୨୦ ବର୍ଷରେ ରୁଜୁ ହୋଇଛି ୧୮୮୮ଟି ହାଜତ ମୃତ୍ୟ ମାମଲା, ଦୋଷୀ ସାବ୍ୟସ୍ତ ହେଇଛନ୍ତି ମାତ୍ର ୨୬ ପୋଲିସ୍ | News Room Odisha

୨୦ ବର୍ଷରେ ରୁଜୁ ହୋଇଛି ୧୮୮୮ଟି ହାଜତ ମୃତ୍ୟ ମାମଲା, ଦୋଷୀ ସାବ୍ୟସ୍ତ ହେଇଛନ୍ତି ମାତ୍ର ୨୬ ପୋଲିସ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଞ୍ଜରେ ଅଲତାଫ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ପୁଣି ଥରେ ହାଜତ ମୃତ୍ୟୁକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ବାର୍ଷିକ କ୍ରାଇମ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଗତ ୨୦ ବର୍ଷରେ ଦେଶରେ ହାଜତ ମୃତ୍ୟୁର ୧୮୮୮ଟି ମାମଲା ସାମ୍ନାକୁ ଆସିଛି । ତେବେ ମାତ୍ର ୨୬ ଜଣ ପୋଲିସ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତଥ୍ୟ ଅନୁଯାୟୀ, ହାଜତ ମୃତ୍ୟୁ ନେଇ ପୋଲିସ୍ ବିରୋଧରେ ୮୯୩ଟି ମାମଲା ରୁଜୁ ହୋଇଛି ଏବଂ ୩୫୯ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି ।

ଏକ ସଦ୍ୟତମ ଘଟଣାରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଉତ୍ତରପ୍ରଦେଶର କାସଗଞ୍ଜର କୋଟୱାଲି ପୋଲିସ ଷ୍ଟେସନକୁ ଅଣାଯାଇଥିବା ଅହ୍ରୋଲିର ବାସିନ୍ଦା ଅଲତାଫଙ୍କ ମୃତ୍ୟୁ ହୋଇଛି। ଏହି ମାମଲାରେ ଅଲତାଫଙ୍କ ପିତା ଚାନ୍ଦ ମିଆଁ ପୋଲିସ ତାଙ୍କ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ଦାବି କରିଛି ଯେ ଆଲତାଫ୍ ଲକଅପ୍ ର ଶୌଚାଳୟରେ ଆତ୍ମହତ୍ୟା କରିଥିଲେ ।

ଏନସିଆରବି ତଥ୍ୟ ଅନୁଯାୟୀ, ହାଜତ ମୃତ୍ୟୁ ମାମଲାରେ ୨୦୦୬ରେ ସର୍ବାଧିକ ସଂଖ୍ୟକ ପୋଲିସ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେହିବର୍ଷ ଦୋଷୀ ସାବ୍ୟସ୍ତ ୧୧ ଜଣ ପୋଲିସ୍ ମଧ୍ୟରୁ ୭ ଜଣ ଉତ୍ତରପ୍ରଦେଶର ଏବଂ ଚାରିଜଣ ମଧ୍ୟପ୍ରଦେଶର ଥିଲେ। ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୦ରେ ଗୁଜୁରାଟର ସର୍ବାଧିକ ସଂଖ୍ୟକ ହାଜତ ମୃତ୍ୟୁ ଘଟିଥିଲା।

ଗତବର୍ଷ ଗୁଜୁରାଟରେ ୧୫ଟି ହାଜତ ମୃତ୍ୟୁ ରୁଜୁ ହୋଇଥିଲା | ଏହାଛଡ଼ା ଆନ୍ଧ୍ରପ୍ରଦେଶ, ବିହାର, ଆସାମ, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ମଧ୍ୟ ପୋଲିସ ହେପାଜତରେ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। କିନ୍ତୁ ହାଜତ ମୃତ୍ୟୁ ମାମଲାରେ ଗତ ବର୍ଷ ଅର୍ଥାତ୍ ୨୦୨୦ରେ ଜଣେ ହେଲେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇନଥିଲେ |