ଗଞ୍ଜାମ: କଟକଣାକୁ ଅଣଦେଖା- ମହାମାରୀ ପଡ଼ିବ ଭାରୀ | News Room Odisha

ଗଞ୍ଜାମ: କଟକଣାକୁ ଅଣଦେଖା- ମହାମାରୀ ପଡ଼ିବ ଭାରୀ

ସାଧାରଣତଃ ଓଡ଼ିଶା ବା ଗଞ୍ଜାମରେ ଚୈତ୍ର ମାସରେ ଅପେକ୍ଷାକୃତ ଅଧିକ ଯାନିଯାତ୍ରା ଆୟୋଜିତ ହୁଏ । ଦେବୀ ପୀଠମାନଙ୍କରେ ଚୈତ୍ର ମଙ୍ଗଳବାର ଯାତ୍ରା ହେଉ ବା ଗାଁ ଠାକୁରାଣୀ ଯାତ୍ରା, ରେଶମ ସହରର ପ୍ରସିଦ୍ଧ ଦ୍ବିବାର୍ଷିକ ବୁଢ଼ି ଠାକୁରାଣୀ ଯାତ୍ରା ଅଥବା ଲାଞ୍ଜିପଲ୍ଲୀର ତାରାଦେବୀ ଯାତ୍ରା, ପୁଣି ସାର୍ବଜନୀନ ଭାବେ ପାଳିତ ହନୁମାନ ଜୟନ୍ତୀ ଓ ଶ୍ରୀରାମ ନବମୀ ସାଙ୍ଗକୁ ଓଡ଼ିଆ ନବବର୍ଷ ବା ମେରୁ ପର୍ବ ବା ପଣା ସଂକ୍ରାନ୍ତି ଆଦି ପର୍ବପର୍ବାଣୀ ଏହି ସମୟରେ ପାଳିତ ହୁଏ। ବର୍ତ୍ତମାନ ସେହି ସମୟ ଆସିଯାଇଛି । ଗାଁ ହେଉ କି ସହର ଦଣ୍ଡ ନାଚ ଓ ଚୈତ୍ର ମଙ୍ଗଳବାର ଯାତ୍ରାରେ କମ୍ପି ଉଠୁଛି । ତେବେ ତାହାକୁ ତାଳ ଦେଇ କରୋନା ସଂକ୍ରମଣ ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ଗତ ବର୍ଷ ଏହି ସମୟରେ ଆମ ରାଜ୍ୟରେ ଦେଖାଦେଇଥିଲା କୋଭିଡ୍- ୧୯ର ପ୍ରାଥମିକ ଲହରି । ଯଦିଓ ଚଳିତ ବର୍ଷ ଆରମ୍ଭରୁ ସେହି ଧାରା ତଳମୁହାଁ ହୋଇଥିଲା, କିନ୍ତୁ ଏବେ ଅନ୍ୟ କିଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ସାଙ୍ଗକୁ ଆମ ରାଜ୍ୟରେ ମଧ୍ୟ ଗତ କିଛି ଦିନ ହେଲା ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଛି । ତେଣୁ ପୁଣି ଥରେ ଲକଡାଉନ୍, ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଆଦି କଟକଣାକୁ ଏଡ଼ାଇବାକୁ ହେଲେ ଆମକୁ ସଦାସର୍ବଦା ସଜାଗ ରହିବାକୁ ହେବ। ପୂର୍ବବତ୍ ମାସ୍କ ପରିଧାନ, ହାତଧୁଆ, ସାନିଟାଇଜର ବ୍ୟବହାର ଆଉ ସର୍ବୋପରି ଭିଡ଼ରୁ ଦୂରେଇ ରହି ସାମାଜିକ ଦୂରତା ରକ୍ଷା ଭଳି ନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ହେବ। ନଚେତ୍ ମହାମାରୀ ଯେ ଆମ ଉପରେ ଭାରୀ ପଡ଼ିବ ଏଥିରେ ଦ୍ବିମତ ନାହିଁ ।

