ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ଶୀତଦିନେ ସଂକ୍ରମଣ ବଢିବା ନେଇ ଚେତାଇଲେ ମୁଖ୍ୟମନ୍ତ୍ରୀ, ପାର୍ବଣରେ ଭିଡ ନ କରିବାକୁ ଆହ୍ୱାନ | News Room Odisha

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ଶୀତଦିନେ ସଂକ୍ରମଣ ବଢିବା ନେଇ ଚେତାଇଲେ ମୁଖ୍ୟମନ୍ତ୍ରୀ, ପାର୍ବଣରେ ଭିଡ ନ କରିବାକୁ ଆହ୍ୱାନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପାର୍ବଣର ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ କୋରୋନା ବିରୋଧରେ ଚାଲିଥିବା ଲଢେଇ ସଂପର୍କରେ କହିଛନ୍ତି । ସେ କହିଛନ୍ତି ଯେ, ଗତ ୭ ମାସ ଧରି ଓଡିଶା କୋରୋନା ବିରୋଧରେ ଲଢେଇ ଜାରି ରଖିଛି । ଏଥିପାଇଁ ଲୋକଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡିଛି । ସମସ୍ତଙ୍କ ତ୍ୟାଗ କେବେ ବୃଥା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗତ ୬ ମାସରେ ଓଡିଶା କୋରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ସରକାରଙ୍କ କଥା ମାନି ଲୋକେ ମାସ୍କ ପିନ୍ଧୁଛନ୍ତି , ହାତ ଧୋଉଛନ୍ତି ଓ ସମାଜିକ ଦୂରତା ବଜାୟ ରଖୁଛନ୍ତି । କିନ୍ତୁ କିଛି ଲୋକ ଅମାନିଆ ହେଉଛନ୍ତି, ଯେଉଁମାନେ କି ସମସ୍ୟାର ଗମ୍ଭୀରତାକୁ ବୁଝି ପାରୁନାହାନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୧୫ ଦିନ ହେବ ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ୪ ହଜାରରୁ ୨ ହଜାର ତଳକୁ ଖସିଆସିଛି ଦୈନିକ ସଂକ୍ରମଣ । ଗଂଜାମ ଓ ଗଜପତି ଜିଲ୍ଲାରେ କୋରୋନାର ସଫଳ ମୁକାବିଲା କରାଯାଇପାରିଛି । ଏହି ଦୁଇ ଜିଲ୍ଲା ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ, ଏଥିପାଇଁ ଆତ୍ମସନ୍ତେ।।ଷର କିଛି ଅର୍ଥ ନାହିଁ । କାରଣ ଟିକା ଆସିବା ଯାଏଁ ଆମକୁ ଆହୁରି ସତର୍କ ରହିବାକୁ ପଡିବ । ଶୀତ ଦିନେ କୋରୋନା ସଂକ୍ରମଣ ବଡିବା ଆଶଙ୍କା ରହିଛି । ଟିକେ ଅସାବଧାନ ହେଲେ କୋରୋନା ସଂକ୍ରମଣ ଆହୁରି ବଢିଯିବା ଆଶଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୂଜାପାର୍ବଣରେ ଅଧିକ ଭିଡ ନ କରି ଘରେ ରହି ମାଆଙ୍କୁ ଆରାଧନା କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । କେରଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେହି ରାଜ୍ୟ ଭଲ ଭାବେ କୋରୋନା ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । କିନ୍ତୁ ଓନାମ ପର୍ବ ପରେ ସେଠାରେ ସଂକ୍ରମଣ ତିନି ଗୁଣ ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଦୃଷ୍ଟିରୁ ପାର୍ବଣ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ନବୀନ କହିଛନ୍ତି । କିଛି ୟୁରୋପୀୟ ଦେଶରେ ଏବେ କୋରୋନାର ଦ୍ୱିତୀୟ ତରଙ୍ଗ ଆସିଛି । ସେଠାରେ କିଛି ଦେଶରେ ପୁଣି ଥରେ ଲକ୍‌ଡାଉନ ଫେରିଲାଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ପୁଣି ଥରେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Patnaik