ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ଉଭୟ ଗୃହରେ ହଙ୍ଗାମା, ୧୫ ବିରୋଧୀ ସାଂସଦ ନିଲମ୍ବିତ | News Room Odisha

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ଉଭୟ ଗୃହରେ ହଙ୍ଗାମା, ୧୫ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ନେଇ ଗୁରୁବାର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଓ ଅଭିଯୁକ୍ତଙ୍କୁ ପାସ୍ ଦେଇଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିରୋଧୀ ସାଂସଦ । ଗୃହକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଓ ବାଚସ୍ପତିଙ୍କୁ ଅସମ୍ମାନ ଅଭିଯୋଗର ୧୫ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

ସଂସଦରୁ ନିଲମ୍ବିତ ହୋଇଥିବା ୧୫ ଜଣ ସାଂସଦଙ୍କ ମଧ୍ୟରୁ ୯ ଜଣ କଂଗ୍ରେସ, ୨ ଜଣ ସିପିଏମରୁ, ଦୁଇ ଜଣ ଡିଏମକେ ଏବଂ ଜଣେ ସିପିଆଇ ଦଳର। ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦଙ୍କ ମଧ୍ୟରେ ଟିଏନ୍ ପ୍ରତାପନ୍, ହିବି ଇଡେନ୍, ଏସ୍ ଜ୍ୟୋତିମଣି, ରାମିଆ ହରିଦାସ ଏବଂ ଡିନ୍ କୁରିଆକୋଜ୍ ଅଛନ୍ତି। ଏହି ସାଂସଦମାନଙ୍କୁ ନିଲମ୍ବନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ମଞ୍ଜୁର କରିଥିଲେ । ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ଏହି ସାଂସଦମାନଙ୍କୁ ନିଲମ୍ବିତ କରାଯାଇଛି। ଏହି ସମୟରେ ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ଲଗାତାର ସ୍ଲୋଗାନବାଜି କରିଥିଲେ ।

ଏହାଛଡ଼ା ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କୁ ମଧ୍ୟ ଚଳିତ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବିତ କରାଯାଇଛି।

ସଂସଦରେ ସୁରକ୍ଷା ଭେଦ ଘଟଣା ସମ୍ପର୍କରେ ଗୁରୁବାର ‘ଇଣ୍ଡିଆ’ ସହଯୋଗୀ ଦଳମାନଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ସେମାନେ ସଂସଦ ଅନୁପ୍ରବେଶ ଘଟଣାକୁ ଗମ୍ଭୀର ଦର୍ଶାଇ ଏନେଇ ଗୃହମନ୍ତ୍ରୀ ଉଭୟ ଗୃହରେ ବିସ୍ତୃତ ବିବରଣୀ ଦେବା ପାଇଁ ଦାବି କରିଥିଲେ । ଅଭିଯୁକ୍ତଙ୍କୁ ପାସ୍ ଦେଇଥିବା ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରିଛି ଇଣ୍ଡିଆ ମେଣ୍ଟ ।