ସେନାରେ ମହିଳା ଅଫିସରଙ୍କ ସ୍ଥାୟୀ କମିଶନ ନେଇ ପାତରଅନ୍ତର ନୀତିକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା | News Room Odisha

ସେନାରେ ମହିଳା ଅଫିସରଙ୍କ ସ୍ଥାୟୀ କମିଶନ ନେଇ ପାତରଅନ୍ତର ନୀତିକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

ନୂଆଦିଲ୍ଲୀ – ଭାରତୀୟ ସେନା ଓ ନୌସେନାରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଦେବାକୁ ଦାବି କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି । ସଠିକ୍ ପ୍ରକ୍ରିୟାର ଅନୁପାଳନ ପୂର୍ବକ ମାସକ ଭିତରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ସେନା ଓ ନୌସେନାକୁ ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥାୟୀ କମିଶନ ପାଇଁ ମହିଳା ଅଧିକାରୀଙ୍କ ଲାଗି ଧାର୍ଯ୍ୟ ମେଡିକାଲ ଫିଟନେସ୍ ମାପଦଣ୍ଡକୁ ସୁପ୍ରିମକୋର୍ଟ ମନମୁଖୀ ଓ ଅଯୌକ୍ତିକ ବୋଲି ଅଭିହିତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମ ସାମାଜିକ ବ୍ୟବସ୍ଥା ପୁରୁଷମାନେ ପୁରୁଷ ମାନଙ୍କ ପାଇଁ ହିଁ କରିଛନ୍ତି । ଯଦି ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ ନ କରାଯାଏ, ତେବେ ମହିଳାଙ୍କୁ ପୁରୁଷ ସମାନ ସୁଯୋଗ ମିଳିବ ନାହିଁ ।

ସ୍ଥଳସେନାରେ ପୁରୁଷଙ୍କ ସହ ମହିଳା ଅଧିକାରୀଙ୍କୁ ସମାନ ଅଧିକାର ଦେବା ନେଇ ସୁପ୍ରିମକୋର୍ଟ ଗତବର୍ଷ ଫେବୃୟାରୀରେ ଆଦେଶ ଦେଇଥିଲେ । ସେନା ଏହି ଆଦେଶର ପାଳନ କରିନଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ରାୟ ଶୁଣାଇବା ବେଳେ କହିଛନ୍ତି ଯେ, ସେବାର ଗୋପନୀୟ ରେକର୍ଡ ବଜାୟ ରଖିବାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ । ଏହାର ମୂଲ୍ୟାଙ୍କନ ପ୍ରକ୍ରିୟା ନୂଆ କରି ସ୍ଥିର ହେଉ, ଯଦ୍ୱାରା କୌଣସି ଅଧିକାରୀ ଯେଭଳି ଭେଦଭାବର ଶିକାର ନ ହୁଅନ୍ତି । ଅନେକ ମହିଳା ଅଧିକାରୀ ଫିଟ୍‌ନେସ୍ ସହ ଅନ୍ୟ ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କମିଶନ ଦିଆଯାଇ ନଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।