ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମାନ, ନଚେତ୍ ସ୍ଥିତି ସାଂଘାତିକ ହେବା ଥୟ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମାନ, ନଚେତ୍ ସ୍ଥିତି ସାଂଘାତିକ ହେବା ଥୟ

ଭୁବନେଶ୍ବର: ରାଜ୍ୟ ବାହାରୁ ଓଡ଼ିଶାକୁ ମାଡ଼ି ଆସୁଛି କରୋନା ମହାମାରୀର ବିପଦ। ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ଅନ୍ତଃରାଜ୍ୟ ସୀମା ସିଲ୍ କରି ଯାଞ୍ଚ କଡ଼ାକଡ଼ି କରୁଛନ୍ତି । ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କ ନିମନ୍ତେ ୩ଟି ନିର୍ଦ୍ଦେଶ ଲାଗୁ ହୋଇଛି । କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦାଖଲ କର କିମ୍ବା କରୋନା ପ୍ରତିଷେଧକ ଟିକା ଦୁଇଟି ଡୋଜ୍ ନେଇଥିବାର ପ୍ରମାଣପତ୍ର ଉପସ୍ଥାପନ କର, ଅଥବା ୭ ଦିନନ ସଙ୍ଗରୋଧରେ ରୁହ । ଏଥିସହ ରାଜ୍ୟ ସରକାର ରେଳ ଷ୍ଟେସନମାନଙ୍କରେ ପ୍ରବାସୀଙ୍କ ଯାଞ୍ଚ ବ୍ୟବସ୍ଥା କରିଛନ୍ତି । ତଥାପି କରୋନା ନିୟନ୍ତ୍ରଣ ହେଉ ନଥିବାରୁ ଶେଷରେ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଶେଷ କରି ଆମର ସର୍ବାଧିକ ସଂକ୍ରମିତ ପଡୋଶୀ ଛତିଶଗଡ଼ ରାଜ୍ୟ ସାମାକୁ ଲାଗିକରି ଥିବା ୧୦ଟି ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ସାଙ୍ଗକୁ ସପ୍ତାହାନ୍ତ ସଟଡାଉନ୍ ଏବଂ ସାରା ରାଜ୍ୟର ସହରାଳରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଏହାବାଦେ ରାଜ୍ୟ ସରକାର ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରିବାରେ ଲାଗିଛନ୍ତି । ଯଦିଓ କେନ୍ଦ୍ରରୁ ଯଥେଷ୍ଟ ମାତ୍ରାରେ ଟିକା ଆସିପାରୁନି, ତଥାପି ଯେବେ ଯେତିକି ଟିକା ଆସୁଛି ତୁରନ୍ତ ସାରା ରାଜ୍ୟକୁ ବିତରଣ କରାଯାଇ ଲୋକଙ୍କୁ ଟିକା ଦେବାରେ ତତ୍ପରତା ଦେଖାଇ ଆସିଛନ୍ତି ଓଡ଼ିଶା ସରକାର। ସାରା ରାଜ୍ୟରେ କରୋନା ଗାଇଡଲାଇନ୍କୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ସକାଶେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଦ୍ବାରା ଏନଫୋର୍ସମେଣ୍ଟକୁ ମଧ୍ୟ ବ୍ୟାପକ କରାଯାଇଛି । ଆହୁରି ମଧ୍ୟ ରାଜ୍ୟ ସରକାର ୨୧ ଜଣ ଅଭିଜ୍ଞ ବରିଷ୍ଠ ଆଇଏଏସ୍‌ଙ୍କୁ ବିଭିନ୍ନ ଜିଲ୍ଲା ସକାଶେ କୋଭିଡ୍ ନିରୀକ୍ଷକ ଭାବେ ଦାୟିତ୍ବ ଦେଇ କୋଭିଡ୍ ମୁକାବିଲା ପରିଚାଳନା ଯେଭଳି ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୁଏ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦେଇ ଆସୁଛନ୍ତି।

