କରୋନା ପରେ କେରଳରେ ନିପା ଭାଇରସ୍ ଆତଙ୍କ, ଜଣେ ୧୨ ବର୍ଷ ବାଳକର ମୃତ୍ୟୁ | News Room Odisha

କରୋନା ପରେ କେରଳରେ ନିପା ଭାଇରସ୍ ଆତଙ୍କ, ଜଣେ ୧୨ ବର୍ଷ ବାଳକର ମୃତ୍ୟୁ

ଥିରୁଭନନ୍ତପୁରମ: କରୋନା ସଂକ୍ରମଣ ସହ ଲଢ଼ୁଥିବା କେରଳରେ ଏବେ ନିପା ଭାଇରସ୍ ର ଆତଙ୍କ । ରାଜ୍ୟରେ ନିପା ଭାଇରସ ଯୋଗୁଁ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଛି । ବାଳକର ମୃତ୍ୟୁ ନିପା ଯୋଗୁଁ ହୋଇଥିବା ସ୍ପଷ୍ଟ ହେବା ପରେ କେନ୍ଦ୍ର ଏକ ଦଳକୁ କେରଳ ପଠାଇଛି। ଏହି ଦଳ ଆଜି କେରଳରେ ପହଞ୍ଚିବ। ସେପ୍ଟେମ୍ବର ୩ରେ କୋଜିକୋଡ ଜିଲ୍ଲାରେ ନିପା ଭାଇରସର ଏକ ସନ୍ଦିଗ୍ଧ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ୧୨ ବର୍ଷର ବାଳକର ଏନସେଫାଲାଇଟିସ୍ ଏବଂ ମାୟୋକାର୍ଡାଇଟିସର ଲକ୍ଷଣ ଥିବା ଦେଖିବାକୁ ମିଳିଥିଲା। ବାଳକଟି ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଜି ସକାଳେ ମୃତ୍ୟୁ ବରଣ କରିଛି। ଏହା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସନ୍ଦେହ କରିଥିଲା ​​ଯେ ସେ ନିପା ସଂକ୍ରମିତ ହୋଇଥିଲେ କିନ୍ତୁ ଏବେ ସଂକ୍ରମଣ ସ୍ପଷ୍ଟ ହେବା ପରେ ବାଳକର ମୃତ୍ୟୁ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ଟେକ୍ନିକାଲ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ରୁ ଏକ ଟିମ୍ ପଠାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ ନିପା ସଂକ୍ରମଣର ସନ୍ଦିଗ୍ଧ ମାମଲା ନେଇ ସୂଚନା ପାଇବା ପରେ ରାଜ୍ୟ ସରକାର ଶନିବାର ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।

ତୁରନ୍ତ ୪ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ମଧ୍ୟ କେନ୍ଦ୍ର ସରକାର କେରଳକୁ ପରାମର୍ଶ ଦେଇଛନ୍ତି। ମୃତ ବାଳକର ପରିବାର, ଗାଁ (ବିଶେଷକରି ମାଲାପୁରମ୍) ରେ ସକ୍ରିୟ ମାମଲାଗୁଡ଼ିକର ଯାଞ୍ଚ୍, ଗତ ୧୨ ଦିନ ମଧ୍ୟରେ ଉକ୍ତ ବାଳକ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କଡ଼ା କ୍ବାରେଣ୍ଟାଇନରେ ରଖିବା ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଆଇସୋଲେସନରେ ରଖିବା, ନମୁନା ପରୀକ୍ଷା ଏବଂ ନମୁନା ଲ୍ୟାବକୁ ପଠାଇବା ଆବଶ୍ୟକ ବୋଲି କୁହାଯାଇଛି |