ଖୁସିର କଥା ଯେ ଆମ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପ୍ରଶାସନିକ ଟିମ୍‌କୁ ଧନ୍ୟବାଦ ଜଣାଇବା କଥା ଯେ- ଯଥେଷ୍ଟ ଆଗରୁ ସତର୍କତା ଓ ପ୍ରତିକାର ପଦକ୍ଷେପ ଗ୍ରହଣ କରି ମହାମାରୀକୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଯଥେଷ୍ଟ ପରିମାଣରେ ସୀମିତ ରଖିବାରେ ସଫଳ ହୋଇଥିଲେ । ଏତିକି ନୁହେଁ କୋଭିଡ୍ ମୁକାବିଲାରେ ଓଡ଼ିଶା ତଥା ଗଞ୍ଜାମ ମଡେଲ୍ ସାରା ଦେଶ ସାଙ୍ଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଅକ୍ସଫୋର୍ଡ ୟୁନିଭର୍ସିଟି ଭଳି ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପ୍ରଶଂସିତ ହୋଇପାରିଥିଲା। ତେବେ ଅତୀତ ସର୍ବଦା ଇତିହାସ। ବର୍ତ୍ତମାନ ଓ ଭବିଷ୍ୟତ ହିଁ ମାନବ ସମାଜ, ଜାତି ତଥା ରାଜ୍ୟ ପାଇଁ ମହତ୍ତ୍ଵ ରଖେ । ଏଣୁ ଆଜିକାର ସମୟରେ ପୁଣି ଯେତେବେଳେ କରୋନା ତାର କଡ଼ ଲେଉଟାଇବାର ସଙ୍କେତ ଦେଉଛି, ଆମକୁ ଅଧିକ ସତର୍କ ଓ ସଜାଗ ରହିବାକୁ ହେବ।

କୋଭିଡ୍- ୧୯କୁ ପ୍ରତିହତ କରିବା ପାଇଁ କିଛି କଟକଣା ଲାଗୁ କରିଛି ଜିଲ୍ଲା ପ୍ରଶାସନ । ରାଜ୍ୟ ସରକାର ମଧ୍ୟ ଏପ୍ରିଲ୍ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଯଦି ଆମେ ତାହାକୁ ମାନିବା ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ଲୋକ, ପଡ଼ୋଶୀ, ସାହି, ଗାଁ ବା ସହରକୁ ସୁରକ୍ଷିତ ରଖିପାରିବା। ଆଉ ନମାନିଲେ ଆମକୁ ହୁଏତ ପୁଣି ଥରେ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେଣୁ ବେଳ ଥାଉ ଥାଉ ସାବଧାନ ହେଲେ ଆମେ ନିରାପଦ ରହି ପାରିବା । ୨୦୨୦ ମେ ୨ରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ଦୁଇ ଜଣ କରୋନା ପଜିଟିଭ ଠାବ ହୋଇଥିଲେ । ସେବେଠାରୁ ଆରମ୍ଭ ହୋଇଥିବା ଏହି ଧାରାରେ ବ୍ରେକ୍ ଲାଗିଥିଲା ଗତ ଫେବ୍ରୁଆରୀ ମାସ ୨୧ ତାରିଖରେ ଯେଉଁ ଦିନ ଜିଲ୍ଲାରେ କୋଭିଡ୍ ପଜିଟିଭ୍ ସଂଖ୍ୟା ଶୂନ ହୋଇଥିଲା । କିନ୍ତୁ ଗତ ସପ୍ତାହକ ମଧ୍ୟରେ ଜିଲ୍ଲାରେ ପୁଣି ୩୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର ବିଷୟ । ଏପ୍ରିଲ୍ ୧ ସୁଦ୍ଧା ଜିଲ୍ଲାରେ ୨୪ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଜିଲ୍ଲାରେ ସାଧାରଣ ଲୋକଙ୍କ ଜୀବନ ଜୀବିକା, ଆଧ୍ୟାତ୍ମିକ ଭାବନା ବନାମ ମହାମାରୀ ମୁକାବିଲା ମଧ୍ୟରେ ସନ୍ତୁଳନ ରକ୍ଷା ଲାଗି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ଯେପରି ଦଣ୍ଡ ଯାତ୍ରାରେ ସଂଖ୍ୟା ୫୦ ଟପିବ ନାହିଁ, ଭୋଜିଭାତରେ ଅଂଶଗ୍ରହଣକାରୀ ୨୦୦ରୁ ଅଧିକ ହେବେନି ଆଦି । ଚୈତ୍ର ଯାତ୍ରା ହେବ, କିନ୍ତୁ ରୋଷେଇ ମନା । ଦଣ୍ଡଯାତ୍ରାରେ ପ୍ରସାଦ ସେବନ ବାରଣ । ସଚେତନାକୁ ଗୁରୁତ୍ବ ଦେଉଛି ପ୍ରଶାସନ । କିନ୍ତୁ ସ୍ଥିତି ଧିରେ ଧିରେ ବିଗୁଡୁଥିବା ଦେଖି ଏବେ ଏନ୍‌ଫୋର୍ସମେଣ୍ଟ୍ ପ୍ରତି ମଧ୍ୟ ପ୍ରଶାସନ ଜୋର ଦେବାକୁ ଚିନ୍ତା କରୁଛି । ଦୋକାନ, ସପିଙ୍ଗ୍ ମଲ୍ ଆଦିରେ ପଞ୍ଚସୂତ୍ରୀ ନିୟମ ପାଳନ ନହେଲେ ଏଣିକି ତାହାକୁ ସିଲ୍ କରି ଦିଆଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଥିସହ ପୁଣି ପୁଲିସ ତରଫରୁ ମାସ୍କ ଯାଞ୍ଚ ସହ ଜରିମାନା ଆଦାୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣର ସଙ୍କେତ ଦିଆଯାଇଛି । ଏବେ ସଚେତନ କରାଯାଉଛି, ସ୍ଥିତି ଦେଖି ଜରିମାନା ଆଦାୟ ହେବ । ଉଭୟ ବିଏମ୍‌ସି ( ବ୍ରହ୍ମପୁର ମହାନଗର ନିଗମ ) ଏବଂ ପୁଲିସ ଏନ୍‌ଫୋର୍ସମେଣ୍ଟ କଡାକଡି କରିବେ ବୋଲି କହିଛନ୍ତି ବିଏମ୍‌ସି କମିଶନର ଡ.ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ।

