ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା, ୧୫ ମୃତ | News Room Odisha

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା, ୧୫ ମୃତ

ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହେବା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ରେଳ ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।

ପାକିସ୍ତାନର ରେଳମନ୍ତ୍ରୀ ସାଦ୍ ରଫିକଙ୍କ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଏଯାବତ୍ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ରଫିକ୍ କହିଛନ୍ତି ଯେ ଟ୍ରେନ୍ ଠିକ୍ ବେଗରେ ଚାଲୁଥିଲା ଏବଂ ଏହାର ବେଗ ଘଣ୍ଟା ପ୍ରତି ୪୫ କିଲୋମିଟର ଥିଲା।

ଏହା ପୂର୍ବରୁ ହାଇ ସ୍ପିଡ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଥିଲା।

ଏହି ଘଟଣା ସିନ୍ଧର ସାଙ୍ଗହର ଜିଲ୍ଲାର ସରହରୀ ସହରରେ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ଅନେକ ଯାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି |
ଅନେକ ଯାତ୍ରୀ ବଗି ତଳେ ଚାପି ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

ସ୍ଥାନୀୟ ଲୋକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।