ବିହାର: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୨ ମୃତ | News Room Odisha

ବିହାର: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୨ ମୃତ

ହାଜିପୁର: ବିହାରର ବୈଶାଳୀରେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଯିବାରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବୈଶାଳୀ ଜିଲ୍ଲାର ଡେସାରୀ ପୋଲିସ ଥାନା ଅଞ୍ଚଳର ସୁଲତାନପୁର ଗ୍ରାମ ନିକଟରେ ରବିବାର ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି।

ରବିବାର ରାତି ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା ​​| କିଛି ଲୋକ ସ୍ଥାନୀୟ ଦେବତା ‘ଭୁମିୟା ବାବା’କୁ ପୂଜା କରିବା ପାଇଁ ରାସ୍ତା କଡ଼ରେ ଥିବା ଏକ ବରଗଛ ନିକଟରେ ଏକାଠି ହୋଇଥିଲେ। ଏହି ସମୟରେ ମହନାର-ହାଜିପୁର ରାଜପଥରେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭରର ମଧ୍ୟ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି । ସ୍ଥାନୀୟ ଆରଜେଡି ବିଧାୟକ ମୁକେଶ ରୋଶନ ଘଟଣାସ୍ଥଳରେ ପହଞ୍ଚିବା ପରେ ୧୨ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହି ରାଶି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।