୪୨ ଲକ୍ଷ ଚାଷୀଙ୍କ ହୃଦୟ ପୁଣି ଜିଣିଲେ ମୁଖ୍ୟମନ୍ତ୍ରୀ: ଧନ୍ୟବାଦ ନବୀନ ବାବୁ | News Room Odisha

୪୨ ଲକ୍ଷ ଚାଷୀଙ୍କ ହୃଦୟ ପୁଣି ଜିଣିଲେ ମୁଖ୍ୟମନ୍ତ୍ରୀ: ଧନ୍ୟବାଦ ନବୀନ ବାବୁ

ଲେଖକ : ପ୍ରତିଭା ନେପାକ

କୌଣସି ଶୁଭ କାମ ଆରମ୍ଭ ବେଳେ ଉପହାର ଦେବା ପ୍ରାଚୀନ ଭାରତୀୟ ପରମ୍ପରାର ଅଂଶବିଶେଷ । ଏହା ଜରିଆରେ ଉପହାର ଗ୍ରହଣ କରୁଥିବା ବ୍ୟକ୍ତିର କାର୍ଯ୍ୟସିଦ୍ଧି ସାଙ୍ଗକୁ ମଙ୍ଗଳ କାମନା କରାଯାଇଥାଏ । ପବିତ୍ର ଅକ୍ଷୟ ତୃତୀୟା ତିଥିର ଦିନକ ପୂର୍ବରୁ ଓଡ଼ିଶାର ୪୨ ଲକ୍ଷ ଚାଷୀଙ୍କୁ ଏଭଳି ଉପହାର ଦେଇ ଆଗାମୀ କୃଷି ଋତୁରେ ସେମାନଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳ ଏୟା ହୋଇଛି ଯେ କରୋନା କଷଣରେ ପୀଡ଼ିତ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟି ଉଠିଛି । ସେମାନଙ୍କ ହୃଦୟରେ ଆତ୍ମସନ୍ତୋଷ ଆସି ପାରିଛି । ଆଉ ତାହାର କାରଣ ହୋଇଛନ୍ତି ନବୀନ ପଟ୍ଟନାୟକ । ଚାଷୀମାନଙ୍କ ହାତକୁ କାମ, ବ୍ୟାଙ୍କ୍ ଆକାଉଣ୍ଟକୁ ଅର୍ଥ ଦେଇ ସେମାନଙ୍କ ପରିବାରରେ ଖୁସି ଆଣି ଚାଷୀ ସମାଜର ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଅକ୍ଷୟ ତୃତୀୟରେ ଚାଷ କାମ ଆରମ୍ଭ ପୂର୍ବରୁ କାଳିଆ ଯୋଜନାରେ ୪୨ ଲକ୍ଷ ଓଡ଼ିଆ ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ୯୨୦ କୋଟି ଟଙ୍କା ଜମା କରିଛନ୍ତି ରାଜ୍ୟ ସରକାର । ଗୋଟିଏ ପଟେ ରାଜ୍ୟର କୃଷକଙ୍କୁ କରୋନା କାଳରେ ଆଶ୍ୱସ୍ତି ଦେଇଛନ୍ତି ତ ଆରପଟେ ମହାମାରୀ ମୁକାବିଲା ସାଙ୍ଗକୁ ଚାଷୀଙ୍କ ପ୍ରଗତି ବା ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିବା ନେଇ ନିଜର ଦୃଢ଼ ସଂକଳ୍ପକୁ ପୁଣି ପ୍ରତିପାଦିତ କରିଛନ୍ତି । ରାଜ୍ୟର ସବୁ ଛୋଟ ଚାଷୀ, ନାମ ମାତ୍ର ଚାଷୀ, ଭୂମିହୀନ କୃଷକ ନିଜ ପରିବାରର ବିକାଶରେ ଏହାର ସଦୁପଯୋଗ କରିବା ପାଇଁ ଆହ୍ବାନ ମଧ୍ୟ ଦେଇ ସେମାନଙ୍କୁ ନିଜ ଦାୟିତ୍ବବୋଧ ନେଇ ସଜାଗ କରି ଦେଇଛନ୍ତି ପରିବାରର ଏହି ମୁଖିଆ।

