କୋଭିଡ୍ ମୁକାବିଲା ପାଇଁ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ | News Room Odisha

କୋଭିଡ୍ ମୁକାବିଲା ପାଇଁ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ମୁକାବିଲାକୁ ଅଧିକ ବଳ ଦେବା ପାଇଁ ସରକାର ତିନି ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରିଛନ୍ତି। ମହାମାରୀର ପ୍ରଥମ ପର୍ଯ୍ୟାୟ ବେଳେ ସରକାର ଆପଣାଇଥିବା ସଫଳ ରଣନୀତିକୁ ଅନୁକରଣ କରି ଏବେ ଦ୍ବିତୀୟ ପର୍ଯ୍ୟାୟର ପ୍ରତିକାର ସକାଶେ ଅଣ୍ଟା ଭିଡିଛନ୍ତି ସରକାର। ଅଭିଜ୍ଞ ଅଧିକାରୀମାନେ ଏବେ ବିଭିନ୍ନ ଜିଲ୍ଲାର ପ୍ରଶାସନକୁ ଏ ନେଇ ମାର୍ଗଦର୍ଶନ କରିବେ। ସରକାରଙ୍କ ମହାମାରୀ ମୁକାବିଲା ରଣନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରାଇବେ।

୧୯୯୧ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ସାହୁ ବରଗଡ଼, ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ପାଇଁ କୋଭିଡ୍ ନୀରିକ୍ଷକ ଭାବେ ଦାୟିତ୍ୱ ପାଇଛନ୍ତି। ସେ ଏସ୍. କେ.ଲୋହାନିଙ୍କ ସ୍ଥାନରେ ଏହି ଦାୟିତ୍ୱ ନିର୍ବାହ କରିବେ। ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡା ଓ ସୁନ୍ଦରଗଡ ନିମନ୍ତେ ଏବଂ ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମ୍ ସମ୍ବଲପୁର ଓ ସୋନପୁର ଜିଲ୍ଲା ସକାଶେ କୋଭିଡ୍ ଅବଜର୍ଭର୍ ରୂପେ ଦାୟିତ୍ୱ ତୁଲାଇବେ।

ଏହି ବରିଷ୍ଠ ସଚିବମାନେ ନିଜ ମୂଳ ଦାୟିତ୍ୱ ସହ ଉକ୍ତ କାର୍ଯ୍ୟଭାର ତୁଲାଇବେ। ଏହାଦ୍ବାରା କ୍ରମାଗତ ସଂକ୍ରମଣ ବୃଦ୍ଧି ପାଉଥିବା ଏସବୁ ଜିଲ୍ଲାରେ କରୋନାକୁ ସଠିକ ମୁକାବିଲା କରି ନିୟନ୍ତ୍ରଣକୁ ଆଣିବା ଯୋଜନା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ କିଛି ଜିଲ୍ଲାରେ ରାଜ୍ୟ ସରକାର ରାତ୍ର କର୍ଫ୍ୟୁ ଜାରି କରିଛନ୍ତି।