ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ | News Room Odisha

ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ହୋଇଛି ଓଡ଼ିଶା । ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି ।

ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ ମଧ୍ୟରେ ଓଡ଼ିଶାର ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିବା ସହ ଏନଫୋର୍ସମେଣ୍ଟ, ରୋଡ୍ ଇଞ୍ଜିନିୟରିଂ ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି । ସଡ଼କ ସୁରକ୍ଷା ଦିଗରେ ଚାଳକମାନଙ୍କ ପ୍ରଶିକ୍ଷଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏକ୍ଷେତ୍ରରେ ଓଡ଼ିଶାର ସୁବାହକ ଯୋଜନାକୁ ସମଗ୍ର ଦେଶରୁ ଆସିଥିବା ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଉଚ୍ଚ ପ୍ରଶଂସା କରିଥିଲେ । ସରକାର ନିଜେ ସମସ୍ତ ଖର୍ଚ୍ଚ ବହନ କରି ରାଜ୍ୟରେ ଚାରିଟି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରି ଯାନ ଚାଳକମାନଙ୍କୁ ଦେଉଥିବା ପ୍ରଶିକ୍ଷଣ ପଦ୍ଧତି ଓ ସେଠାରୁ ପ୍ରଶିକ୍ଷିତ ଚାଳକମାନଙ୍କ ଶୂନ୍ୟ ଦୁର୍ଘଟଣା କୀର୍ତ୍ତିମାନ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାବ୍ୟସ୍ତ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଅଭିଭାଷଣରେ କହିଥିଲେ, ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ପଦକ୍ଷେପ ଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସମସ୍ତ ରାଜ୍ୟଙ୍କୁ କୁହାଯାଇଛି । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଜରିମାନା ରାଶି ପରିମାଣ ବୃଦ୍ଧି କରିଛନ୍ତି । ତଥାପି ଅନେକ ଚାଳକ ଆଇନ ପ୍ରତି ଭୟ ଓ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ସେମାନଙ୍କୁ ଧରିବାକୁ ସ୍ୱୟଂକ୍ରିୟା ବ୍ୟବସ୍ଥା ଗୁଡ଼ିକ ଲାଗୁ କରାଯାଉଛି । ସେହଭିଳି ରାସ୍ତାର ଇଞ୍ଜିନିୟରିଂ ଠିକ୍ ରଖିବାକୁ ସେ ସର୍ବାଧିକ ଧ୍ୟାନ ଦେଉଛନ୍ତି । ସଡ଼କ ଦୁର୍ଘଟଣାରେ ଯୁବବର୍ଗ ଅନେକ ପ୍ରାଣ ହରାଉଛନ୍ତି । ଯାହା ରୋକିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା କରାଯାଇ ସଚେତନତା ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି ଭାଗ ନେଇ ବିଗତ ବର୍ଷରେ ରାଜ୍ୟ ପକ୍ଷରୁ ସଡ଼କ ସୁରକ୍ଷା ଦିଗରେ ନିଆଯାଇଥିବା ଅଭିନବ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ), ସ୍ୱୟଂଚାଳିତ ଯାନ ପରୀକ୍ଷଣ ବ୍ୟବସ୍ଥା, ଫିଟନେସ ଯାଞ୍ଚ ପାଇଁ ସ୍ୱୟଂକ୍ରିୟ କେନ୍ଦ୍ର ଏବଂ ସୁବାହକ ସମେତ ଅନ୍ୟ ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ । ସଡ଼କ ସୁରକ୍ଷା ଅଭିଯାନରେ ମୁଖ୍ୟ ଭୂମିକା ହେଉଛି ଚାଳକମାନଙ୍କ । ତେଣୁ ସେମାନଙ୍କୁ ପ୍ରଶିକ୍ଷିତ କରିବା ଓ ବ୍ୟକ୍ତିତ୍ୱ ବିକାଶ ଦିଗରେ ଓଡ଼ିଶା କାର୍ଯ୍ୟ କରୁଛି ସେ ସୂଚନା ଦେଇଥିଲେ । ଏହାସହ ସେମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ମଧ୍ୟ ନିଯୁକ୍ତି ସମ୍ଭାବନା ସୃଷ୍ଟି କରାଯାଇଛି । ଏହା ବ୍ୟତୀତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା ପାଇଁ ରକ୍ଷକ, ଜୁନିୟର ରକ୍ଷକ, ଟ୍ରମା କେୟାର ସେଣ୍ଟର ସ୍ଥାପନା ଆଦି ସଂପର୍କରେ ମଧ୍ୟ ସୂଚନା ରଖିଥିଲେ । ଏହି ସମ୍ମାନଜନକ ସଫଳତା ହାସଲ ଅବସରରେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି, ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିକରଣ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ନେଇ କାର୍ୟ୍ୟ କରୁଛି । ଏହି ସମ୍ମାନ ଆମକୁ ଉତ୍ସାହିତ କରିଛି । ଏହି କନକ୍ଲେଭରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଦେଇଥିବା ପରାମର୍ଶ ଆଧାରରେ ଆମେ ଆହୁରି ଭଲ କାର୍ଯ୍ୟ କରିବାକୁ ଉଦ୍ୟମ ଜାରି ରଖିବୁ ।