ଭାରତ ବିପକ୍ଷ ସିରିଜ : ଅଷ୍ଟ୍ରେଲିଆର ଏକଦିବସୀୟ ଓ ଟି-୨୦ ଦଳ ଘୋଷିତ, ଯୁବ ଅଲରାଉଣ୍ଡର କାମେରନ ଗ୍ରୀନ ନୂଆ ମୁହଁ, ତିନି ବର୍ଷ ପରେ ଫେରିଲେ ହେନେରିକ୍ସ | News Room Odisha

ଭାରତ ବିପକ୍ଷ ସିରିଜ : ଅଷ୍ଟ୍ରେଲିଆର ଏକଦିବସୀୟ ଓ ଟି-୨୦ ଦଳ ଘୋଷିତ, ଯୁବ ଅଲରାଉଣ୍ଡର କାମେରନ ଗ୍ରୀନ ନୂଆ ମୁହଁ, ତିନି ବର୍ଷ ପରେ ଫେରିଲେ ହେନେରିକ୍ସ

ମେଲବୋର୍ଣ୍ଣ – ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଘୋଷିତ ହୋଇଛି । ଟି-୨୦ ଓ ଏକଦିବସୀୟ ସିରିଜ୍ ପାଇଁ ଦଳ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ତିନି ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ମୋଏସିସ୍ ହେନେରିକ୍ସ । ବିଗ ବ୍ୟାସ୍ ଲିଗରେ ଉନ୍ନତ ପ୍ରଦର୍ଶନ ଭିତିରେ ହେନେରିକ୍ସଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଯୁବ ଅଲରାଉଣ୍ଡର କାମେରନ ଗ୍ରୀନ ନୂଆ ମୁହଁ ଭାବେ ଟି-୨୦ ଓ ଏକଦିବସୀୟ ଦଳରେ ସ୍ଥାନ ପାଇଛନ୍ତି । ଘରୋଇ କ୍ରିକେଟରେ କାମେରନଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି । ଗ୍ରୀନ ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଜାତୀୟ ଦଳର ଭବିଷ୍ୟତ ଭାବେ ତାଙ୍କୁ ଦେଖାଯାଉଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆର ଚୟନକର୍ତା ଟ୍ରେଭର ହନ୍ସ କହିଛନ୍ତି । ଗ୍ରୀନଙ୍କୁ ଗ୍ରେଗ ଚ୍ୟାପେଲଙ୍କ ଭଳି ବହୁ କିମ୍ବଦନ୍ତୀ ପୂର୍ବତନ କ୍ରିକେଟର ଉଚ୍ଚ ପ୍ରଶଂସା କରିଛନ୍ତି ।

ଭାରତ ବିପକ୍ଷ ଟି-୨୦ ଓ ଏକଦିବସୀୟ ସିରିଜ୍ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଦଳରେ ମୁଖ୍ୟତଃ ବ୍ୟାଟିଂ ଅଲରାଉଣ୍ଡରଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।
ମୋଏସିସ୍ ହେନେରିକ୍ସ ଗତବର୍ଷ ଟି-୨୦ ବିଗ୍ ବ୍ୟାସ ଲିଗରେ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସିଡନୀ ସିକ୍ସର ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ହେନେରିକ୍ସ ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିବା ସହ ନିଜ ନେତୃତ୍ୱରେ ଟିମକୁ ଟାିଟଲ ବିଜୟୀ କରାଇଥିଲେ । ଚଳିତ ଆଇପିଏଲରେ ଆହତ ହୋଇଥିବା ମିଚେଲ ମାର୍ଶଙ୍କୁ ଚୟନ ପାଇଁ ବିଚାରକୁ ନିଆଯାଇନାହିଁ । ତେବେ ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ମାର୍ଶ, ଅଷ୍ଟ୍ରେଲିଆର ଏ ଟିମ୍‌କୁ ଫେରିପାରନ୍ତି ।
ଅଷ୍ଟ୍ରେଲିଆର ଟି-୨୦ ଓ ଏକଦିବସୀୟ ଦଳ : ଆରୋନ ଫିଂଚ୍ ( ଅଧିନାୟକ ), ସନ ଆବୋଟ, ଆଷ୍ଟନ ଅଗର୍‌, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, କାମେରନ ଗ୍ରୀନ, ଜୋଶ୍ ହାଡେଲଉଡ୍ , ମୋଏସିସ ହେନରିକ୍ସ, ଏମ. ଲାବୁସାନ, ଗ୍ଲେନ ମ୍ୟାକୱେଲ୍‌, ଡାନିଏଲ ସାମ୍ସ, କେନ୍ ରିଚାର୍ଡସନ, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କୋସ ଷ୍ଟୋଏନିସ୍‌, ମାଥ୍ୟୁ ୱାଡ୍ , ଡେଭିଡ ୱାର୍ନର ଓ ଆଡାମ ଜାଂପା ।

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ, ତିନିଟି ଟି-୨୦ ଓ ତିନିଟି ଏକଦିବସୀୟ ମ୍ୟାଚ ଖେଳିବ । ନଭେମ୍ବର ୨୭ରୁ ଏକଦିବସୀୟ ସିରିଜରେ ଦୁଇ ଦଳ ମୁହାଁମୁହିଁ ହେବେ । ଡିସେମ୍ବର ୪ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ ।