବାର୍ଷିକୀ ଉତ୍ସବ ପାଳିତ ହେବାକୁ ଯାଉଛି । ଖୁସିର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର ପିତାଙ୍କ ପ୍ରଥମ ଓଡ଼ିଶା ଗସ୍ତର ସ୍ମୃତିଚାରଣ ସ୍ଵରୂପ ଅନେକ ସୁନ୍ଦର କାର୍ଯ୍ୟକ୍ରମ କରି ଆଜିକାର ପୀଢ଼ିଙ୍କୁ ସେଇ ମହାପୁରୁଷଙ୍କ ଜୀବନାଦର୍ଶର ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି । ଏପରିକି ବିଧାନସଭାରେ ଏହି ଅବସରରେ ସ୍ଵତନ୍ତ୍ର ଆଲୋଚନା ଅଧିବେଶନ ମଧ୍ୟ କରାଯାଇ ଥିଲା । ଓଡ଼ିଶାବାସୀଙ୍କ ତଥା ରାଜ୍ୟ ସରକାରଙ୍କ ମହାତ୍ମାଙ୍କ ପ୍ରତି ଏହା ଅବିସ୍ମରଣୀୟ ଶ୍ରଦ୍ଧାଞ୍ଜଳି ।

୧୯୨୧ ମାର୍ଚ୍ଚ ୨୩ରେ ଓଡ଼ିଶାକୁ ପ୍ରଥମ ଥର ଆସିଥିଲେ ମହାତ୍ମା ଗାନ୍ଧୀ । କଟକରୁ ଆରମ୍ଭ ହୋଇଥିଲା ତାଙ୍କର ଏହି ପ୍ରଥମ ଓଡ଼ିଶା ଗସ୍ତ । ୨୪.୩.୧୯୨୧ରେ ସେଠିକାର କଦମ୍ – ଏ – ରସୁଲ ପଡ଼ିଆ, ବିନୋଦ ବିହାର ଓ କାଠଯୋଡ଼ି ନଦୀ ତଟରେ କରିଥିଲେ ବିଶାଳ ସଭା । ଅସହଯୋଗ ଆନ୍ଦୋଳନର ମନ୍ତ୍ର ଓଡ଼ିଆ ଲୋକଙ୍କ ମନ ଓ ହୃଦୟରେ ବୁଣି ଦେଇଥିଲେ । ସେମାନଙ୍କୁ ଦେଶର ସ୍ୱତନ୍ତ୍ରତା ଆନ୍ଦୋଳନରେ ମଜବୁତର ସହ ଯୋଡ଼ି ହୋଇଯିବାକୁ ପ୍ରେରଣା ଦେଇଥିଲେ । ମାର୍ଚ୍ଚ ୨୫ରେ ଭଦ୍ରକସ୍ଥିତ ଗାନ୍ଧୀ ପଡ଼ିଆରେ ସଭା ପରେ ସତ୍ୟବାଦୀ ବନ ବିଦ୍ୟାଳୟ ବୁଲି ୨୭ ତାରିଖରେ ପୁରୀରେ ବିଶାଳ ଜନସମାଗମକୁ ସମ୍ବୋଧିତ କରିଥିଲେ । ନିଜ ପ୍ରଥମ ଗସ୍ତର ଶେଷ ପର୍ଯ୍ୟାୟରେ ବ୍ରହ୍ମପୁରରେ ପହଞ୍ଚିଥିଲେ ଗାନ୍ଧିଜୀ । ବାରାକ୍ସ ପଡ଼ିଆରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଅସହଯୋଗ ଆନ୍ଦୋଳନ ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ନିଜକୁ ମନ – ପ୍ରାଣ – ହୃଦୟ ସହ ସାମିଲ ହେବାକୁ ଅଭିମନ୍ତ୍ରିତ କରିଥିଲେ ବାପୁଜୀ । ରେଳଷ୍ଟେସନରେ ଓହ୍ଲାଇ ପୁରୁଣା ବ୍ରହ୍ମପୁର ମ୍ୟୁନିସିପାଲିଟି ଅଫିସ୍ ଯିବା ସହ ସେଠାରୁ ବାରାକ୍ସ ପଡ଼ିଆ ଯାଇଥିଲେ । ସେହି ନିକଟ (ବର୍ତ୍ତମାନର ପୁରୁଣା ଆମ୍ବ ବଜାର ପାଖ) ଆଇନଜୀବୀ ମଧୁସୂଦନ ପାଣିଗ୍ରାହୀଙ୍କ ବାସଭବନ (ମଧୁ ମନ୍ଦିର)ରେ ରାତ୍ରଯାପନ କରିଥିଲେ ଗାନ୍ଧିଜୀ । ପରଦିନ ବ୍ରହ୍ମପୁରରୁ ବିଜୟୱାଡା ଯାତ୍ରା କରିଥିଲେ ସେ ।