ଗଜପତି ଜିଲ୍ଲାର ଚାଷୀ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି ଯେ- ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ବାସ୍ତବରେ ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଛି । କରୋନା କାଳରେ ଅର୍ଥ ସଙ୍କଟରେ ପଡ଼ିଥିବା ଚାଷୀ ଅନ୍ତତଃ ଏବେ ବିହନ, ସାର କିଣି ଚାଷ ଆରମ୍ଭ କରିପାରିବ । ପାରଳାଖେମୁଣ୍ଡିର ଚାଷୀ ଲମ୍ବୋଦର ଜେନାଙ୍କ କହିବା ମୁତାବକ ନବୀନ ବାବୁ ଆମର ଦୁଃଖ ଠିକ୍ ବୁଝିପାରିଛନ୍ତି । ଆମେ ଚିନ୍ତା କରୁଥିଲୁ ଯେ- ଅକ୍ଷୟ ତୃତୀୟ ଆସିଗଲାଣି । ଚାଷବାସ କେମିତି ଆରମ୍ଭ କରିବୁ । ଆଉ ସମାଧାନର ବାଟ ଦେଖାଇଦେଲେ ଆମର ନେତା । ରାଜ୍ୟର କୃଷକଙ୍କ ଦୁଃଖସୁଖର ସେ ଯେ ସତସତିକା ସାଥୀ ପୁଣି ପ୍ରମାଣିତ ହୋଇଗଲା ।

ସମ୍ବଲପୁର ଜିଲ୍ଲା ସାହାସପୁରର ଭାସ୍କର ଭୋଇ କହନ୍ତି ଇହାଦେ ଲକଡାଉନ୍ ଲାଗିଁ ସବୁ କାମ୍ ଧନ୍ଦା ବନ୍ଦ ପଡିଛେ । ବର୍ଷେ ହେଲା ବଡା ଗୁଲଗୁଲା ଥିଁ ଚଲୁଥିଲୁଁ। ସକାଲ୍ ପାହେଲେଁ ଅଖି ତୃତୀୟା । କେନ୍‌ତା କରି ଖେତକେ ଯିମୁ ବଲିଁ ବଢେ ଚିନ୍ତା ଲାଗୁଥିଲା । କାଲିଆ ଟଙ୍କାଟା ଏନତା ବେଲା ଥିଁ ବଢେଟେ ସାହାସ୍ ଭରି ଦେଲା । ନବୀନ ବାବୁ କେ ମାହାପୁରୁ ଆର୍ଶିବାଦ୍ କରୁନ୍। ଗୁନେଇପାଲିର କୃଷକ ମୁରଲୀ ଷଣ୍ଢଙ୍କ ମତରେ ଇ କରୋନା ଲାଗି ବର୍ଷେ ହେଲା ପେଟ ଅଁଟା ବି ଚଲବାରଟା ମୁସ୍କିଲ ହେଇଯାଇଛେ। ଫେର୍ ଇହାଦେ ଲକଡାଉନ୍ ଲାଗି କମାନି ବି ଠପ୍ ପଡିଛେ । ନୂଆଁ କରି ଫେର ଘାଏ ଧାନ ବୁନବାର୍ ଲାଗି କେନୁ ପଏସା ଆନମୁ ବଲିଁ ଚିନ୍ତା ଥିଁ ଥିଲୁଁ। ଏନତା ସମିଆଁ ଥିଁ କାଲିଆ ଟଙ୍କା ବଢେଟେ ସହଯୋଗ ଆଏ । ନବୀନ୍ ସରକାର କେ ଗୁରୁଦୁଟେ ଧନ୍ୟବାଦ୍ ।

ରାୟଗଡାର କୃଷକ ପରମାଣିକ କହଁର ମୁଖ୍ୟମନ୍ତ୍ରୀଙ୍କୁ ଚାଷୀ ସମାଜ ତରଫରୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ମହାମାରୀ କାଳରେ ଚାଷୀଙ୍କ ପରିବାରର କଷଣ ଫେଡିବାକୁ ଆମ ନବୀନ ବାବୁ ସଠିକ ସମୟରେ ସଠିକ୍ ପଦକ୍ଷେପଟେ ନେଇଛନ୍ତି । କୋରାପୁଟ ଜିଲ୍ଲାର ଇସିକା କ୍ରିଷାନୀଙ୍କ କହିବା ପ୍ରକାରେ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଦେବା ସହ ଚାଷୀଙ୍କ ମନୋବଳକୁ ବଢାଇବାକୁ ଯେଉଁ କଥାପଦକ କହିଛନ୍ତି ତାହା ସମସ୍ତଙ୍କ ମନ ଓ ହୃଦୟ ଜିଣିନେଲା । ଗୋଟିଏ ପଟେ ଆମ ଠାକୁର ଜଗନ୍ନାଥ, ଆରପଟେ ଆମ ନେତା ନବୀନ ବାବୁଙ୍କ ଲାଗି ଆମେ ଚାଷୀଭାଇ ମହାମାରୀ ସମୟରେ ବି ଚଳିବାରେ ବିଶେଷ ଅସୁବିଧା ହେବନି ।