ଡାକ୍ତରୀ ବିଶେଷଜ୍ଞଙ୍କ କହିବା ପ୍ରକାରେ କୋଭିଜ୍- ୧୯ ପ୍ରଥମ ଲହରୀ ଠାରୁ ଦ୍ବିତୀୟ ଲହରୀ ଅଧିକ ସାଂଘାତିକ । ଶୀଘ୍ର ବ୍ୟାପୁଛି, ଲୋକଙ୍କୁ ଖୁବ କମ୍ ସମୟ ମଧ୍ୟରେ ଗୁରୁତର କରି ପକାଉଛି, ଏପରିକି ଶୀଘ୍ର ମୃତ୍ୟୁ ଆଡ଼କୁ ମଧ୍ୟ ଟାଣି ନେଉଛି ଦ୍ବିତୀୟ ଲହରୀ । ଗତ ପ୍ରାୟ ସପ୍ତାହେ ହେବ ଦେଶରେ ପ୍ରତ୍ୟହ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରିକି ପ୍ରତି ଘଣ୍ଟାରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଉଛି । ଏଥିରୁ ଦ୍ବିତୀୟ ଲହରୀ କେତେ ମାରାତ୍ମକ ତାହା ସ୍ପଷ୍ଟ ଅନୁମେୟ । ବିଦେଶରୁ ଆସୁଥିବା ଘାତକ ଷ୍ଟ୍ରେନ୍ କିମ୍ବା ଭାରତରେ ଠାବ ହୋଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଯେ ଜନସାଧାରଣଙ୍କୁ ଅଧିକ ଗମ୍ଭୀର ଢଙ୍ଗରେ ବିପଦ ଆଡ଼କୁ ଟାଣି ନେଉଛି ଏହା କହିବା ନିଃସନ୍ଦେହ । ତଥାପି ରାଜ୍ୟ ସରକାର ନିଜ ଆଡୁ ଯଥାସମ୍ଭବ ସର୍ବାଧିକ ପ୍ରସ୍ତୁତି କରିଛନ୍ତି ଯେପରି କରୋନା ମହାମାରୀ ବ୍ୟାପିବାକୁ ରୋକିହେବ। କିନ୍ତୁ ଏଥିପାଇଁ କେବଳ ସରକାରୀ ପଦକ୍ଷେପ ଯଥେଷ୍ଟ ନୁହେଁ, ଖୋଦ ଜନସାଧାରଣଙ୍କୁ ଏଥିପାଇଁ ନିଜେ ନିଜ ଆଡୁ ସତର୍କ, ସଜାଗ ରହିବାକୁ ପଡ଼ିବ। ନିଜକୁ ମହାମାରୀରୁ ନିରାପଦ ରଖିବାକୁ ହେଲେ, ନିଜ ପରିବାର ଲୋକ କିମ୍ବା ସାହି ପଡ଼ିଶାଙ୍କୁ ଏଥିରୁ ସୁରକ୍ଷିତ ରଖିବାକୁ ହେଲେ କରୋନାକୁ ଆମନ୍ତ୍ରଣରୁ ଦୂରେଇ ରହିବାକୁ ପଡ଼ିବ। ଡାକ୍ତରୀ ମହଲର ତଥ୍ୟ ମୁତାବକ ଦ୍ବିତୀୟ ଲହରୀ ବାୟୁମଣ୍ଡଳରେ ଶୀଘ୍ର ବ୍ୟାପୁଛି । ଏଣୁ ସବୁଠାରୁ ସହଜଲବ୍ଧ ପ୍ରତିକାର ହେଉଛି ଆମେ ଯେତେବେଳେ ବି ବାହାରକୁ ଯାଉଛେ ମୁହଁରେ ସର୍ବଦା ମାସ୍କ ଉଚିତ୍ ଢଙ୍ଗରେ ପରିଧାନ କରିବା। ନାକରୁ ଆରମ୍ଭ କରି ପାଟି ତଳ ପର୍ଯ୍ୟନ୍ତ ମାସ୍କରେ ଆଚ୍ଛାଦିତ କରିବାକୁ ହେବ। କେବଳ ନାମକୁ ମାତ୍ର ମାସ୍କ ପାଟି ତଳେ ଝୁଲାଇ ରଖିଲେ ବା ବେକରେ ଟାଙ୍ଗି ରଖିଲେ ଯଥେଷ୍ଟ ହେବନି। ନାକ ଓ ପାଟିକୁ ଠିକ୍ ଢଙ୍ଗରେ ମାସ୍କ ଦ୍ଵାରା ଘୋଡ଼ାଇ ରଖିଲେ ଭାଇରସ୍ ଠାରୁ ବଞ୍ଚିପାରିବା।

