ଶେଷ ଲିଗ୍ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା | News Room Odisha

ଶେଷ ଲିଗ୍ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ଚଳିତ ବିଶ୍ୱକପର ନିଜ ଶେଷ ଲିଗ୍ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଆଫଗାନିସ୍ତାନକୁ ହରାଇଛି | ଆଫଗାନିସ୍ତାନ ପ୍ରଦତ୍ତ ୨୪୫ ରନର ବିଜୟଲକ୍ଷ୍ୟକୁ ଦଳ ୪୭.୩ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା । ଦଳ ତରଫରୁ ରାସି ଭାନ୍ ଡର୍ ଡୁସେନ୍ ୭୬ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ସହ ଆଣ୍ଡିଲୋ ଫେଲୁକାୟୋ ୩୯ ରନ୍ କରି ଅପରାଜିତ ରହିଥିଲେ । ଓପନର୍ କ୍ୱିଣ୍ଟନ୍ ଡି କକ୍ ୪୧ ରନ୍ ଏବଂ ଡେଭିଡ ମିଲର ୨୪ ରନ ଯୋଗଦାନ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ଏବଂ ରସିଦ ଖାନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିସାରିଥିବା ଦକ୍ଷିଣ ଆଫ୍ରିକା ଏହି ବିଜୟ ସହ ଲିଗ୍ ଅଭିଯାନ ଶେଷ କରିଛି। ଦଳ ୯ଟି ମ୍ୟାଚରୁ ୭ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଆଫଗାନିସ୍ତାନର ବିଶ୍ବକପ୍ ଅଭିଯାନ ମଧ୍ୟ ଶେଷ ହୋଇଛି । ଦଳ ଏହି ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ସହ ପୂର୍ବତନ ବିଜେତା ପାକିସ୍ତାନ ଓ ଶ୍ରୀଲଙ୍କାକୁ ବି ହରାଇଥିଲା । ଏପରିକି ପାଞ୍ଚ ଥରର ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ବି ପାଣି ପିଆଇଥିଲା ଆଫଗାନ୍ ଟିମ୍ । ଦଳ ୯ଟି ମ୍ୟାଚରୁ ଚାରିଟି ଜିତିଥିଲା । ଟୁର୍ଣ୍ଣାମେଣ୍ଟରେ ଆଉ ୩ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆଫଗାନିସ୍ତାନ ସମ୍ପ୍ରତି ଷଷ୍ଠ ସ୍ଥାନରେ ରହିଛି।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଇଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ଠିକ୍ ୫୦ ଓଭରରେ ୨୪୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଆଫଗାନିସ୍ତାନ ତରଫରୁ ଆଜମାତୁଲ୍ଲା ଓମାରଜାଇ ୯୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଜେରାଲ୍ଡ କୋଜିୟା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଲୁଙ୍ଗି ଏନଗିଡି ଏବଂ କେଶବ ମହାରାଜ ୨-୨ ୱିକେଟ୍ ନେଇଥିଲେ।