ପ୍ରଥମ ବ୍ରହ୍ମପୁର ଗସ୍ତ ବେଳେ ଏହି କୋଠାରେ ରାତ୍ରଯାପନ କରିଥିଲେ ଗାନ୍ଧିଜୀ

୧୯୨୭ ଡିସେମ୍ବର ୪ – ୨୧ ତାରିଖ ମଧ୍ୟରେ ସ୍ୱଦେଶୀ ଆନ୍ଦୋଳନର ପ୍ରଚାର ତଥା ଖଦୀ ବସ୍ତ୍ରର ପ୍ରସାର ଲକ୍ଷ୍ୟରେ ସେ ଦ୍ବିତୀୟ ଥର ଗଞ୍ଜାମ ଗସ୍ତ କରିଥିଲେ । ସ୍ଵାଧୀନତାର ବର୍ଷକ ପୂର୍ବରୁ ୧୯୪୬ ଜାନୁଆରୀ ୨୦ରେ ସେ ଓଡ଼ିଶା ଦେଇ ଚେନ୍ନାଇ ଅଭିମୁଖେ ଟ୍ରେନରେ ଗଲା ବେଳେ ବ୍ରହ୍ମପୁର ଷ୍ଟେସନ୍‌ରେ ସହସ୍ରାଧିକ ସମର୍ଥକ, ଗାନ୍ଧୀବାଦୀଙ୍କୁ ଷ୍ଟେସନରେ ଭେଟିଥିଲେ । ଏହା ଥିଲା ଗାନ୍ଧିଜୀଙ୍କ ତୃତୀୟ ତଥା ଶେଷ ଗଞ୍ଜାମ (ବ୍ରହ୍ମପୁର) ଗସ୍ତ । ଓଡ଼ିଶାକୁ ମୋଟ ୮ ଥର ଗସ୍ତ କରିଥିବା ବେଳେ ସେଥିରୁ ୩ ଥର ଗଞ୍ଜାମବାସୀ ଏହି ଅଦ୍ବିତୀୟ ମହାନ ନେତାଙ୍କୁ ପାଖରୁ ଭେଟିବା, ଦର୍ଶନ କରିବାର ସୁଯୋଗ ପାଇଥିଲେ।। ବ୍ରହ୍ମପୁର ବ୍ୟତୀତ ଗଞ୍ଜାମ ଜିଲ୍ଲାର ରମ୍ଭା (ଲବଣ ସତ୍ୟାଗ୍ରହ), ଶେରଗଡ଼ ଆଦି ଅଞ୍ଚଳ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଗସ୍ତ ସହ ପରୋକ୍ଷ ଭାବେ ଜଡ଼ିତ ।

ଗାନ୍ଧିଜୀଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତର ସନ୍ତକ ମଧୁ ମନ୍ଦିର।

ଗାନ୍ଧୀଜୀଙ୍କ ବିଚାର ହେଉଛି ତାଙ୍କର ସବୁଠୁ ବଡ଼ ଅବଦାନ ବୋଲି ଶତବାର୍ଷିକୀ କାର୍ଯ୍ୟକ୍ରମର ପ୍ରଥମ ଦିନରେ ନିଜ ଉଦବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପୁଙ୍କ ସହିଷ୍ଣୁତା , ସଂହତି ଓ ବହୁବାଦର ଆଜି ବି ପ୍ରାସଙ୍ଗିକତା ରହିଥିବା ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ସେହି ଅନୁସାରେ ତାଙ୍କ ବିଚାର ବାବଦରେ ସମସ୍ତଙ୍କୁ ଅବଗତ କରାଇବା ନେଇ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଡାକ ବିଭାଗ ତରଫରୁ ଡାକ ଟିକଟ ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଥିବା ସ୍ୱତନ୍ତ୍ର ଲଫାଫା ପ୍ରକାଶନ, କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ, ବ୍ରହ୍ମପୁର ସମେତ କଟକ, ଭଦ୍ରକ, ସତ୍ୟବାଦୀ ଓ ପୁରୀ ରେଳ ଷ୍ଟେସନରେ ଗସ୍ତର ନିଦର୍ଶନ ସ୍ବରୂପ ଫଟୋଚିତ୍ର ପ୍ରଦର୍ଶିତ ହେବ । କେନ୍ଦ୍ର କ୍ଷେତ୍ର ପ୍ରଚାର ସଂସ୍ଥା, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି । ବ୍ରହ୍ମପୁରରେ ବିଭିନ୍ନ ସଙ୍ଗଠନ ସମେତ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ କମିଟି ମଧ୍ୟ ଏଥିରେ ସହଯୋଗ କରି ଆସୁଛି । ବହୁ ଜନପ୍ରତିନିଧି, ସ୍ଵାଧୀନତା ସଂଗ୍ରାମୀ, ରାଜନେତା, ବୁଦ୍ଧିଜୀବୀ ଏହି କମିଟିରେ ସାମିଲ ଅଛନ୍ତି । ମାର୍ଚ୍ଚ ୩୦ ଅପରାହ୍ନରେ ବ୍ରହ୍ମପୁର ଷ୍ଟେସନରୁ ସର୍ବଦଳୀୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ବ୍ରହ୍ମପୁର ଷ୍ଟାଡିୟମ୍ (ପୁରାତନ ବାରାକ୍ସ ପଡ଼ିଆ)ରେ ପହଞ୍ଚିବ । ଏକ ପ୍ରଚାର ଯାନରେ ବାପୁଜୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ବୟ ବୈଶିଷ୍ଟ୍ୟ ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସା ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ ପ୍ରଦର୍ଶିତ ହେବ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ସ୍ମରଣିକା ପ୍ରକାଶନ କରାଯିବ ସହ ୨୩ରୁ ହିଲପାଟଣାସ୍ଥିତ ସଂସ୍କୃତି ଭବନରେ ଆରମ୍ଭ ହେଉଥିବା ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପ୍ରଥମ ଦିନ ଗାନ୍ଧିଜୀଙ୍କ ଓଡ଼ିଶା ସହ ସମ୍ପର୍କ ଆଧାରିତ ଏକ ନାଟକ ପରିବେଷଣ କରାଯିବ ।

ପ୍ରତିଭା ନେପାକ
ଲେଖକ ତଥା ଇତିହାସ ଗବେଷକ