ମହାମାରୀ ମୁକାବିଲା ଦୃଷ୍ଟିରୁ ଗୋଷ୍ଠୀ ପ୍ରତିରୋଧକ (ହର୍ଡ ଇମ୍ୟୁନିଟି) ସୃଷ୍ଟି ନିମନ୍ତେ ଏକ ନୂଆ ମାର୍ଗ ଦେଖାଇଛନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର। ଟିକାକରଣ ନେଇ ସରକାର ସଚେତନତା ସୃଷ୍ଟି କରିବା ସାଙ୍ଗକୁ ମାଗଣା ଟିକା ଯୋଗାଇଲେ ମଧ୍ୟ ଅନେକ ଲୋକ ନାନାଦି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଟିକା ନେବାକୁ ଅନାଗ୍ରହ ଦେଖାଉଛନ୍ତି । କିନ୍ତୁ ପ୍ରଫେସର ମହାପାତ୍ରଙ୍କ ମତରେ- ରାଜ୍ୟରେ ୭୦ ଲକ୍ଷ ଏସ୍ଏଚଜି ସଦସ୍ୟା ରହିଛନ୍ତି । ସେମାନେ ଯଦି ସର୍ବନିମ୍ନ ୪ ଜଣଙ୍କୁ ଟିକାକରଣ ନିମନ୍ତେ ପ୍ରେରଣା ଦେବେ, ତେବେ ଅର୍ଦ୍ଧେକ ଓଡ଼ିଶାବାସୀଙ୍କ ଟିକାକରଣ ହୋଇଯିବ । ସରକାର ଏଥିପ୍ରତି ଦୃଷ୍ଟି ଦେବା ଉଚିତ । କଟକଣା ନମାନିଲେ ସଂକ୍ରମଣ ମାଡ଼ି ଚାଲିବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।