ଦୁଇ ବସ୍ ମଧ୍ୟରେ ଧକ୍କା, ଜଳିଗଲେ ୨୦ ଯାତ୍ରୀ | News Room Odisha

ଦୁଇ ବସ୍ ମଧ୍ୟରେ ଧକ୍କା, ଜଳିଗଲେ ୨୦ ଯାତ୍ରୀ

ଲାଗୋସ୍: ଦକ୍ଷିଣ ପଶ୍ଚିମ ନାଇଜେରିଆରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ଏକ ଗାଡି ସହିତ ଧକ୍କା ହେବା ପରେ ଏକ ବସରେ ନିଆଁ ଲାଗି ଅତିକମରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ସୂଚନା ଦେଇ ପୋଲିସ ଓ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ଶନିବାର ଓୟୋ ରାଜ୍ୟର ଇବାରାପା ଅଞ୍ଚଳର ଲାନଲେଟରେ ଘଟିଛି।

ସୂଚନା ଅନୁଯାୟୀ, ଇବାରାପା ଜିଲ୍ଲା ସଭାପତି ଗବେଙ୍ଗା ଓବାଲୋଓ କହିଛନ୍ତି ଯେ ଏହା ଏକ ମର୍ମନ୍ତୁଦ ଦୁର୍ଘଟଣା। ଆମେ ସଂପୂର୍ଣ୍ଣ ଜଳିଯାଇଥିବା ୨୦ରୁ ଅଧିକ ମୃତଦେହ ଉଦ୍ଧାର କରିଛୁ। ‘ଓବାଲୋଭୋ ଦୁର୍ଘଟଣା ପାଇଁ ଦ୍ରୁତ ଗତିରେ ଏବଂ ବେପରୁଆ ଡ୍ରାଇଭିଂକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, ଦୁଇଟି ଯାତ୍ରୀବାହୀ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ବସ୍ ରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଆୟତ୍ତ କରାଯାଇପାରି ନଥିଲା । ସେ କହିଛନ୍ତି ଯେ ଦୁର୍ଘଟଣାରେ ‘ଗୁରୁତର ଭାବେ ଜଳିଯାଇଥିବା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ନାଇଜେରିଆର ଶୋଚନୀୟ ରାସ୍ତା ସହ ସାଧାରଣତଃ ଦ୍ରୁତ ଗତିରେ ଡ୍ରାଇଭିଂ ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଯୋଗୁଁ ଏପରି ଦୁର୍ଘଟଣା ନିୟମିତ ଘଟିବା ନଜିର ରହିଛି | ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଉତ୍ତର-ପଶ୍ଚିମ ନାଇଜେରିଆର କାଦୁନା ରାଜ୍ୟର ଏକ ରାଜପଥରେ ତିନି ଗାଡି ମଧ୍ୟରେ ପରସ୍ପର ଧକ୍କାରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସଡକ ସୁରକ୍ଷା ଆୟୋଗର ତଥ୍ୟ ଅନୁଯାୟୀ ଗତ ବର୍ଷ ନାଇଜେରିଆରେ ୧୦,୬୩୭ ସଡ଼କ ଦୁର୍ଘଟଣା ରିପୋର୍ଟ କରାଯାଇଥିଲା । ଏଥିରେ ୫,୧୦୧ ଜଣଙ୍କର ମୃତ୍ୟୁ ହୋଇଥିବ ​​ବେଳେ ୩୦,୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।