ଝାରସୁଗୁଡା ଜିଲ୍ଲା ପଲସଦା ଅଞ୍ଚଳର ହଳଧର କାଲୋ ମୁଖ୍ୟମନ୍ତ୍ରୀଙ୍କୁ ବିପଦ୍ ବେଲର୍ ଅସଲ ବନ୍ଧୁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ନବୀନ କହିଥିଲେ ଆର୍ କରିଲେ ଭିଲ୍ । ନବୀନ୍ ଆଜ୍ଞା କାଲିଆ ଟଙ୍କା କେ କିହେ ଅଟକେଇ ନ ପାରନ୍ ବଲିଁ କହିଥିଲେ । ଆର୍ ଦେଲେ ଭିଲ୍ । ଯେନ୍ ମାନେ କର ଛିଡୋଲ୍ ଧରିକରି ଚାଷ କରୁଛନ୍ ସେମାନଙ୍କୁ ଭିଲ୍ କାଲିଆ ଅର୍ଥ ଦେଇକରି ବିପଦ୍ ବେଲର୍ ଅସଲ ବନ୍ଧୁ ହେଲେ ମୁଖ୍ୟମନ୍ତ୍ରୀ । ସେହିପରି ବରଗଡ ଜିଲ୍ଲା ଅମ୍ବାଭୋନାର ନଦଲାଲ ବିଶ୍ବାଳ କହିଛନ୍ତି କି ଇ କରୋନା ଥିଁ ଜହକରି ଚାଷୀ ବୁପରା ଜହ ଗୁଲଗୁଲା ଥିଁ ଅଛେ। ଯହା କମାନି କରୁଛେ, ସେଟ କେ ବିକବାର୍ କେ ବି ବଡା ମୁସ୍କିଲ ହେଉଛେ । ଫେର୍ ଇ ଲକଡାଉନ୍ ଥିଁ ହାତେଁ ଟଙ୍କା ଟେ ନେ ଥିଲା ବେଲକେ ସକାଲ୍ ପାହେଲେ ଅଖି ତୃତୀୟା। ପୂଜାର ଖଂଜା ଲାଗିଁ ବି ଚିନ୍ତା ଥିଁ ଥିଲୁ । ହେଲେ ଇହାଦେ ଫେର୍ ବିହନ୍ ପତର୍ ଯୋଗାଡ କରି ବୁନବାର୍ ଲାଗି ସାହାସ୍ ଟେ ମିଲିଗଲା । ଯାହା ହଉ କଥା କମ୍ ଆର୍ କାମ୍ ଟା ଅସଲ୍ ଆଏ ବଲିଁ ନବୀନ ବାବୁ ପ୍ରମାଣ କରିଦେଲେ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର କୃଷକ ନେତା ଶ୍ରୀହରି ପ୍ରଧାନ କହିଛନ୍ତି ଯେ- ଚାଷୀଙ୍କୁ କରୋନା ସଙ୍କଟରେ କାଳିଆ ଟଙ୍କା ସହାୟ ହେଲା । ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା କରି ଦେଖାଇଲେ ଯେ ଚାଷୀଙ୍କ ପାଇଁ ତାଙ୍କ ହୃଦୟରେ କେତେ ସ୍ଥାନ । ମହାମାରୀ ବିରୋଧରେ ଲଢେଇ ପାଇଁ ରାଜକୋଷରୁ ଯେମିତି ଅର୍ଥ ବରାଦ କରୁଛନ୍ତି ଚାଷୀ ସକାଶେ ଅକ୍ଷୟ ତୃତୀୟାର ପବିତ୍ର ତିଥିରେ କୃଷି କାମ ଆରମ୍ଭ ପାଇଁ ଅର୍ଥାଭାବ ନରହୁ ବୋଲି ଠିକ ସମୟରେ ଅନୁଦାନ ଯୋଗାଇ ଦେଇଛନ୍ତି ବୋଲି କହନ୍ତି ବୁଗୁଡାର ଚାଷୀ ପ୍ରେମହରି ଦୋରା। ଫୁଲବାଣୀ ଜିଲ୍ଲା ଆଲାମି ପଞ୍ଚାୟତର ନରେନ୍ଦ୍ର ମଲ୍ଲିକଙ୍କ ମତରେ ଆମ ମୁଖ୍ୟମନ୍ତ୍ରୀ ଖାଲି ଟଙ୍କା ଦେଇ ନାହାନ୍ତି ବରଂ ଅନ୍ନଦାତାଙ୍କ ମନୋବଳ ବଢାଇଛନ୍ତି। ସେମାନଙ୍କ କଷ୍ଟ ଓ ବର୍ଷଯାକର ପରିଶ୍ରମକୁ ସ୍ବୀକୃତି ଦେଇ କହିଛନ୍ତି ଯେ- ଚାଷୀ ଆମର ଗର୍ବ ଓ ଗୌରବ। ଚାଷୀମାନଙ୍କ ତ୍ୟାଗର ମୂଲ୍ୟ କେହି ଦେଇ ପାରିବେନି। ଗତବର୍ଷ କୋଭିଡ୍ ସମୟରେ ଚାଷୀଙ୍କ ପରିଶ୍ରମ ଅର୍ଥନୀତିକୁ ସଞ୍ଜିବନୀ ଦେଇଥିଲା। ଆଉ ଏଥର ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଆର୍ଥିକ ଅନୁଦାନର ସଞ୍ଜିବନୀ ଦେଇଛନ୍ତି।

