ବିଏମସିରେ ନୂଆ କମିଶନର | News Room Odisha

ବିଏମସିରେ ନୂଆ କମିଶନର

ଭୁବନେଶ୍ବର- ଆଜି ଅପରାହ୍ନରେ ଭୁବନେଶ୍ବର ମହାନଗର ନିଗମରେ ନୂଆ କମିଶନର ଭାବେ ଯୋଗଦେଇଛନ୍ତି ଆଇଏଏସ ରାଜେଶ ପ୍ରଭାକର ପାଟିଲ ।

ବରିଷ୍ଠ ପ୍ରାଶାସନିକ ଅଧିକାରୀ ଭାବେ ପାଟିଲ ବର୍ତ୍ତମାନ ରାଜ୍ୟ ସରକରଙ୍କର ସମବାୟ ବିଭାଗର ଆୟୁକ୍ତ ତଥା ସଚିବ ଅଛନ୍ତି । ଏହା ସାଙ୍ଗକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ତେବେ ସରକାରଙ୍କ ଉପରୋକ୍ତ ଦାୟିତ୍ବ ସାଙ୍ଗକୁ ସେ ବିଏମସି କମିଶନର ଭାବେ ଯୋଗ ଦେଇଛନ୍ତି । ଏହି ଦାୟିତ୍ଵ ନେଲାପରେ ନୂତନ କମିଶନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ ଏବଂ ଅଧିକାରୀମାନଙ୍କ ଦାୟିତ୍ବ ବାବଦରେ ସଂକ୍ଷିପ୍ତ ଆଲୋଚନା କରିଥିଲେ । ଅଧିକାରୀମାନଙ୍କ ସହିତ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ ବୁଲି ଦେଖିଥିଲେ ।

ଅତୀତରେ ବିଭିନ୍ନ ପଦବୀରେ ଦକ୍ଷତାର ସହିତ କାର୍ଯ୍ୟକରି ଆସିଥିବା ପାଟିଲ୍ କହିଛନ୍ତି ଯେ , ସମସ୍ତେ ମିଳିମିଶି ନିଜର ଦାୟିତ୍ବ ତୁଲାନ୍ତୁ । ବିଏମସି ଏକ ପରିବାର ଭଳି, ଆମମାନଙ୍କର କାର୍ଯ୍ୟ ଭୁବନେଶ୍ବରବାସୀଙ୍କୁ ପ୍ରଭାବିତ କରୁ । ନାଗରିକଙ୍କ ଆବଶ୍ୟକତାକୁ ଭିତ୍ତି କରି ଯେଉଁସବୁ କାର୍ଯ୍ୟ ସରକାରଙ୍କ ତରଫରୁ କରାଯାଉଛି ତାହାର ଉତ୍ତମ ରୂପାୟନ ନିମନ୍ତେ ସମସ୍ତେ କାର୍ଯ୍ୟକରନ୍ତୁ ବୋଲି ସେ କହିଛନ୍ତି ।