ଦ୍ବିତୀୟତଃ ଜନଗହଳି ଠାରୁ ଦୂରେଇ ରହିବାକୁ ହେବ। ନିହାତି ଜରୁରୀ ନଥିଲେ ଘରୁ ବାହାରିବା ନାହିଁ । ଯଦି ବି ବାହାରକୁ ଯିବା, କୌଣସି ସ୍ଥାନକୁ ଯାତ୍ରା କରିବା ତେବେ ସାମାଜିକ ଦୂରତା ବାଧ୍ୟତାମୂଳକ ବଜାୟ ରଖିବା। ଏହାଦ୍ଵାରା ସଂକ୍ରମଣ ସହଜରେ ବ୍ୟାପି ପାରିବନି। ହାତକୁ ଭଲ ଭାବେ ବାରମ୍ବାର ଧୋଇବା, ନିଜେ ବ୍ୟବହାର କରୁଥିବା ସାମଗ୍ରୀ ଓ ପରିସରକୁ ବିଶୋଧିତ ତଥା ସ୍ବଚ୍ଛ ରଖିବା ଦ୍ଵାରା ଆମେ ମହାମାରୀର ଶିକାର ହେବାରୁ ବର୍ତ୍ତି ପାରିବା। ଖୁସିର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କୋଭିଡ୍ – ୧୯ ମୁକାବିଲା ରଣନୀତି ରାଜ୍ୟବାସୀଙ୍କ ହିତ ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଲାଗୁ କରିଛନ୍ତି । ଗୋଟିଏ ପଟେ ସଚେତନତାକୁ ଗୁରୁତ୍ବ ଦିଆଯାଉଛି । ଆରପଟେ ଏନଫୋର୍ସମେଣ୍ଟ ମଧ୍ୟ କରାଯାଉଛି । ପୁଣି ରୋଗୀଙ୍କ ଚିକିତ୍ସା ସକାଶେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ତ ପ୍ରତିଷେଧକ ଦୃଷ୍ଟିରୁ ଟିକାକରଣକୁ ବ୍ୟାପକ କରାଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଯେ- ସର୍ବାଧିକ ସଂକ୍ରମିତ ଅଞ୍ଚଳରେ ଟିକାକରଣ ବୟସସୀମାକୁ କୋହଳ କରାଯାଉ। ଏପରିକି ଦେଶ, ରାଜ୍ୟ ତଥା ଜାତିର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଦଶମ ଓ ଦ୍ଵାଦଶ ପରୀକ୍ଷା ସ୍ଥଗିତ ରଖିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲକୁ ବନ୍ଦ ଘୋଷଣା କରିଛନ୍ତି।

ତେବେ ଏତିକି କୁହାଯାଇପାରେ ଯେ କେବଳ ରାଜ୍ୟ ସରକାର ଚାହିଁଲେ ସଂକ୍ରମଣର ସମ୍ପୂର୍ଣ୍ଣ ମୁକାବିଲା କରିହେବନି । ରାଜ୍ୟ ସରକାର ମହାମାରୀ ବିରୋଧୀ ସଂଘର୍ଷ ପାଇଁ ସବୁ ପଦକ୍ଷେପ ନେଉଥିବା ବେଳେ ଏହାକୁ ଜନସାଧାରଣ ମଧ୍ୟ ନିଜ ସୁରକ୍ଷା ପାଇଁ ପାଳନ କରିବାକୁ ପଡ଼ିବ। ସେ ଭିଡ଼ରୁ ଦୂରେଇ ରହିବା କଥା କୁହନ୍ତୁ କିମ୍ବା ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିବା କଥା ହେଉ, ବର୍ତ୍ତମାନର ପର୍ବପର୍ବାଣୀ ସମୟରେ ଜନଗହଳି ନକରିବା ପ୍ରସଙ୍ଗ ହେଉ ଅଥବା ମାସ୍କ ବ୍ୟବହାର ଓ ଯାତ୍ରା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କଥା ହେଉ, ଲୋକେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରବର୍ତ୍ତିତ ଗାଇଡ୍‌ଲାଇନ୍ ଠିକ୍ ଢଙ୍ଗରେ ପାଳନ କରିବା ନିହାତି ଆବଶ୍ୟକ। ତେବେ ଯାଇ ସରକାରଙ୍କ ପ୍ରତିକାର ପଦକ୍ଷେପ ସାଙ୍ଗକୁ ଜନସାଧାରଣଙ୍କ ସତର୍କତା ଯେ ମହାମାରୀକୁ ହରାଇବ ତାହା ନିଶ୍ଚିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ହେତୁ ପ୍ରଥମ ଲହରୀ ସଂକ୍ରମଣ ବେଳେ ଆମ ରାଜ୍ୟବାସୀ ମହାମାରୀରୁ ବେଶ୍ ମାତ୍ରାରେ ସୁରକ୍ଷିତ ରହି ପାରିଥିଲେ । ତୃଣମୂଳସ୍ତରର ଜନପ୍ରତିନିଧି ଓ ସରକାରୀ କର୍ମଚାରୀ, ସାସ୍ଥ୍ୟକର୍ମୀଙ୍କୁ ସାମିଲ କରାଇ ଯେଭଳି ମହାମାରୀକୁ ପରାହତ କରାଯାଇ ପାରିଥିଲା ତାହା ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଥିଲା । ଏଣୁ ଏବେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଯାହା ଆମକୁ ସଂକ୍ରମଣରୁ ସୁରକ୍ଷିତ ରଖିବାରେ ସହାୟକ ହେବ ତାହାକୁ ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ପାଳନ କରିବାକୁ ପଡ଼ିବ। ନଚେତ୍ ସ୍ଥିତି ଯେ ସାଂଘାତିକ ହେବ ତାହା ଥୟ। ଅନେକ ରାଜ୍ୟରେ ଏବେ ରୋଗୀଙ୍କ ଠିକ୍ ଚିକିତ୍ସା ହୋଇପାରୁନି, ଔଷଧ ବା ଇଞ୍ଜେକ୍ସନ୍ ମିଳୁନି, ହସପିଟାଲରେ ଶଯ୍ୟା ଅଭାବ, ମୃତଦେହ ରଖିବାକୁ ଶବାଗାରରେ ଜାଗା ନାହିଁ କିମ୍ବା ଅନ୍ତିମ ସଂସ୍କାର କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ହେଉଛି। ସେ ସ୍ଥିତି ଦେଖିଲେ ଆମେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ନିୟନ୍ତ୍ରଣ ସୁପରିଚାଳନା ଯୋଗୁଁ ବେଶ୍ ଉନ୍ନତ, ବେଶ୍ ସୁରକ୍ଷିତ ରହିବେ ତାହା କେହି ଅସ୍ବୀକାର କରିପାରିବେନି । ତଥାପି ମହାମାରୀର ପିକ୍ ପିରିୟଡ୍ (ସର୍ବାଧିକ ସଂକ୍ରମଣ ବ୍ୟାପିବା ସମୟ)ରୁ ବର୍ତ୍ତିବାକୁ ହେଲେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସତର୍କତା ନିବେଦନକୁ ଆପଣାଇବାକୁ ହେବ। ତେବେ ଯାଇ ଆମେ ଓଡ଼ିଶାବାସୀ ପୁଣି ମହାମାରୀକୁ ଆମ ରାଜ୍ୟରୁ ଦୂରେଇପାରିବାରେ ସକ୍ଷମ ହୋଇପାରିବା ।

Chief Minister Naveen PatnaikCOVID-19 PandemicOdisha