ଆଫଗାନିସ୍ତାନ: ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ଆକ୍ରମଣ, ୧୯ ମୃତ | News Room Odisha

ଆଫଗାନିସ୍ତାନ: ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ଆକ୍ରମଣ, ୧୯ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ଆକ୍ରମଣ ହୋଇଛି । ଏଥିରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପୋଲିସର ସୂଚନାନୁସାରେ, ସହରର ପଶ୍ଚିମ ଭାଗର ଦାଶ-ଇ-ବାରଚିର କାଜ ଶିକ୍ଷା କେନ୍ଦ୍ରରେ ଏହି ବିସ୍ଫୋରଣ ଘଟିଛି।ଛାତ୍ରମାନେ ପରୀକ୍ଷା ଦେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା କେନ୍ଦ୍ର କର୍ମଚାରୀ କହିଛନ୍ତି।

ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକ ହଜାରା ସମ୍ପ୍ରଦାୟର ଅଟନ୍ତି | ଅତୀତରେ ମଧ୍ୟ ହଜାରା ସମ୍ପ୍ରଦାୟକୁ ଟାର୍ଗେଟ କରି ଆକ୍ରମଣ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି।

ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବୋଲି କହିଛନ୍ତି।

ତାଲିବାନ ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ କ୍ଷମତାକୁ ଫେରିବା ପରେ ଦେଶରେ ଶାନ୍ତି ଓ ସ୍ଥିରତା ଆଣିବାକୁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ତେବେ ତାଲିବାନର ବିରୋଧୀ ଇସଲାମିକ୍ ଷ୍ଟେଟ୍ ଦ୍ୱାରା ଦେଶରେ ଆକ୍ରମଣ ଜାରି ରହିଛି।

ଅତୀତରେ ଦାଶ-ଇ-ବାରଚିରେ ମଧ୍ୟ ଅନେକ ଆକ୍ରମଣ ହୋଇଛି। କିଛି ଆକ୍ରମଣରେ ସ୍କୁଲ ଏବଂ ଡାକ୍ତରଖାନାକୁ ଟାର୍ଗେଟ କରାଯାଇଥିଲା।

ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନର କ୍ଷମତାକୁ ଫେରିବା ପୂର୍ବରୁ ଦାଶ-ଇ-ବାରଚିର ଏକ ବାଳିକା ବିଦ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୮୫ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ଥିଲେ ଏବଂ ଉକ୍ତ ଆକ୍ରମଣରେ ଶତାଧିକ ଲୋକ ଆହତ ହୋଇଥିଲେ।