ଭୋଟ୍ ବେଲକେ ଆମର୍ ଫାଲେଁ ଆସିଥିଲେ ବେଲେଁ କାଲିଆ ଟଙ୍କା ଜରୁର୍ ମିଲବା କହିଥିଲେ । ଆର୍ ବୁପରା ନବୀନ ବାବୁ ତାକର୍ କଥା ରଖିକରି ଦେଉଛନ୍। ମୋଦି ସରକାର ଦେଉଛନ୍ ବଲିଁ ମୁଇଁ ଖାଲି ଶୁନିଛେଁ, ହେଲେ ସେ ଟଙ୍କା ନାଇଁ ଦେଖି । ମୋର୍ ଜମିନ୍ ନାଇନ ବଲିଁ ହେଟା ପରେ ମତେ ନେ ମିଲେ । ହେଲେ ନବୀନ ବାବୁ ମତେ ଦେଇଛନ୍। ତାହାଙ୍କୁ କୋଟି କୋଟି ଧନ୍ୟବାଦ୍ ବୋଲି କହିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲର ଅନନ୍ତ କୁଅଁର । କନ୍ଧମାଳ ଜିଲ୍ଲାର ମଦନ କର୍ଣ୍ଣଙ୍କ କହିବା ପ୍ରକାରେ ମୁଖ୍ୟମନ୍ତ୍ରୀ ଠିକ୍ ଅକ୍ଷୟ ତୃତୀୟା ତିଥିରେ ଚାଷୀଙ୍କ ପାଇଁ ରାଜକୋଷ ଖୋଲି ଦେଇଛନ୍ତି । ଓଡ଼ିଶାର ଚାଷୀଭାଇ ଓ ସେମାନଙ୍କ ପରିବାରର ବିପଦଆପଦରେ ମୁଖ୍ୟମନ୍ତ୍ରୀ ସବୁବେଳେ ସାଥିରେ ଛିଡା ରହିଥିବା ପୁଣି ପ୍ରମାଣିତ ହୋଇଛି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିର ଲଲାଟେନ୍ଦୁ ସାହୁ ମତବ୍ୟକ୍ତ କରିଛନ୍ତି ଯେ- ଗୁଟେ କିସମେ ଲକଡାଉନ୍ ଲାଗିଁ ସବୁ ଠପ୍ ପଡିଛେ, ହେଲେ ଇହାଦେ ଦିନାଦୋ ହେଲାନ ଅବେଲେଁ ଧୁକା ଗର୍ଡା ଆର୍ ବର୍ଷା ସବୁ ଫସଲ କେ ବରବାଦ୍ କରି ଦେଲାନ । ଏନତା ବେଲା ଥିଁ କାଲିଆ ଟଙ୍କା ଫେର୍ ଘାଏ ଖରିଫ୍ ଚାଷ ଲାଗି ଦମ୍ ଟେ ଆନିଛେ । କେନ୍ ଭାବେଁ ନବୀନ ଆଜ୍ଞାଙ୍କୁ ଧନ୍ୟବାଦ୍ ଦେମି ଯେ ବୁଝି ନେ ପାରବାର୍ । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ାର ମାଗୁଣୀ ପ୍ରଧାନ ମଧ୍ୟ କହନ୍ତି ଏନତା ବିପଦ୍ ବେଲା ଥିଁ ଇଟା ବଢେଟେ ସାହା ବାଗିର୍ କାଲିଆ ଟଙ୍କା ମିଲିଗଲା। କରୋନା ବେମାର୍ ଲାଗି ଲୋକ୍ ପଟୋ ପାଟୋ ମରୁଛନ୍ ବେଲକେ ଘରୁ ବାହାରବାର୍ କେ ଡର୍ ଲାଗୁଛେ। ଏନ୍ତା ସମିଆଁ ଥିଁ କାଲିଆ ଟଙ୍କା ମିଲବାର୍ ଟା ଚାଷୀ ଲାଗିଁ ବଢେଟେ କଥା ଆଏ ।

ଅକ୍ଷୟ ତୃତୀୟା ଭେଟି ଆକାରରେ ଚଳିତ ବର୍ଷର ଖରିଫ ଚାଷ ପାଇଁ କୃଷକଙ୍କ ହାତକୁ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ଚାଷୀ ଆମ ଅର୍ଥନୀତିର ସଞ୍ଜିବନୀ । ଏହି କଥାରେ ଖୁସି ଗଦଗଦ୍ ହୋଇଛନ୍ତି ବରଗଡ ଜିଲ୍ଲା ବଡମାଳର ନେପାଳ ବିଶି, ବରପାଲିର ଶିବ ଭୁୟାଁ, ଜୟପୁରର ପୂର୍ଣ୍ଣଚନ୍ଦ୍ର ପାଟ୍ଟଯୋଷୀ ପ୍ରମୁଖ କୃଷକ । କୃଷି ବିଶେଷଜ୍ଞ ହରିକୃଷ୍ଣ ଶତପଥୀ କହିଛନ୍ତି ଯେ- ରାଜ୍ୟ ସରକାର ଗତ କିଛି ବର୍ଷ ହେଲା କୃଷି କ୍ଷେତ୍ରକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ଆମ ରାଜ୍ୟ କୃଷି ପ୍ରାଧାନ୍ୟ । ଆଉ ମହାମାରୀ ସମୟରେ ବି ଚାଷୀ ଯେଭଳି ଅର୍ଥ ସଙ୍କଟର ସମ୍ମୁଖୀନ ନହୋଇ ସ୍ୱଚ୍ଛନ୍ଦରେ ତାର କୃଷି କାର୍ଯ୍ୟ ବଜାୟ ରଖିପାରିବ ସେଥିପାଇଁ ଉଚିତ୍ ସମୟରେ ଠିକଣା ପଦକ୍ଷେପ ନେଇଛନ୍ତି ସେ । ଅର୍ଥନୀତି କ୍ଷେତ୍ର ସହ ସମ୍ପୃକ୍ତ ରଜେଶ ବିଷୋୟୀ କହନ୍ତି ମହାମାରୀ କାଳରେ ଉଣାଅଧିକେ ସବୁ ବାଣିଜ୍ୟ ବ୍ୟବସାୟ ପ୍ରଭାବିତ ହୋଇଛି । ତେବେ ଚାଷ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ଏବଂ ତାହାରି ଜରିଆରେ ଏଇ ସଙ୍କଟ ସମୟରେ ବି ଅର୍ଥନୀତି ଗତିଶୀଳ ରୁହେ, ଲୋକଙ୍କୁ ଅନ୍ନ ଯୋଗାଣ ଶୃଙ୍ଖଳରେ ବାଧା ଯେଭଳି ନଉପୁଜେ ସେଥିପାଇଁ ଆଗରୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଏଭଳି ଯୋଜନା କରିଥିବେ । ଖୁସିର କଥା ମହାମାରୀ ଆଳରେ ଓଡିଶାର ଚାଷୀଙ୍କୁ ଅର୍ଥ ସଙ୍କଟ ଭୋଗିବାକୁ ପଡିବନି କାରଣ ସେମାନଙ୍କ ହାତରେ ଏବେ କାଳିଆ ଟଙ୍କା ପହଞ୍ଚିଛି ।

ମୋଟାମୋଟି ଭାବେ ଅକ୍ଷୟ ତୃତୀୟା ତିଥି ଅବସରରେ ଚାଷୀକୂଳରେ ଆନନ୍ଦର ଉପହାର ବାଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଙ୍କଟ ଆଉ ଚାଷୀ କୂଳ ମଧ୍ୟରେ ସେ ତ୍ରାଣକର୍ତ୍ତା ଭାବେ ଠିଆ ହୋଇଛନ୍ତି । ଚାଷୀଙ୍କ ପାଇଁ କାଳିଆ ଯୋଜନା କେବଳ ଆମ ରାଜ୍ୟର ନୁହେଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା କାହିଁକି ତାହା ତାଙ୍କର ପଦକ୍ଷେପ ପୁଣି ଥରେ ସାବ୍ୟସ୍ତ କରିପାରିଛି ।

ଲେଖକ ତଥା ଇତିହାସ ଗବେଷକ

Chief Minister Naveen PatnaikKALIA SchemeOdisha Government