୧୨ ଘଣ୍ଟାରେ ଦୁଇଟି ଟ୍ରେନରେ ଅଗ୍ନିକାଣ୍ଡ: ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୯ ଯାତ୍ରୀ ଆହତ | News Room Odisha

୧୨ ଘଣ୍ଟାରେ ଦୁଇଟି ଟ୍ରେନରେ ଅଗ୍ନିକାଣ୍ଡ: ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୯ ଯାତ୍ରୀ ଆହତ

ଇଟାୱା: ଗତ ୧୨ ଘଣ୍ଟାରେ ଦୁଇଟି ଯାତ୍ରୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଦରଭଙ୍ଗା ଏକ୍ସପ୍ରେସ ପରେ ଏବେ ଦିଲ୍ଲୀରୁ ସାହାରା ଅଭିମୁଖେ ଯାଉଥିବା ବୈଶାଳୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଛି | ଟ୍ରେନର ଏସ୍-୬ କୋଚରେ ନିଆଁ ଲାଗିଯିବାରୁ ୧୯ ଯାତ୍ରୀ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଇଟାୱାଠାରେ ଏହି ଅଘଟଣ ଘଟିଛି ।

ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନର ଏସ୍-୬ କୋଚରେ ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ। ଇଟାୱାର ଫ୍ରେଣ୍ଡସ୍ କଲୋନୀ ଅଞ୍ଚଳର ମେନପୁରୀ ଆଉଟର୍ ଗେଟରେ ଏହି ଅଘଟଣ ଘଟିଛି।

ସୂଚନାଯୋଗ୍ୟ, ବୁଧବାର ଇଟାୱାଠାରେ ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ (୦୨୫୭୦) ରେ ମଧ୍ୟ ନିଆଁ ଲାଗିଥିଲା। ଟ୍ରେନର ଏସ-୧ କୋଚ୍ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଟ୍ରେନରେ ନିଆଁ ଲାଗିବା ଏବଂ ଚଳନ୍ତା ଟ୍ରେନରେ ଧୂଆଁ ଉଠିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିଛି ଯାତ୍ରୀ ଜୀବନ ବିକଳରେ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ । ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଥିଲେ । ବୁଧବାର ରାତି ୬ଟାରେ ସରାୟ ଭୂପତ ରେଳ ଷ୍ଟେସନ ନିକଟ ଇଟାୱାରେ ଏହି ଦୁର୍ଘଟଣା ଘଟିଥିଲା|