ଗଞ୍ଜାମ: କୋଭିଡ୍ କଟକଣା ମଧ୍ୟରେ ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ | News Room Odisha

ଗଞ୍ଜାମ: କୋଭିଡ୍ କଟକଣା ମଧ୍ୟରେ ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ବ୍ରହ୍ମପୁର: ସେ ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ। ହେଲେ ତାଙ୍କ ଦର୍ଶନ ପାଇଁ ଆମ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ। ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ବେଶ୍ ପ୍ରସିଦ୍ଧ। ଭକ୍ତଙ୍କ ବିଶ୍ବାସ ମଙ୍ଗଳବାରରେ ଏଠି ଛୁଆଙ୍କ ମୁଣ୍ଡନ କଲେ ଦେବୀଙ୍କ ଆଶୀଷ ପ୍ରାପ୍ତି ହୁଏ। ତେଣୁ ଚୈତ୍ର ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ଭକ୍ତ। ତେବେ ଗତବର୍ଷ ଦେବୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବାଧକ ସାଜିଥିଲା କରୋନା ମହାମାରୀ। ହୋଇପାରି ନଥିଲା ଯାତ୍ରା।

କିନ୍ତୁ ଜିଲ୍ଲାରେ ମହାମାରୀ ଉପରେ ନିୟନ୍ତ୍ରଣ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ନିମନ୍ତେ ମନ୍ଦିରର ଦ୍ବାର ଖୋଲି ଦେଇଥିଲା। ଆଉ ଏବେ କୋଭିଡ୍ କଟକଣା ମଧ୍ୟରେ ମଙ୍ଗଳବାର ଭୋରରୁ ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ଚୈତ୍ର ପାଳି ଯାତ୍ରା। ପ୍ରଶାସନର ଗାଇଡଲାଇନ୍ ମାନି ହଜାର ହଜାର ମହିଳା ପୁରୁଷ ନିଜ ଛୁଆଙ୍କ ମୁଣ୍ଡନ କରାଇବା ସହ ମା’ଙ୍କ ଦର୍ଶନ, ପୂଜା କରିଛନ୍ତି।

ମନ୍ଦିର ପରିସର ଏଥିପାଇଁ ଫୁଲ ଓ ଆଲୋକମାଳାରେ ସୁସଜ୍ଜିତ ହୋଇଛି। କଟକଣା ମଧ୍ୟରେ ଶ୍ରଦ୍ଧାଳୁ ଯେପରି ସୁବିଧାରେ ଦେବୀଙ୍କ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ସବୁ ପ୍ରକାରର ବ୍ୟବସ୍ଥା କରିଛି। ଭକ୍ତଙ୍କ ମନ ଆନ୍ଦୋଳିତ ଯେ ଆରାଧ୍ୟା ଠାକୁରାଣୀଙ୍କ ଦର୍ଶନ କରି ମା’ଙ୍କ ଆର୍ଶୀବାଦ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ କୋଟି ଟଙ୍କା ବିନିଯୋଗରେ ଏହି ପୀଠରେ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ଚାଲିଛି। ପୀଠର ନବ କଳେବର କାର୍ଯ୍ୟ ପରେ ଶୀଘ୍ର ଏହାର ବିଧିବଦ୍ଧ ପ୍ରତିଷ୍ଠା ସମ୍ପନ୍ନ କରାଯିବ।

GanjamTara Tarini Temple