ଭୁବନେଶ୍ବର: ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ବପୂର୍ଣ୍ଣ ସେତୁର ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ଭଙ୍ଗାଯାଇ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ବରକୁ ଦୂରତା ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯାତାୟତରେ ସୁବିଧା ଆସିବ।
ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି । ଏହି ସେତୁ ଦ୍ବାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି ।
ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛି। ସଡକ, ସେତୁ ନିର୍ମାଣରେ ବହୁଳ ଭାବରେ ବିକାଶ ଆସିଛି । ପର୍ଯ୍ୟଟନ, ଖେଳ ଆଦି କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡକ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟର ଭିତ୍ତିଭୂମି ଆପଣମାନଙ୍କ ସମ୍ପତ୍ତି । ଆପଣଙ୍କ ଟଙ୍କାରେ, ଆପଣଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି । ତେଣୁ ଆପଣମାନେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି ।
ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଦେଉଛି । କିନ୍ତୁ ବିପଦ ଏବେ ବି ଯାଇନାହିଁ । ଦ୍ବିତୀୟ ଲହରର ଭୟ ରହିଛି । ତେଣୁ ଆପଣମାନଙ୍କୁ ମୋର ନିବେଦନ, ଆପଣମାନେ କୋଭିଡର ସବୁ ନିୟମକୁ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ ଜାଗାରେ ସାମାଜିକ ଦୂରତା ରଖନ୍ତୁ ।
ଏହି କାର୍ଯ୍ୟକ୍ରମ ରେ ଆସ୍କା ସାଂସଦ, ଆସ୍କା ବିଧାୟକ, ଜିଲ୍ଲା ପରିଷଦ ସଭାପତି ଓ ଜିଲ୍ଲାପାଳ ପ୍ରମୁଖ ଉଦବୋଧନ ଦେଇଥିଲେ ।