କେନ୍ଦ୍ର ସରକାରଙ୍କ ଆଉ ଏକ ରିଲିଫ୍ ପ୍ୟାକେଜ୍: ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ | News Room Odisha

କେନ୍ଦ୍ର ସରକାରଙ୍କ ଆଉ ଏକ ରିଲିଫ୍ ପ୍ୟାକେଜ୍: ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ – କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇପଡିଥିବା ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ମୋଦି ସରକାର ଆଉ ଏକ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସମ୍ପ୍ରତି ଅର୍ଥନୀତିରେ ଉନ୍ନତିର ସଙ୍କେତ ମିଳିଛି। ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି। ଏହା ଅଧିନରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଆରମ୍ଭ ହୋଇଛି । ଯାହା ଦ୍ଵାରା ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ।

ଏଥିରେ କର୍ପୋରେଟ୍ ଠାରୁ ଆରମ୍ଭ କରି କୃଷକ ପର୍ଯ୍ୟନ୍ତ, ରିଅଲ୍ ଇଷ୍ଟେଟ୍ ଠାରୁ ଆରମ୍ଭ କରି କ୍ଷତିଗ୍ରସ୍ତ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପ୍ରୟାସ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ୧୨ଟି ଘୋଷଣା କରାଯିବ। ସେ କହିଛନ୍ତି ଯେ ସାମ୍ପ୍ରତିକ ପରିସଂଖ୍ୟାନରୁ ଅର୍ଥନୀତି ସୁଧୁରୁଥିବା ଆଭାସ ମିଳିଛି ।

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ କର୍ମଚାରୀ କିଭଳି ଇପିଏଫ୍ଓ ରେ ସାମିଲ ହେବେ ଏବଂ ଭବିଷ୍ୟନିଧି ପାଣ୍ଠି ରୁ ଉପକୃତ ହେବେ ।
ଯେଉଁ କର୍ମଚାରୀ ପୂର୍ବରୁ ପିଏଫ୍ ପାଇଁ ପଞ୍ଜୀକୃତ ହୋଇନଥିଲେ ଏବଂ ସେମାନଙ୍କର ଦରମା ୧୫ ହଜାରରୁ କମ୍, ସେମାନେ ଏହି ଯୋଜନାର ଲାଭ ପାଇବେ ।ଯେଉଁମାନେ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାକିରିରେ ନଥିଲେ, କିନ୍ତୁ ଏହା ପରେ ପିଏଫ୍ ସହ ଜଡିତ ହୋଇଥିଲେ ସେମାନେ ମଧ୍ୟ ଉପକୃତ ହେବେ । ଏହି ଯୋଜନା ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଲାଗୁ ହେବ ।
ଦୁଇ ବର୍ଷ ଧରି ୧୦୦୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାକୁ ସବସିଡି ହିସାବରେ ସରକାର ନୂତନ ଭାବେ ନିଯୁକ୍ତ କର୍ମଚାରୀଙ୍କ ପିଏଫ୍ ର ୨୪% ପ୍ରଦାନ କରିବେ। ଏହା ୧ ଅକ୍ଟୋବର ୨୦୨୦ ଠାରୁ ଲାଗୁ ହେବ | ୧୦୦୦ରୁ ଅଧିକ କର୍ମଚାରୀ ଥିବା ଏକ ଅନୁଷ୍ଠାନରେ ନୂତନ କର୍ମଚାରୀଙ୍କ ୧୨ ପ୍ରତିଶତ ପିଏଫ୍ ଅବଦାନ ପାଇଁ ସରକାର ୨ ବର୍ଷ ପାଇଁ ସବସିଡି ପ୍ରଦାନ କରିବେ । ପ୍ରାୟ ୯୫ ପ୍ରତିଶତ ଅନୁଷ୍ଠାନ ଏହା ଅଧୀନରେ ଆସିବେ ଏବଂ କୋଟି କୋଟି କର୍ମଚାରୀ ଉପକୃତ ହେବେ।
ସରକାର ୩ ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ଇସିଏଲଜିଏସ) ଯୋଜନାର ସମୟସୀମାକୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଆତ୍ମନିର୍ଭର ଭାରତ ଅଧୀନରେ ଇସିଏଲଜିଏସ ଯୋଜନା ଅଧୀନରେ ୬୧ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କାମାଥ୍ କମିଟିର ସୁପାରିଶ ଆଧାରରେ ୨୬ଟି କ୍ଷତିଗ୍ରସ୍ତ କ୍ଷେତ୍ର ଚିହ୍ନଟ କରାଯାଇଛି। ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହି କ୍ଷେତ୍ରଗୁଡିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ ୨.୦ ଆରମ୍ଭ ହେବ। ଏମଏସଏମଇ କ୍ଷେତ୍ର ମଧ୍ୟ ଏଥିରୁ ଉପକୃତ ହେବ ।

ଅନ୍ୟାନ୍ୟ ପ୍ରମୁଖ ଘୋଷଣା:

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ 10 ହଜାର କୋଟିର ଅତିରିକ୍ତ ବ୍ୟବସ୍ଥା । ଏହାର ଉପଯୋଗ ମନରେଗା କିମ୍ବା ଗ୍ରାମ ସଡକ ଯୋଜନା ପାଇଁ କରାଯିବା ସମ୍ଭାବନା । ଚାଷୀଙ୍କୁ ସାର ସବସିଡି ଯୋଗାଇବା ପାଇଁ 65 ହଜାର କୋଟି ଟଙ୍କାର ବ୍ୟବସ୍ଥା ।

Atmanirbhar Bharat 3.0FM Nirmala Sitharaman