କ୍ରୀଡାର ବିକାଶ ପାଇଁ ଉଦ୍ୟମ, ଗୋଟିଏ ଦିନରେ ତିନିଟି ସ୍ପୋର୍ଟସ୍ କଂପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ | News Room Odisha

କ୍ରୀଡାର ବିକାଶ ପାଇଁ ଉଦ୍ୟମ, ଗୋଟିଏ ଦିନରେ ତିନିଟି ସ୍ପୋର୍ଟସ୍ କଂପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର କ୍ରୀଡା ଭିତିଭୂମି ବିକାଶ କ୍ଷେତ୍ରରେ ଆଜି ଥିଲା ଏକ ଗୁରୁତ୍ୱପୂଣ୍ଣ ର୍ ଦିନ । ରାଜ୍ୟରେ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତିକୁ ସର୍ବଦା ପ୍ରାଥମିକତା ଦେଇଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଟି ଆଧୁନିକ କ୍ରୀଡା ଭିତିଭୂମିର ଉଦଘାଟନ କରିଛନ୍ତି ।ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ତୃଣମୂଳ ସ୍ତରରେ ସବୁ ସୁବିଧା କରାଯିବ । ଏହାଛଡା ଛତ୍ରପୁରରରେ ଏକ ସିନ୍ଥେଟିକ ଟର୍ଫ ହକି ଟ୍ରେନିଂ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି ହିଞ୍ଜିଳିରେ ମଲଟିସ୍ପୋର୍ଟ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ ଦଶମିକ ୫ ଏକର ଜମିରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ବ୍ୟାଡମିଂଟନ କୋର୍ଟ ରହିଛି । ଭଲିବଲ୍‌,ବାସ୍କେଟବଲ୍ ବି ଖେଳାଯାଇପାରିବ । ଏହି ଷ୍ଟାଡିୟମରେ ଯୋଗ, ଜିମ ଓ ଫିଜିଓଥେରାପି ବ୍ୟବସ୍ଥା ରହିଛି । ଛତ୍ରପୁର ଇଣ୍ଡୋର ହଲ୍ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ୩ଟି ଆନ୍ତର୍ଜାତିକ ମାନର ଉଡେନ୍ ଫ୍ଲୋର ବ୍ୟାଡମିଂଟନ କୋର୍ଟ ରହିଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସୁଟିଂ ରେଂଜ୍ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁଟିଂ ରେଂଜ ଆଦିତ୍ୟ ବିର୍ଲା-ଗଗନ ନାରଙ୍ଗ ହାଇ ପରଫରମାନସ୍ ସେଂଟର ଦ୍ୱାରା ପରିଚାଳିତ ହେବ ।

୫-ଟି ପଦକ୍ଷେପ ଅଧୀନରେ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ଫୋକସ୍ ରହିଛି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟରେ ଯୁବ ପ୍ରତିଭାର ପ୍ରୋତ୍ସାହନ ପାଇଁ ଶିଳ୍ପପତି କୁମାର ମଙ୍ଗଲମ ବିର୍ଲା ଓ ଅଲିମ୍ପିଆନ୍ ଗଗନ ନାରଙ୍ଗଙ୍କ ଉଦମକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ଓଡିଶାକୁ ଭାରତର କ୍ରୀଡା ରାଜଧାନୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା ଓ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ ।

ହିଂଜିଳି ଓ ଛତ୍ରପୁର ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାର କ୍ରୀଡା ସଂସ୍କୃତିକୁ ପ୍ରଶଂସା କରିଛନ୍ତି ।

5TCM Naveen PatnaikOdisha GovernmentOdisha Sports Department