ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଦଳରେ ଉମେଶ, ସିରାଜ ସାମିଲ | News Room Odisha

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଦଳରେ ଉମେଶ, ସିରାଜ ସାମିଲ

ସାଉଥମ୍ପଟନ: ଆସନ୍ତା ଜୁନ୍ ୧୮ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଫାଇନାଲ୍ ପାଇଁ ଭାରତ ନିଜ ଚୂଡାନ୍ତ ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ଭେଟେରାନ ପେସର୍ ଉମେଶ ଯାଦବଙ୍କୁ ସାମିଲ କରାଯାଇଥିବା ବେଳେ ବ୍ରିସବେନ ଟେଷ୍ଟର ହିରୋ ଶାର୍ଦ୍ଦୁଲ ଠାକୁରଙ୍କୁ ସ୍ଥାନ ମିଳିନାହିଁ । ଉମେଶଙ୍କ ବ୍ୟତୀତ ମହମ୍ମଦ ସାମି ଓ ହନୁମା ବିହାରୀଙ୍କୁ ମଧ୍ୟ ୧୫ ଜଣିଆ ଦଳରେ ସାମିଲ କରାଯାଇଛି । ଏହି ତିନି ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଆହତ ହୋଇଥିଲେ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରୁ ବଞ୍ଚିତ ହୋଇଥିଲେ । ଆଇସିସି ନିୟମାନୁସାରେ ଡବ୍ଲୁଟିସି ଫାଇନାଲ୍ ପୂର୍ବରୁ ଭାରତ ଏହି ୧୫ ଜଣିଆ ଦଳ ଘୋଷଣା କରିଛି ।

ଶାର୍ଦ୍ଦୁଲଙ୍କ ସମେତ ଡବ୍ଲୁଟିସି ଫାଇନାଲ ପାଇଁ ଘୋଷିତ ୧୫ ଜଣିଆ ଦଳରୁ ମୟଙ୍କ ଅଗ୍ରୱାଲ ବାଦ୍ ପଡିଛନ୍ତି । ବ୍ରିସବେନ ଟେଷ୍ଟର ଅନ୍ୟତମ ନାୟକ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ବି ଦଳରେ ସ୍ଥାନ ମିଳିନାହିଁ । ସେହିପରି ଇଂଲଣ୍ଡ ବିପକ୍ଷ ସିରିଜର ହିରୋ ତଥା ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ବି ବାଦ୍ ଦିଆଯାଇଛି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଜୁନ୍ ୧୮ରୁ ୨୨ ଯାଏଁ ସାଉଥମ୍ପଟନର ଏଜିସ୍ ବାଉଲରେ ଖେଳାଯିବ । ଜୁନ୍ ୨୩କୁ ରିଜର୍ଭ ଦିବସ ଭାବେ ରଖାଯାଇଛି । ଯଦି ଡବ୍ଲୁଟିସି ଫାଇନାଲ ଡ୍ର କିମ୍ବା ଟାଇ ହୁଏ ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଏହି ମ୍ୟାଚ୍ ଗ୍ରେଡ୍‌-୧ ଡ୍ୟୁକ୍ ବଲରେ ଖେଳାଯିବ ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶୁଭମାନ ଗିଲ୍‌, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ରିଦ୍ଧିମାନ ଶାହା (ୱିକେଟକିପର), ଉମେଶ ଯାଦବ, ହନୁମା ବିହାରୀ ।