ନାଟକ ଗାନ୍ଧୀଙ୍କ ଓଡ଼ିଶା ପରିବେଷିତ "ଗାନ୍ଧୀବାଦର ପ୍ରାସଙ୍ଗିକତା ଯୁଗେ ଯୁଗେ ରହିଛି " | News Room Odisha

ନାଟକ ଗାନ୍ଧୀଙ୍କ ଓଡ଼ିଶା ପରିବେଷିତ “ଗାନ୍ଧୀବାଦର ପ୍ରାସଙ୍ଗିକତା ଯୁଗେ ଯୁଗେ ରହିଛି “

ସମ୍ବଲପୁର : ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ଅନେକ ପିଢିକୁ ବାଟ କଢାଉଥିବା ଗାନ୍ଧୀବାଦର ପ୍ରାସଂଗିକତା ଯୁଗେ ଯୁଗେ ରହିଛି । ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଗାନ୍ଧୀଙ୍କ ଓଡିଶା ନାଟକ ପରିବେଷଣ ଅବସରରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସମ୍ବଲପୁରରେ କଲଚରାଲ ଆସୋସିଏସନ୍ ପକ୍ଷରୁ ଝାଡୁଆପଡା ଆରଣ୍ୟକ ମଂଚରେ ପରିବେଷିତ ଏହି ନାଟକ ଅବସରରେ ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ବିଷାରଦ ଡ . ଦିଲ୍ଲୀପ ପଣ୍ଡା , ନାଟ୍ୟଶ୍ରୀ ଜୟ ପଞ୍ଚାନନ ମିଶ୍ର ଏବଂ ଆସୋସିଏସନ୍‌ର ମୁଖ୍ୟ ସତ୍ୟରଞ୍ଜନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ନାଟକରେ ମହାତ୍ମା ଗାନ୍ଧୀଙ୍କ ସହ ଓଡ଼ିଶାର ସଂପର୍କ ଏବଂ ତାଙ୍କ ଆଗମନର ଇତିହାସକୁ ଅତି ମାର୍ମିକ ଭାବେ ଉପସ୍ଥାପନ କରାଯାଇଥିଲା ।

ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂଗୀତ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ‘ ଗାନ୍ଧୀଙ୍କ ଓଡ଼ିଶା ’ ନାଟକ ମଞ୍ଚସ୍ଥ ହୋଇଛି । ଝାରସୁଗୁଡ଼ା ଜିଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ପକ୍ଷରୁ ମଧ୍ୟ ସ୍ଥାନୀୟ ରତ୍ନ ମଣ୍ଡପଠାରେ ଏହା ପରିବେଷିତ ହୋଇଥିଲା । ଏହା ପୂର୍ବରୁ ସନ୍ଧ୍ୟାରେ ବେଲପାହାଡ଼ ମହାତ୍ମା ଗାନ୍ଧି ସ୍ମୃତି ସଦନଠାରୁ ଏକ ଶୋଭାଯାତ୍ରା ବାହାରି ରତ୍ନ ମଣ୍ଡିରେ ସମାପ୍ତ ହୋଇଥିଲା । ଏଥିରେ ବହୁ ସଂଗଠନର ଶତାଧିକ କର୍ମକର୍ତ୍ତାଙ୍କ ସହ ଉପସ୍ଥିତ ଥିଲେ । ଏହି ଅବସରରେ ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥ , ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ , ବେଲପାହାଡ଼ ନାଗରିକ ମଂଚର ଆବାହକ ଶ୍ୟାମ ସୁନ୍ଦର ଶତପଥୀ , ଡିଆଇପିଆରଓ ଅଜୟ ଜେନା , ମିରର ଥିଏଟର ନିର୍ଦ୍ଦେଶକ ସୁବାସ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଗାନ୍ଧୀ ୧୯୩୪ ମସିହା ମଇ ମାସ ୫ ତାରିଖ ଦିନ ଝାରସୁଗୁଡ଼ା ମାଟିକୁ ପଦାର୍ପଣ କରି ଝାରସୁଗୁଡ଼ା ରେଳ ଷ୍ଟେସନରୁ ଚାଲି ଚାଲି ମଙ୍ଗଲବଜାର ମୁଙ୍ଗାପଡ଼ାଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବିହାରୀରାମ ତନ୍ତ୍ରୀଙ୍କ ଘରେ ରାତ୍ରି ଯାପନ କରିଥିଲେ । ଏହାଛଡ଼ା ଉତ୍କଳ ମଣି ଗୋପବନ୍ଧୁ ମଧ୍ୟ ଏହି ଘରକୁ ପଦାର୍ପଣ କରି ଏହି ଅଂଚଳରେ ଗାନ୍ଧୀଙ୍କ ବାର୍ତ୍ତାକୁ ପ୍ରଚାର କରିଥିଲେ । ତେବେ ଏହି ଅବସରରେ ସ୍ୱର୍ଗତ ବିହାରୀରାମ ତନ୍ତ୍ରୀଙ୍କ ସୁପୁତ୍ର ଦୁର୍ଗାପ୍ରସାଦ ତନ୍ତ୍ରୀଙ୍କୁ ମଂଚରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ଶଙ୍କର ତ୍ରିପାଠୀଙ୍କ ରଚନା ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶନାରେ ‘ ଗାନ୍ଧିଙ୍କ ଓଡ଼ିଶା ’ ନାଟକ ସଂଚସ୍ଥ ହୋଇଥିଲା ।

ନାଟକର କାହାଣୀରେ ୧୯୨୧ ମସିହା ମାର୍ଚ୍ଚ ମାସ ୨୧ ତାରିଖ ଦିନ ଗାନ୍ଧିଙ୍କ ଓଡ଼ିଶା ଆଗମନ ପରେ ଦାଣ୍ତି ଅଭିଯାନ , ଲବଣ ସତ୍ୟାଗ୍ରହ ଆଦି ସମସ୍ତ ବାସ୍ତବିକ ଐତିହାସିକ କାହାଣୀକୁ ନେଇ ଏହି ନାଟକ ଚିତ୍ରଣ କରାଯାଇଛି । ଯାହାକୁ କଳାକାରମାନେ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ ।