ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ | News Room Odisha

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ନିଲମ୍ବିତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ନିକଟରେ ଶେଷ ହୋଇଥିବା ବାଲେଶ୍ୱର ସଦର ଉପନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

ଏହି ଆସନରୁ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ଚେଷ୍ଟା କରିବା ବଦଳରେ ସେ ତାଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର କରିଥିବା ସୂଚନା ମିଳିଥିଲା । ଗତ ନିର୍ବାଚନରେ ସେ ପରାଜିତ ହୋଇଥିଲେ । ଏଥର ଉପନିର୍ବାଚନରେ ମଧ୍ୟ ସେ ଲଢିବାକୁ ଆଶା ରଖିଥିଲେ । କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା । ଏଣୁ ସେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଥିଲା ।