ଆଜିଠୁ ୧୦ ଦଳକୁ ନେଇ ଆଇପିଏଲର ୧୫ତମ ସଂସ୍କରଣ, ଚେନ୍ନାଇ-କୋଲକାତା ଉଦଘାଟନୀ ମୁକାବିଲା | News Room Odisha

ଆଜିଠୁ ୧୦ ଦଳକୁ ନେଇ ଆଇପିଏଲର ୧୫ତମ ସଂସ୍କରଣ, ଚେନ୍ନାଇ-କୋଲକାତା ଉଦଘାଟନୀ ମୁକାବିଲା

ମୁମ୍ବାଇ: ଭାରତୀୟ କ୍ରିକେଟର ମଉଡ଼ମଣି ଆଇପିଏଲର ୧୫ତମ ସଂସ୍କରଣ ଶନିବାର ଠାରୁ ଆରମ୍ଭ ହେଉଛି । ଏଥର ବୃହତ, ଉନ୍ନତ ଓ ଦୀର୍ଘକାୟ ଫର୍ମାଟ୍ ସହ ଆଇପିଏଲର ଘରବାହୁଡ଼ା ହୋଇଛି । କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଦୀର୍ଘ ଦୁଇ ବର୍ଷ ପରେ ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବ । ଷ୍ଟାଡିୟମକୁ ଆସି ମ୍ୟାଚ୍ ଦେଖିବା ପାଇଁ ୨୫ ପ୍ରତିଶତ ଦର୍ଶକଙ୍କୁ ମଧ୍ୟ ଅନୁମତି ଦିଆଯାଇଛି । ଏଥର ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ଗୁଜରାଟ ଟାଇଟନ୍ସ ଦୁଇ ନୂଆ ଟିମ୍ ସାମିଲ ହୋଇଥିବା ବେଳେ୨୦୧୧ ପରଠୁ ପ୍ରଥମ ଥର ପାଇଁ ୧୦ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଦୁଇ ନୂଆ ଦଳର ମୂଲ୍ୟ (୧୩ ହଜାର କୋଟି)ରୁ ହିଁ ଆଇପିଏଲର ବ୍ରାଣ୍ଡ ଚାହିଦା କିପରି ବୃଦ୍ଧି ପାଇବାରେ ଲାଗିଛି ତାହା ସ୍ପଷ୍ଟ ଅନୁମେୟ । ଏପରିକି ଆଇପିଏଲର ନୂଆ ଦଳ କିଣିବା ପାଇଁ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଫୁଟବଲ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡର ମାଲିକ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ । ତେବେ ଶେଷରେ ଭାରତର ସଞ୍ଜିବ ଗୋଏଙ୍କା ଗ୍ରୁପ୍ ଏବଂ ବ୍ରିଟେନ ଭିତ୍ତିକ କମ୍ପାନୀ ସିଭିସି ଗୁପ୍ ଦୁଇ ନୂଆ ଟିମକୁ କିଣିବାରେ ସଫଳ ହୋଇଥିଲେ ।

ଆଇପିଏଲର ଉଦଘାଟନୀ ମୁକାବିଲା ୱାଙ୍ଖେଡେ ଷ୍ଟାଡିୟମରେ ଗତ ଥରର ବିଜେତା ଚେନ୍ନାଇ ସୁପରକିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଏଥର ଚେନ୍ନାଇ ନୂଆ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ । ଟୁର୍ଣ୍ଣାମେଣ୍ଟର ଠିକ୍ ଦୁଇ ଦିନ ପୂର୍ବରୁ କିମ୍ବଦନ୍ତୀ ଏମଏସ୍ ଧୋନି ଚେନ୍ନାଇ ଅଧିନାୟକ ଦାୟିତ୍ୱ ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଧୋନି କେବଳ ଜଣେ ଖେଳାଳି ଭାବେ ଚେନ୍ନାଇର ପ୍ରତିନିଧିତ୍ୱ କରିବେ ।

ଏଥର ଆଇପିଏଲ୍ ଲିଗ୍ ପର୍ଯ୍ୟାୟ ମହାରାଷ୍ଟ୍ରର ଚାରୋଟି ଭେନ୍ୟୁରେ ସୀମିତ ରଖାଯାଇଛି । ଦୁଇ ନୂଆ ଦଳ ସାମିଲ ହୋଇଥିବାରୁ ମ୍ୟାଚ୍ ସଂଖ୍ୟା ୬୦ରୁ ୭୪କୁ ବୃଦ୍ଧି ପାଇଛି । ଦୀର୍ଘ ଫର୍ମାଟ ଯୋଗୁଁ ପ୍ରତିଯୋଗିତାର ମାନ ପ୍ରଭାବିତ ହେବ କି ନାହିଁ ତାହା ସମୟ ହିଁ କହିବ । ସେ ଯାହା ହେଉନା କାହିଁକି, ଦୁଇବର୍ଷ ପରେ ପୂରା ଆଇପିଏଲ୍ ଭାରତରେ ହେଉଥିବାରୁ ପ୍ରଶଂସକ ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି ।

କୋଭିଡ୍‌-୧୯ କାରଣରୁ ୨୦୨୦ରେ ପୂରା ଟୁର୍ଣ୍ଣାମେଣ୍ଟ ୟୁଏଇରେ ଅନୁଷ୍ଠିତ ହୋଇଥିଲା । କରୋନାର ଭୟାବହ ଦ୍ୱିତୀୟ ଲହର ମଧ୍ୟରେ ୨୦୨୧ ସଂସ୍କରଣ ଭାରତରେ କରିବାକୁ ଦୁଃସାହସିକ ନିଷ୍ପତ୍ତି ନେଇଥିଲା ବିସିସିଆଇ । ହେଲେ ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ୨୯ଟି ମ୍ୟାଚ୍ ଖେଳାଯିବା ପରେ ବାୟୋ ବବଲରେ ଏକାଧିକ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଟୁର୍ଣ୍ଣାମେଣ୍ଟକୁ ମଝିରେ ସ୍ଥଗିତ ରଖାଯାଇଥିଲା । ଗତ ସିଜନର ଅବଶିଷ୍ଟାଂଶ ପୁଣି ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା । ଗତ ସିଜନରୁ ଶିକ୍ଷା ପାଇଛି ଭାରତୀୟ ବୋର୍ଡ । କରୋନା ବିପଦକୁ ଏଡାଇବା ଏବଂ ଭ୍ରମଣ ହ୍ରାସ କରିବା ପାଇଁ ଏଥର ଆଇପିଏଲର ସବୁ ଲିଗ୍ ମ୍ୟାଚ ମହାରାଷ୍ଟ୍ରର ଚାରୋଟି ଭେନ୍ୟୁରେ ଆୟୋଜନ କରିବାକୁ ଭାରତୀୟ ବୋର୍ଡ ନିଷ୍ପତ୍ତି ନେଇଛି ।